ପଟ୍ଟାଙ୍ଗି,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଗଣେଶ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକଙ୍କ ନାଁ ଗଙ୍ଗା ପ୍ରସାଦ ଚୌଧୁରୀ(୨୭) । ଏହି ଘଟଣାକୁ ପୁଲିସ୍ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାରକୁ ନେଇଛି । ସୁନାବେଡା ଏସ୍ଡିପିଓ ନିରଞ୍ଜନ ବେହେରା ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର ରହସ୍ୟ ଜଣାପଡିବ ବୋଲି ପୁଲିସ୍ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ପରିବାର ଲୋକେ କହିଛନ୍ତି, ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ବେଳେ ଗଙ୍ଗା ନିଜ ଘର ସମ୍ମୁଖ ବାରଣ୍ଡାରେ ବସି ମୋବାଇଲ୍ରେ କଥାବାର୍ତ୍ତା ହେଉଥିଲେ । କାହା ସହିତ ଚାଟିଂ କରୁଥିଲେ । ଏହାର କିଛି ସମୟ ପରେ ତାଙ୍କର ଆଉ ପତ୍ତା ମିଳିନଥିଲା । ସେମାନେ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରଥମଥର ରିଙ୍ଗ୍ ହୋଇଥିଲା । କିନ୍ତୁ ଗଙ୍ଗା ଫୋନ୍ ଉଠାଇନଥିଲେ । ଏହାର କିଛି ସମୟ ପରେ ମୋବାଇଲ୍ଟି ସୁଇଚ୍ ଅଫ୍ ହୋଇଯାଇଥିଲା । ସନେ୍ଦହରେ ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗଣେଶ ମନ୍ଦିର ନିକଟରେ ଗଙ୍ଗା ପଡି ରହିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗଙ୍ଗାଙ୍କ ବେକରେ ରଶି ଲଗା ଦାଗ ରହିଥିଲା । କିନ୍ତୁ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ନଥିଲା । ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ପଟ୍ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପାଇ ଥାନା ଆଇଆଇସି ବିଜୟରାଜ ମାଝୀ ଓ ଏଏସ୍ଆଇ ସୁବାସ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଗାଁ ଲୋକେ ଅଡି ବସିଥିଲେ ଯେ, ଏସ୍ଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ବ୍ୟବଚ୍ଛେଦ ପାଇଁ ଶବ ଛାଡିବେ । କିଛି ସମୟ ପରେ ପହଞ୍ଚିଥିଲେ ଏସ୍ଡିପିଓ ଶ୍ରୀ ବେହେରା । ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଖୁବ୍ଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ପାଇଁ ଅଧିକ ସୁରାକ ମିଳିବ ବୋଲି କହିଥିଲେ । ଏହାପରେ ଡାକ୍ତରଖାନାରେ ପହଞ୍ଚିଥିଲେ ପଟ୍ଟାଙ୍ଗି ବିଧାୟକ ପୀତମ ପାଢି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା, ବ୍ଲକ୍ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ପଟ୍ଟାଙ୍ଗି ସରପଞ୍ଚ ଭଗବାନ ଖରାଙ୍କ ସମେତ କୁନ୍ଦୁଲି ଓ ସେମିଳିଗୁଡା ଅଞ୍ଚଳର ଶତାଧିକ ଲୋକ । ଏହାର କାରଣ ଥିଲା, ଗଙ୍ଗା ପ୍ରସାଦ ଜଣେ ଅତ୍ୟନ୍ତ ମେଳାପି ଯୁବକ ଥିଲେ । ଘରେ ଘରେ ସେ ବେଶ ପରିଚିତ ଥିଲେ । ଲୋକଙ୍କ ଦୁଃଖସୁଖରେ ସର୍ବଦା ଠିଆ ହେଉଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେଣୁ ପୁଲିସ୍ ପ୍ରଶାସନ ଏଭଳି ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇ ମୃତୁ୍ୟ ରହସ୍ୟ ଉନ୍ମୋଚନ କରିବାକୁ ସମସ୍ତେ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.