ନିଶ୍ଚିନ୍ତକୋଇଲି : “ସରକାରୀ କା ମାଲ୍ ଦରିଆ ମେ ଡାଲ୍” । ଏବେ ବିଭିନ୍ନ ଅଞ୍ଚଳରେ କରୋନା ସମୟରେ ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ୍ ସେଣ୍ଟର ବା ଅସ୍ଥାୟୀ କରୋନା ଚିକିତ୍ସା କେନ୍ଦ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଉ ସବୁଠୁ ବଡ଼ କଥା ହେଲା ଦାୟିତ୍ବରେ ଥିବା ସରପଞ୍ଚଙ୍କୁ ଦୋଷ ଦେଇଛନ୍ତି ଗ୍ରାମବାସୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ଗ୍ରାମ ପଞ୍ଚାୟତରୁ ଏଭଳି ଅଭିଯୋଗ ।
ଖବର ଅନୁଯାୟୀ, ପଞ୍ଚାୟତର ୨ଟି କୋଭିଡ ଟିଏମସି ସେଣ୍ଟରରୁ ପ୍ରବାସୀମାନଙ୍କ ପାଇଁ ସରକାର ଯୋଗାଇ ଦେଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ଖଟ, ଇନଭଟର, ଆକ୍ବାଗାର୍ଡ, ଷ୍ଟିକ୍ ଲାଇଟ ସମେତ ବହୁ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି । ପ୍ରବାସୀ ମାନଙ୍କ ପାଇଁ ସରକାର ଦେଇଥିବା ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ କେଉଁଆଡ଼େ ଗାଏବ ହୋଇଯିବା ପରେ ଗାଁ ଲୋକେ ଏହା ପଛରେ ଦାୟିତ୍ବରେ ଥିବା ସରପଞ୍ଚଙ୍କ ପ୍ରତିନିଧି ଅର୍ଥାତ୍ ତାଙ୍କ ସ୍ବାମୀଙ୍କୁ ଦାୟୀ କରିଛନ୍ତି।
“ଚୋର କହୁଛି ଚୋର ପଳାଇଲା , ଚୋରକୁ ଧର ଧର ” ନୀତିରେ ସେ ଏସବୁ ସାମଗ୍ରୀକୁ କେଉଁ ଆଡେ ଗାଏବ କରି ଚୋରି ହୋଇଥିବା ମିଛରେ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । “ରାତ୍ ଗୟେ ବାତ୍ ଗୟେ”ଭଳି ଯଦି ସରକାର ଏହା ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନ ନିଅନ୍ତି । ତେବେ ଅସ୍ଥାୟୀ କୋଭିଡ୍ ସେଣ୍ଟରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଙ୍କ ପାଇଁ ଯୋଗାଇଥିବା ସାମଗ୍ରୀ ଏହିପରି ଭାବେ ଗାଏବ ହୋଇଯିବ। ତେବେ ଚୋରି ହୋଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ବିଧିବଦ୍ଧ ଭାବରେ ଲିଖିତ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ । ଅନ୍ୟପଟେ ଏହି ଘଟଣାରେ ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।
Comments are closed, but trackbacks and pingbacks are open.