ଜେଲରୁ ମୁକୁଳିଲେ ନାଚିକା

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଚାଷୀମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ଦୀର୍ଘ ୬ ବର୍ଷ ପରେ ଆଜି ଜେଲ୍ରୁ ମୁକୁଳିଛନ୍ତି । କୋରାପୁଟ ସହକାରୀ ଦୌରା ଜଜ୍ ନାଚିକାଙ୍କୁ ୩ଟି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କାର ବ୍ୟକ୍ତିଗତି ମୁଚାଳିକା ଏବଂ ୨ଜଣ ଜାମିନଦାରଙ୍କ ବଦଳରେ ସହକାରୀ ଦୌରା ଜଜ୍ ହୃଷୀକେଶ ସାହୁ ଏହି ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ରହିଛି ଯେ, କୋର୍ଟଙ୍କ ବିନା ଅନୁମତିରେ ସେ କୋରାପୁଟ ଅଞ୍ଚଳ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ । ଜାମିନ ସମୟ ଭିତରେ କୌଣସି ଅପରାଧିକ ଘଟଣାରେ ସାମିଲ ହେବେ ନାହିଁ । ଏଥିସହିତ ଯେଉଁ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ କୋର୍ଟ ବେଲ୍ ପ୍ରଦାନ କରିଛନ୍ତି , ସେହି ମାମଲାର ବିଚାରଣା ତାରିଖରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡ଼ିବ । ନାଚିକାଙ୍କ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ ଓ ସୁନୀଲ ଜେନା ଏହି ସୂଚନା ଦେଇଛନ୍ତି ।
ଜେଲ୍ରୁ ମୁକୁଳିବା ପରେ ନାଚିକା ଗଣମାଧ୍ୟମକୁ କହିଛନ୍ତି, ନାରୀମାନଙ୍କୁ ଅତ୍ୟାଚାରରୁ ରକ୍ଷା କରିବାକୁ ପଡ଼ିବ । ଲୋକଙ୍କ ପ୍ରତି ସେବା ମନୋଭାବ ଜାରି ରଖିବେ । ହିଂସାର କେବେ ଆଶ୍ରୟ ନେବେ ନାହିଁ । ସମସ୍ତଙ୍କ ସହଯୋଗରେ ଆଇନକୁ ଆଖିରେ ରଖି କାମ କରିବେ । ଆଇନ ବଞ୍ଚିଲେ ଦେଶ ବଞ୍ଚିବ ବୋଲି କହିଛନ୍ତି । ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଯୋଗଦେବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ଟାଳି ଦେଇଥିଲେ ନାଚିକା । ଜେଲ୍ରୁ ମୁକୁଳିବା ପରେ ପରିବାର ସହିତ ସ୍ୱତନ୍ତ୍ର ଗାଡ଼ିରେ ନାଚିକା ଆଜି ନିଜ ଗାଁ ନାରାୟଣପାଟଣା ବ୍ଲକର ଭାଲିଆପୁଟ ଯାଇଥିଲେ । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଧର ସାହୁ ଏହି ମାମଲା ପରିଚାଳନା କରୁଛନ୍ତି । ଆଜି ନାଚକା ଜେଲ୍ରୁ ମୁକୁଳୁଥିବା ଖବର ପାଇ ତାଙ୍କ ସ୍ତ୍ରୀ ତଥା ପୋଡ଼ାପଦର ସରପଞ୍ଚ ଟିକାଇ ନାଚିକା, ପୁଅ ରବୀନ୍ଦ୍ର ନାଚିକା, ନାରାୟଣପାଟଣାର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜୁରୋ ମଉକା ଏବଂ ସମ୍ପର୍କୀୟମାନେ ଜେଲ୍ ବାହାରେ ଅପେକ୍ଷା କରିଥିଲେ । ନାଚିକା ମୁକୁଳିବା ପରେ ବେକରେ ଫୁଲମାଳ ଓ ଗାମୁଛା ପକାଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ଲୋହିଆ ଏକାଡେମୀ ପକ୍ଷରୁ ରାଜ୍ୟ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ମଧ୍ୟ ଜେଲ ବାହାରେ ନାଚିକାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ସାମନ୍ତରା କହିଛନ୍ତି, ନାଚିକା ପୂର୍ବରୁ ୪୪ ମାମଲାରେ ନିଦେ୍ର୍ଧାଷରେ ଖଲାସ ହୋଇଥିଲେ । ଥାନା ଘେରାଉ ମାମଲାରେ ସାକ୍ଷୀ ଆସୁନଥିବାରୁ ନାଚିକାଙ୍କୁ ଜାମିନ ମିଳୁନଥିଲା । ତେଣୁ ଜାମିନ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ମାନ୍ୟବର ହାଇକୋର୍ଟ ଦୁଇଦିନ ତଳେ ନାଜିକାଙ୍କ ଜାମିନ ମଞ୍ଜୁର କରିଥିଲେ । ତଳକୋର୍ଟ କି କି ସର୍ତ୍ତ ରଖି ଜାମିନ ଦେବେ, ତାହା ସ୍ଥିର କରିବେ ବୋଲି ହାଇକୋର୍ଟ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons