ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ମଧ୍ୟରେ ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ ଧରଣର ସଫଳତା । ମାଲକାନଗିରି ଡିଭିଏଫ, ଏସଓଜି, ବିଏସଏଫ ଯବାନଙ୍କ ସହିତ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଯବାନଙ୍କ ମିଳିତ ଅପରେସନ ବେଳେ ସ୍ୱାଭିମାନ ଅଞ୍ଚଳର ଏକ ମାଓ କ୍ୟାମ୍ପରୁ ବିପୁଳ ଗୋଳାବାରୁଦ, ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରିଷିକେଶ ଡି ଖିଲାରୀ ଏହି ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଏସଏଲଆର ରାଇଫଲ, ଗୁଳି ସହିତ ଗୋଟିଏ ୩୦୩ ରାଇଫଲ, ଗୋଟିଏ ଲ୍ୟାଣ୍ଡମାଇନ, ଗୋଟିଏ ଏସଏଲଆର ମାଗାଜିନ, ୯ ଟି ଏସଆଲଆର ବନ୍ଧୁକ ଗୁଳି, ବିସ୍ଫୋରକ ଦ୍ରବ୍ୟ ଓ ମାଓ ପୁସ୍ତକ ରହିଛି ।
ସୂଚନା ଅନୁସାରେ, ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅପହଞ୍ଚ ଇଲାକା ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ମାଲକାନଗିରି ପୁଲିସକୁ ସୂଚନା ମିଳିଥିଲା । ଏସ୍ପି ଶ୍ରୀ ଖିଲାରୀ ଙ୍କ ନେତୃତ୍ୱରେ ଏସଓଜି, ଡିଭିଏଫ, ବିଏସଏଫ ଓ ଆନ୍ଧ୍ରର ଗ୍ରେହାଉଣ୍ଡ ଯବାନ ଗତ କିଛି ଦିନ ହେଲା ଲଗାତର ଭାବେ ସେ ଅଞ୍ଚଳରେ କମ୍ବିଂ ଚଳାଇଥିଲେ । ମାଓବାଦୀମାନେ କୌଣସି ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରି ଏକ ଗୁପ୍ତ ସ୍ଥାନରେ ଗୋଳାବାରୁଦ, ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ସର୍ଚ୍ଚ ଅପରେସନ ବେଳେ ପୁଲିସକୁ ଏହିସବୁ ସାମଗ୍ରୀ ମିଳିଥିଲା । ପୁଲିସ ତୁରନ୍ତ ଏହାକୁ ଜବତ କରିଥିଲା । ଏସ୍ପି ଶ୍ରୀ ଖିଲାରୀ ଏହିସବୁ ସାମଗ୍ରୀକୁ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରିଛନ୍ତି । କୌଣସି ଏକ ବଡ ଧରଣର ହିଂସା ଘଟାଇବାକୁ ମାଓବାଦୀମାନେ ଉଦ୍ୟମ କରୁଥିଲେ ବୋଲି ଏସ୍ପି କହିଛନ୍ତି ।
ଏ ସମସ୍ତ ସାମଗ୍ରୀ ଜବତ ହେବା ପରେ ମାଓବାଦୀଙ୍କ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଥିବା ଏସ୍ପି କହିଛନ୍ତି । ଏଥିସହ ମାଓପ୍ରବଣ ଅଞ୍ଚଳରେ ନିୟମିତ ମାଓ ଦମନ କାର୍ଯ୍ୟ ଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ପୁଲିସ ଓ ବିଏସଏଫ୍ ଯବାନଙ୍କ କମ୍ବିଂ ଜାରି ରହିଥିବା ଜଣାପଡିଛି ।


Comments are closed, but trackbacks and pingbacks are open.