ଭୁବନ: ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଶାଶୁ ଘର ଲୋକ ହରଡ଼ଘଣାରେ ପଡିଛନ୍ତି । ଏପରି କି ଚଂଚକତା କରି ପୋତି ଦେଇଥିବା ମହିଳାଙ୍କ ମୃତ ଦେହକୁ କାଜୁ ବଗିଚାରୁ ମାଟି ଖୋଲି ଗଳିତ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବାରୁ କାଠଗଡାକୁ ଟାଣି ହୋଇଛନ୍ତି ଶାଶୁ ଘର ଲୋକେ ।
ଏପରି କି ମୃତ୍ୟୁର ଚାରି ଦିନ ପରେ ମାଜିଷ୍ଟେଟ୍ , ସାଇଣ୍ଟିଫିକ ଟିମ୍ଙ୍କ ଉପସ୍ଥିତରେ ମାଟି ତଳୁ ଶବକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରଶାଦ ଗ୍ରାମର ଉପର ଦେହୁରୀ ସାହିରେ । ମୃତା ମହିଳା ଜଣକ ୨୫ବର୍ଷୀୟ ଟୁଣୁକି କାଣ୍ଡି ବୋଲି ଜଣାପଡିଛି । ସେ ଉପର ଦେହୁରୀ ସାହିର ନିଜ ଭିଣୋଇ ସର୍ବେଶ୍ବର କାଣ୍ଡିଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିବାହ କରିଥିଲେ ।
ତାଙ୍କ ବାପ ଘର ଭୁବନ ବ୍ଲକ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ନିମେଇପୁର ଗ୍ରାମରେ । ପିଲାଟି ଦିନରୁ ବାପା ମାଙ୍କ ଅକାଳ ବିୟୋଗ ଘଟିଥିବାରୁ ଦାଦା ଖୁଡି ପାଖରେ ରହୁଥିଲେ । ତେବେ ବଡ଼ ଭଉଣୀ ଝିଲି କାଣ୍ଡିଙ୍କର କୌଣସି ପିଲାଛୁଆ ନହେବାରୁ ନିଜ ଭିଣୋଇଙ୍କୁ ସେ ଉଭୟ ପରିବାର ସହମତିରେ ବିବାହ କରିଥିଲେ । ତେବେ ସର୍ବେଶ୍ବର ଜଣେ ଦିନ ମଜୁରୀଆଯୋଗୁଁ ଘରେ ଅର୍ଥାଭାବରୁ ସର୍ବେଶ୍ବରଙ୍କ ସହିତ କୁଆଡେ ଅନେକ ସମୟରେ ଟୁଣୁକୀର ଝଗଡା ହେଉଥିଲା ।
ତେବେ ଗତ ୨୫ ତାରିଖରେ ଟୁଣୁକୀର ସନ୍ଦେହ ଜନକଭାବେ ମୃତ୍ୟୁ ଘଟିଥିଲା । ମାତ୍ର କାହାକୁ ନଜଣାଇ ଶାଶୂଘର ପକ୍ଷରୁ ତାଙ୍କ ଗଂପାଖରେ ଥିବା କାଜୁ ବଗିଚାରେ ପୋତିଦେଇଥିଲେ । ପରେ କୌଣସି ସୂତ୍ରରୁ ଟୁଣୁକୀର ମୃତ୍ୟୁ ଖବର ପାଇ ଦାଦା ଭୁବନା ଜେନା ସର୍ବେଶ୍ବରଙ୍କ ଘରେ ପହଞ୍ଚି ସନ୍ଦେହ କରି ଭୁବନ ଥାନାରେ ଟୁଣୁକୀକୁ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସ୍ୱାମୀ ସର୍ବେଶ୍ବରକୁ ଅଭିଯୁକ୍ତ ଭାବେ ଭୁବନ ଥାନାରେ ଅଟକ ରଖିଛି ପୁଲିସ । ମୃତ ଦେହ ବ୍ୟବଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି ।


Comments are closed, but trackbacks and pingbacks are open.