ମାଓ ବିସ୍ଫୋରଣରୁ ବର୍ତ୍ତିଲେ ଯବାନ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍):ମାଓବାଦୀଙ୍କ ବାରୁଦ ସୁଡଙ୍ଗ ବିସ୍ଫୋରଣ ଓ ଆମ୍ବୁସରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ୍ ଯବାନ । ପରେ ସର୍ଚ୍ଚ ଅପରେସନ ବେଳେ ସୁଡଙ୍ଗରୁ ୨ ଟି ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡା ଜିଲ୍ଲା ନୀଲାବାୟୀ ମାଓପ୍ରବଣ ଅଞ୍ଚଳରେ ଶୁକ୍ରବାର ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ସିଆରପିଏଫର ୨୩୧ ବାଟାଲିୟନ ଯବାନମାନେ ଆଜି କମ୍ବିଂରେ ଯାଇଥିଲେ । ଅପରେସନ ସାରି ଫେରୁଥିବା ସମୟରେ ନୀଲାବାୟୀ ମୁଖ୍ୟ ରାସ୍ତାରେ ଥିବା ଏକ କଲଭର୍ଟ ନିକଟରେ ସେମାନଙ୍କ ମେଟାଲ ଡିଟେକ୍ଟର ବିପଦ ସଙ୍କେତ ଦେଇଥିଲା । ତୁରନ୍ତ ଯବାନମାନେ ସତର୍କ ହେବା ସହ କଲଭର୍ଟ ନିକଟ ରାସ୍ତାରେ ତଲାସୀ କରିଥିଲେ । ତଲାସୀ ବେଳେ ଏକ ବାରୁଦ ସୁଡଙ୍ଗ ଠାବ ହୋଇଥିଲା । ସର୍ଚ୍ଚବେଳେ ସୁଡଙ୍ଗରୁ ଲାଗିଲାଗି ମାଟି ତଳେ ପୋତା ଯାଇଥିବା ଦୁଇଟି ଲ୍ୟାଣ୍ଡମାଇନ୍ ମିଳିଥିଲା । ତୁରନ୍ତ ଅତି ସାବଧାନତାର ସହିତ ଲ୍ୟାଣ୍ଡମାଇନଗୁଡିକୁ ଯବାନମାନେ ମାଟିତଳୁ ଖୋଳି ଉଦ୍ଧାର କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ ଉଦ୍ଧାର ହୋଇଥିବା ୫ କେଜି ଓ ୩ କେଜି ଓଜନର ଉକ୍ତ ଲ୍ୟାଣ୍ଡମାଇନ ଦୁଇଟିକୁ ଜଙ୍ଗଲ ମଧ୍ୟରେ ବିସ୍ଫୋରଣ କରି ନିଷ୍କ୍ରିୟ କରିଥିଲେ ।
ସୂଚନାଯୋଗ୍ୟ, ଗତ କିଛି ମାସହେଲା ସୀମାନ୍ତ ଦନ୍ତେୱାଡା, ବସ୍ତର, ସୁକୁମା ଅଚଂଳରେ ଲଗାତର ଭାବେ ସିଆରପିଏଫ୍ ଯବାନଙ୍କ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ ଚାଲିଛି । ମାଓବାଦୀମାନେ ଏଥିରେ ଭୟଭୀତ ହୋଇ ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ଯବାନଙ୍କ ଚଲାପଥରେ ଲ୍ୟଣ୍ଡମାଇନ, ପ୍ରେସର ବୋମା, ଟିଫିନ ବୋମା ପୋତିବା ସହିତ ସେମାନଙ୍କୁ ଆମ୍ବୁସରେ ପକାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯବାନଙ୍କୁ ଟାର୍ଗେଟ କରି ଏହି ଦୁଇଟି ଲ୍ୟାଣ୍ଡମାଇନ୍ ବିଛାଯାଇଥିଲା ବୋଲି ସୂଚନା ମିଳିଛି । ସୌଭାଗ୍ୟରୁ ଯବାନମାନେ ଏହାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିବାରୁ ମାଓବାଦୀଙ୍କ ଏକ ବଡ ଧରଣର ହିଂସା ଯୋଜନା ପଣ୍ଡ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons