ବୋରିଗୁମ୍ମା,(ବି.ବି.ନୁ୍ୟଜ୍): ବୋରିଗୁମ୍ମା ଥାନା ଗୁଜୁନିଗୁଡା କାଜୁ ମିଲ ମାଲିକଙ୍କଠାରୁ ଟଙ୍କା ଲୁଟ୍ ମାମଲା ପର୍ଦ୍ଧାଫାସ କରିଛି ପୁଲିସ୍ । ଏହି ମାମଲାରେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାଜୁ ମିଲ୍ କର୍ମଚାରୀ କୁମୁ ମୁଦୁଲି, ଜଗୁଆାଳି ଜଗବନ୍ଧୁ ହରିଜନ ଓ ସାଧନ ଗଣ୍ଡା । ସେମାନଙ୍କ ପାଖରୁ ୩ଟି ମୋବାଇଲ୍ ଫୋନ୍, ଗୋଟିଏ ବାଇକ୍ ଓ ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି । ବୋରିଗୁମ୍ମା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝୀ ।
ଶ୍ରୀ ମାଝୀଙ୍କ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଜୟପୁରରୁ ଗୁଜୁନିଗୁଡା କାଜୁ ମିଲର ମାଲିକ ଭି.ଭେଙ୍କଟ ରାଓ ଶ୍ରମିକଙ୍କୁ ଟଙ୍କା ଦେବା ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଧରି ନିଜ ସ୍କୁଟିରେ କେବିଡି ରାସ୍ତା ଦେଇ ଯାଉଥିଲେ । ଡରଗୁଡା ଓ ଦଣ୍ଡସେନାଗୁଡା ମଝିରେ ନୀଳଗିରି ଜଙ୍ଗଲ ନିକଟରେ କେତେକ ଯୁବକ ତାଙ୍କୁ ଅଟକାଇଥିଲେ । ବିଭିନ୍ନ ମାରଣାସ୍ତ୍ର ଦେଖାଇ ତାଙ୍କ ସୁନା ଚେନ୍ ସହ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏ ସମ୍ପର୍କରେ ମିଲ୍ ମାଲିକ ଶ୍ରୀ ରାଓ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ତନାଘନା ଆରମ୍ଭ କରିଥିଲା । ଲୁଟେରାଙ୍କୁ ଧରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା । ଏହି ମାମଲାରେ ଉପରୋକ୍ତ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ୍ । ପଚରାଉଚରା ବେଳେ ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡିଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମାଝୀ କହିଛନ୍ତି ।


Comments are closed, but trackbacks and pingbacks are open.