ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲାରେ ସକ୍ରିୟ ହୋଇଉଠିଛି ଆନ୍ତଃରାଜ୍ୟ ସାପ ଚାଲାଣ ର୍ୟାକେଟ୍ । ବିଭିନ୍ନ ପ୍ରକାର ସାପକୁ କୌଶଳକ୍ରମେ ଧରାଯିବା ପରେ ତାହାକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବନବିଭାଗ ସୁରାକ ପାଇଛି । ଏହି କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ବନବିଭାଗ ଗିରଫ କରିବା ସହିତ ତା’ଠାରୁ ଏକ ବଡ଼ ଅଜଗର ସାପକୁ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଦସମାଣିଆ ଗ୍ରାମର ରଂଜନ ପଧାନ (୪୦) । ବନବିଭାଗ ତା’ ନାମରେ ଓଆର୍ କେସ୍ ନଂ. ୧୧୩ଡି/୨୦୨୦-୨୧ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଏହି କାରବାରରେ ଅନେକ ବ୍ୟକ୍ତି ସଂପୃକ୍ତ ଥିବାର ଜଣାପଡିବା ପରେ ବନବିଭାଗ ଖୋଳତାଡ ଆରମ୍ଭ କରିଦେଇଛି ।
ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସୂଚନା ଅନୁସାରେ, ମଙ୍ଗଳବାର ଢେଙ୍କାନାଳ ସହରର ସର୍ବସାଧାରଣ ସ୍ଥାନମାନଙ୍କରେ ଜଣେ ବ୍ୟକ୍ତି ଅଜଗର ସାପ ପ୍ରଦର୍ଶିତ କରୁଥିବା ଖବର ବନ ବିଭାଗ ନିକଟରେ ପହଞ୍ଚିଥିଲା । ବନ କର୍ମଚାରୀମାନେ ଚଢ଼ଉ କରି ସାପ ସହ ଅଭିଯୁକ୍ତ ରଞ୍ଜନକୁ କାବୁ କରି କାର୍ଯ୍ୟାଳୟକୁ ଆଣିଥିଲେ । ତା’ ନିକଟରୁ ପ୍ରାୟ ୬ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଥିଲା । ରଂଜନକୁ ଜେରା ପରେ ଅନେକ ତଥ୍ୟ ପଦାକୁ ଆସିଥିଲା । କାମାକ୍ଷାନଗର ଅଞ୍ଚଳର ଜଣେ ବ୍ରାହ୍ମଣୀ ନଦୀରେ ମାଛ ମାରିବା ପାଇଁ ଜାଲ ପକାଇଥିବା ବେଳେ ସେହି ଜାଲରେ ଅଜଗର ସାପଟି ପଡ଼ିଥିଲା । ଯାଜପୁର ଅଞ୍ଚଳର ରଞ୍ଜନ ପଧାନ କୌଣସି ସୂତ୍ରରୁ ଖବରପାଇ ଉକ୍ତ ବ୍ୟକ୍ତିଙ୍କଠାରୁ ଅଜଗର ସାପକୁ ୧୨୦୦ ଟଙ୍କା ଦେଇ କିଣିଥିଲା । କିଛିଦିନ ନିଜ ପାଖରେ ରଖିବା ପରେ ସାପକୁ ବିକ୍ରି କରିବା ପାଇଁ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲା । ମଙ୍ଗଳବାର ସାପକୁ ଏକ ପେଡ଼ିରେ ଭର୍ତ୍ତି କରି ବିକ୍ରି କରିବା ଉଦେ୍ଧଶ୍ୟରେ ଢେଙ୍କାନାଳ ସହରକୁ ଆଣିଥିଲା । ତେବେ ମୂଲଚାଲ ନ ଛିଡ଼ିବାରୁ ସେ ସାପଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଇ ନଥିଲା । ପରେ ରଞ୍ଜନ କିଛି ପଇସା ରୋଜଗାର ଆଶାରେ ଲୋକଙ୍କ ମନୋରଞ୍ଜନ ପାଇଁ ସହରର ବିଭିନ୍ନ ସ୍ଥାନରେ ପେଡ଼ିରୁ ବାହାର କରି ସାପକୁ ପ୍ରଦର୍ଶନ କରୁଥିଲା । ବନ ବିଭାଗ କର୍ମଚାରୀମାନେ ସୂଚନା ପାଇ ପହଞ୍ଚôଥିଲେ ଓ ସହର ମଧ୍ୟରୁ ରଞ୍ଜନକୁ ସାପ ସହ ଗିରଫ କରିଥିଲେ । ଜେରା ସମୟରେ ବନ ବିଭାଗ ଆଗରେ ସବୁ କଥା ରଞ୍ଜନ ମାନିଯାଇଛି । ତାକୁ ବନ୍ୟପ୍ରାଣୀ ରଖିବା ଅପରାଧ ଆଇନ୍ ବଳରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଉଦ୍ଧାର ସାପକୁ ବନ ବିଭାଗ ନିଜ ହେପାଜତରେ ରଖିଛି । ଆସନ୍ତାକାଲି ପ୍ରାଣୀ ଚିକିତ୍ସଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ କପିଳାସ ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି ଡିଏଫ୍ଓ ଶ୍ରୀ ଗୋଗିନେନୀ ସୂଚନା ଦେଇଛନ୍ତି । ଡିଏଫ୍ଓ କହିଛନ୍ତି ଯେ, ରଂଜନକୁ ଗିରଫ ପରେ ଆମେ ଅନେକ ତଥ୍ୟ ପାଇଛୁ । ସାପକୁ କଲିକତାର ବିଭିନ୍ନ ଅଞ୍ଚଳକୁ ଚାଲାଣ ପାଇଁ କାରବାର ଚାଲିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି କାରବାରରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।


Comments are closed, but trackbacks and pingbacks are open.