ରାଜନଗର,(ବି.ବି.ନ୍ୟୁଜ୍): ସ୍ତ୍ରୀର ନିର୍ଯାତନା ଆଉ ସହି ହେଲାନି । ପାରିବାରିକ ଅଶାନ୍ତି ବଢ଼ିବାରୁ ପରିବାର ଲୋକଙ୍କ ସହିତ କଥା ହୋଇ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଶବକୁ ଜାଳି ପ୍ରମାଣ ନଷ୍ଟ କରିଦେବାକୁ ବସିଥିଲା । ହେଲେ ତାହା କରିନପାରି ଅଖାରେ ଭର୍ତ୍ତି କରି ଫିଙ୍ଗି ପଳାଇ ଆସିଥିଲା ।
ଏଭଳି ଚାଞ୍ଚଲ୍ୟକର ବୟାନ ଦେଇ ପତ୍ନୀ ହତ୍ୟା ଅଭିଯୋଗକୁ ସ୍ୱୀକାର କରିଛି ଅଭିଯୁକ୍ତ ରଞ୍ଜନ କୁମାର ରାଉତ । ରାଜନଗର-ଗୋପାଳପୁର ଲୁଣା ଘେରି ବନ୍ଧର କାଠୁଆଗଣ୍ଡ ନିକଟରୁ ଦୁଇ ସପ୍ତାହ ତଳେ ଏକ ବନ୍ଦ ଅଖା ଭିତରୁ ମିଳିଥିଲା ଜଣେ ମହିଳା ରାନୀ ମିଶ୍ରଙ୍କ ଶବ । ଘଟଣାର ତଦନ୍ତ କରି କେନ୍ଦ୍ରାପଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତ ରାନୀଙ୍କ ସ୍ୱାମୀ ରଞ୍ଜନ କୁମାର ରାଉତକୁ ଗିରଫ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ରଞ୍ଜନଙ୍କୁ ନେଇ ହତ୍ୟାସ୍ଥଳରେ ପହଞ୍ôଚ କିପରି ହତ୍ୟାର ଯୋଜନା କରିଥିଲା ଓ ପତ୍ନୀଙ୍କୁ ହତ୍ୟା କରିଥିଲା ତାର ବିବରଣୀ ସଂଗ୍ରହ କରିଛି । ରଞ୍ଜନ ପୁଲିସକୁ ନିଜ ବୟାନରେ କହିଛି ଯେ, ରାନୀ ମୋତେ ଫସାଇ ଦେଇ ଦ୍ୱିତୀୟ ବିବାହ କରିଥିଲା । ବିବାହ ପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା । ଏପରିକି ମୋ ଗୋଡ଼କୁ କଟୁରିରେ ଥରେ ହାଣି ଦେଇଥିଲା । ଆମ ବୈବାହିକ ପାରିବାରିକ ଜୀବନ ଅସୁଖ ଓ ଅଶାନ୍ତିରେ ବିତୁଥିଲା । ତାର ନିର୍ଯାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କ ସହ ଏ ନେଇ କଥା ହେବା ପରେ ତାକୁ ମାରିବାକୁ ଯୋଜନା କରିଥିଲି । ପରେ ଉଭୟ ଜୁନ୍ ୨୬ ସନ୍ଧ୍ୟାରେ ଆମ ଗାଁରେ ପହଞ୍ôଚଥିଲୁ । ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଘର ବାହାରକୁ ଦୁହେଁ ଶୌଚ ପାଇଁ ଯାଇଥିଲୁ । ପରେ ଆମେ ୪ ଜଣ ମିଶି ଘରର ବାଡ଼ିପଟରେ ରାନୀର ତଣ୍ଟି ଚିପି ହତ୍ୟା କରିଥିଲୁ । ସେ ମରିଯିବା ପରେ ବାଉଁଶରେ ଶବକୁ ବାନ୍ଧି ସେହିଦିନ ସଂସ୍କାର କରିଦେବାକୁ ଯୋଜନା କରିଥିଲୁ । ମାତ୍ର ବାଉଁଶ ଭାଙ୍ଗିଯିବାରୁ ରାନୀଙ୍କ ଶବକୁ ନେଇ ଘରର କବାଟ କଣରେ ଲୁଚାଇ ରଖିଥିଲୁ । ୨୭ ତାରିଖ ଦିନ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ଡ ନିକଟ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଶବକୁ ପୋଡ଼ି ଦେବା ପାଇଁ ଉଦ୍ୟମ କରିଥିଲୁ । ଜାଳ ଓ କିରାସିନି ନେଇଥିଲୁ । ମାତ୍ର ସେହି ସମୟରେ କିଛି ବରଯାତ୍ରୀ ସେହି ନିଛାଟିଆ ସ୍ଥାନକୁ ଚାଲି ଆସିବାରୁ ତରବରରେ ଶବ, ତାର ବ୍ୟାଗ ଓ ଅନ୍ୟ ବ୍ୟବହୃତ ସାମଗ୍ରୀ, ତାକୁ ପୋଡ଼ିବାକୁ ଆଣିଥିବା ଜାଳ, କିରାସିନି ଆଦି ଛାଡ଼ି ପଳାଇ ଆସିଥିଲୁ । ଏସବୁ କଥା ରଞ୍ଜନ ପୁଲିସ ଆଗରେ କହି ହତ୍ୟାର ପୂର୍ଣ୍ଣ ବିବରଣୀ ପ୍ରକାଶ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ଡ ନିକଟରୁ ଗତ ମାସ ୨୮ ତାରିଖରେ ଅଖା ଭିତରୁ ଜଣେ ମହିଳାଙ୍କ ଶବ ମିଳିଥିଲା । ଘଟଣାସ୍ଥଳରୁ ମିଳିଥିବା ଭ୍ୟାନିଟି ବ୍ୟାଗ୍ରୁ ଏକ ବିଦ୍ୟୁତ୍ ବିଲ୍ ଓ ବ୍ୟାଙ୍କ ସ୍ଲିପ୍ ମିଳିଥିଲା । ଯେଉଁଥିରେ ରାନୀ ମିଶ୍ରଙ୍କ ଭୁବନେଶ୍ୱର ଠିକଣା ରହିଥିଲା । ପୁଲିସ ଏହି ବିଦ୍ୟୁତ୍ ବିଲ ଓ ବ୍ୟାଙ୍କ ରସିଦ୍କୁ ଆଧାର କରି ତଦନ୍ତକୁ ଆଗକୁ ନେଇଥିଲା । ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଜଗସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋରୁଅ ଗାଁର ମାଗୁ ପଲାଇ ପୁଲିସ ନିକଟରେ ପହଞ୍ôଚ ରାନୀ ମିଶ୍ର ତାଙ୍କ ଝିଅ ବୋଲି ଚିହ୍ନଟ କରିବା ସହ ଶବ ନେଇଥିଲେ । ଏହାପରେ ଖୋଳତାଡରୁ ରାନୀ ପ୍ରଥମେ ବିବାହ କରିଥିବା ଯୁବକ ଏକ ହତ୍ୟା ଘଟଣାରେ ଛନ୍ଦି ହୋଇ ଜେଲ୍ ଯିବା ପରେ ସେ ରାଜନଗର ଥାନା ଅନ୍ତର୍ଗତ ବାଉଁଶକଣି ଗାଁର ଉଦ୍ଧବ ଚରଣ ରାଉତଙ୍କ ପୁଅ ରଞ୍ଜନଙ୍କୁ ଦ୍ୱିତୀୟ ବିବାହ କରିଥିବା ଜଣାପଡିଥିଲା । ଉଭୟ ଭୁବନେଶ୍ୱରରେ ରହୁଥିଲେ । ଗତମାସ ୨୬ ତାରିଖରେ ରାନୀଙ୍କୁ ରଞ୍ଜନ ତାଙ୍କ ନିଜ ଘରକୁ ଆଣି ହତ୍ୟା କରିଥିବା ଆଜି ପୁଲିସ ନିକଟରେ ସ୍ୱୀକାର କରିଛି । ଏହି ହତ୍ୟାକାଣ୍ଡ ପରେ କେନ୍ଦ୍ରାପଡା ଏସ୍ପି ହତ୍ୟାକାରୀଙ୍କୁ ଧରିବା ପାଇଁ ୪ ଜଣିଆ ଦକ୍ଷ ପୁଲିସ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ପୁଲିସ ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ଜଗସିଂହପୁରରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲା । ଘଟଣା ଘଟିବାର ୧୭ଦିନ ପରେ ପୁଲିସ ଗତକାଲି ରାତିରେ ରଞ୍ଜନଙ୍କୁ ଗିରଫ କରିଥିଲା । ମାତ୍ର ତାକୁ କେଉଁଠାରୁ ଗିରଫ କରିଛି ଏବଂ ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇନି ।
ଆଜି ଅପରାହ୍ନ ୪ଟା ବେଳେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ, ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାଜେଶ କୁମାରଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ କଡ଼ା ସୁରକ୍ଷା ବଳୟରେ ହତ୍ୟାକାରୀ ରାନୀଙ୍କ ସ୍ୱାମୀ ରଞ୍ଜନ କୁମାର ରାଉତଙ୍କୁ ସାଙ୍ଗରେ ନେଇ ହତ୍ୟା କରାଯାଇଥିବା ବାଉଁଶକଣି ଗାଁରେ ପହଞ୍ôଚଥିଲା । ସେଠାରେ ହତ୍ୟାକାରୀ ରଞ୍ଜନଠାରୁ ସେ କିପରି ଓ କାହିଁକି ହତ୍ୟା କଲା ସେ ନେଇ ପୁଲିସ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଘଟଣା ସଂପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବେ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.