ଡୁଡୁମାକୁ ଛୁଟିଲେଣି ପର୍ଯ୍ୟଟକ

Get real time updates directly on you device, subscribe now.

ଲମତାପୁଟ, (ବି.ବି.ନୁ୍ୟଜ୍): ନଭେମ୍ବର ଆସିଲେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡୁଡୁମା ଜଳପ୍ରପାତକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଚଳିତବର୍ଷ କୋଭିଡ କଟକଣା ପାଇଁ ଜଳପ୍ରପାତ ଅଞ୍ଚଳ ଖାଁ ଖାଁ ହୋଇପଡିଥିଲା । ଏବେ କଟକଣା କୋହଳ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରରୁ ଡୁଡୁମାରେ ପର୍ଯ୍ୟଟକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ସହ ଡୁଡୁମା ଜଳ ପ୍ରପାତକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଆସିବାରେ ଲାଗିଲେଣି ।
ଡୁଡୁମା ଜଳପ୍ରପାତର ଧଳା ଜଳରାଶି ପ୍ରାୟ ୫କିମି ଦୂରରୁ ଦେଖାଯାଉଥିବା ବେଳେ ଏହା ୫୫୦ ଫୁଟ ତଳକୁ ଖସିପଡୁଛି । ଏହି ଉଚ୍ଚ ଝରଣା ସମସ୍ତଙ୍କ ମନ ମୋହୁଛି । ଶୀତ ଲହରି ସହ ଘନ କୁହୁଡି ଡୁଡୁମାର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରି ଦେଉଛି । ଉଭୟ ପାଶ୍ୱର୍ର ଆକାଶଛୁଆଁ ପର୍ବତ ମଝିରେ ବୋହିଯାଉଥିବା ଡୁଡୁମା ଝରଣା ଦର୍ଶକଙ୍କୁ ଆନମନା କରିଦେଇଥାଏ । ଏବେ ପ୍ରତିଦିନ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ନଭେମ୍ବରରୁ ଫେବ୍ରୃୟାରୀ ମଧ୍ୟରେ ଏହି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଥାଏ । ଜମିଥାଏ ପିକନିକ୍ ପାର୍ଟି । ରାଜ୍ୟ ତଥା ରାଜ୍ୟ ବାହାରୁ ଏପରି କି ଫ୍ରାନ୍ସ, ଇଟାଲି, ଆମେରିକା, ବ୍ରାଜିଲ୍ ଦେଶରୁ ମଧ୍ୟ ବିଦେଶୀ ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଏଠାକୁ ଆସି ଏହାର ମନୋରମ ଦୃଶ୍ୟ ଉପଭୋଗ କରି ଖୁସିମନରେ ଫେରିଥାନ୍ତି । ଦେଶର ପର୍ଯ୍ୟଟନ ମାନଚିତ୍ରରେ ଡୁଡୁମା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି । ଆଜିପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳିରେ ସେଭଳି କୌଣସି ଆଖିଦୃଶିଆ ଉନ୍ନୟନ କାମ କରାଯାଇ ନାହିଁ । ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ । ଡୁଡୁମାକୁ ଆସୁଥିବା ଦର୍ଶକମାନେ ଫେରିବା ବେଳେ ଏହାର ଅଭୂଲା ସ୍ମୃତି ନେଇଯାଆନ୍ତି । କେତେକ ସେଲ୍ଫି ନେବାକୁ ଭୁଲନ୍ତି ନାହିଁ । ପର୍ଯ୍ୟଟକଙ୍କ କହିବା ପ୍ରକାରେ ଝରଣାର କୁଳୁକୁଳୁ ଶବ୍ଦ ଓ ଝରଣାରେ ଗାଧୋଇବା ମଜା ନିଆରା । ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି । ବର୍ତ୍ତମାନ ପାଗ ଅନୁକୂଳ ପରିବେଶ ଥିବାରୁ ଜଳପ୍ରପାତର ସୌନ୍ଦର୍ଯ୍ୟ ଦେଖିବାକୁ ଲୋକଙ୍କ ଭିଡ ଲାଗିରହୁଛି । ଜିଲ୍ଲା ପ୍ରଶାସନ ତୁରନ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons