ବାଲେଶ୍ୱର ସଦର ଆସନ : ବିଜେପି ହାତରୁ ଛଡ଼ାଇ ନେଲା ବିଜେଡି

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତଃଘଟିଛି । ସମସ୍ତ କଳ୍ପନାଜଳ୍ପନାର ଯବନିକା ଟାଣି ମଙ୍ଗଳବାର ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜୟୀ ହୋଇଛନ୍ତି । ଶ୍ରୀ ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମାନସ କୁମାର ଦତ୍ତଙ୍କୁ ୧୩,୩୯୫ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ନୂତନ ପ୍ରାର୍ଥୀ ଭାବେ ଉପନିର୍ବାଚନ ଜିତି ସ୍ୱରୂପ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।
ପୂର୍ବ ପ୍ରସ୍ତୁତି ମୁତାବକ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ପୋଷ୍ଟାଲ ଭୋଟ୍ ପରେ ସକାଳ ୧୦ଟାରୁ ଗ୍ରାମାଞ୍ଚଳ, ସହରାଞ୍ଚଳ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡରେ ହିଁ ବିଜେଡି ୬୧୫ ଖଣ୍ଡ ଭୋଟ୍ରେ ଆଗୁଆ ରହି ନିଜର ବିଜୟଧାରା ଆରମ୍ଭ କରିଥିଲା । ପରବର୍ତ୍ତୀ ସମସ୍ତ ରାଉଣ୍ଡଗୁଡ଼ିକରେ ଏହି ଧାରା ଅପରିବର୍ତ୍ତିତ ଥିଲା । ମୋଟ୍ ୨୫ ରାଉଣ୍ଡରେ ଭୋଟ୍ ଗଣତି ହୋଇଥିଲା । ଏଥିରେ ବିଜେପି ମାତ୍ର ୫ଟି ରାଉଣ୍ଡ ଆଗୁଆ ରହିଥିଲା । ଏହା ବ୍ୟତୀତ ଅନ୍ୟସମସ୍ତ ରାଉଣ୍ଡରେ ବିଜେଡି ଆଗୁଆ ରହିବା ସହ ଅଗ୍ରଣୀ ହାସଲ କରିଥିଲା ।
ପ୍ରଥମରୁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ପ୍ରାୟ ୧୫ ରାଉଣ୍ଡ ସୁଦ୍ଧା ଫଳାଫଳ ଏକ ତରଫା ହୋଇଯାଇଥିଲା । ବିଜେଡି ପ୍ରାର୍ଥୀ ଶ୍ରୀ ଦାସ ୬ ହଜାରୁ ଊଦ୍ଧ୍ୱର୍ ଭୋଟରେ ଆଗୁଆ ରହିଥିଲେ । ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା । ଦଳର ସମ୍ଭାବ୍ୟ ବିଜୟକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ସେଲିବ୍ରେସନ ଆରମ୍ଭ ହୋଇଯାଇଥିଲା । ଦଳୀୟ କର୍ମୀ ବାଜା ବଜାଇ, ରଙ୍ଗ ଖେଳି ଖୁସି ମନାଇଥିଲେ । କିଛି କର୍ମୀ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ବିଧାୟକ ପ୍ରାର୍ଥୀ ଶ୍ରୀ ଦାସଙ୍କ ଜୟଜୟକାରରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।
ଶେଷରେ ଅନ୍ତିମ ରାଉଣ୍ଡର ଫଳାଫଳ ଆସିଥିଲା । ବିଜେଡି ପ୍ରାର୍ଥୀ ଶ୍ରୀ ଦାସ ମଧ୍ୟ ଏହି ରାଉଣ୍ଡରେ ୧,୪୨୬ ଖଣ୍ଡ ଭୋଟରେ ଅଗ୍ରଣୀ ହାସଲ କରିଥିଲା । ଏହା ସହ ଦଳ ବିଜୟୀ ହୋଇଥିଲା । ଶ୍ରୀ ଦାସଙ୍କୁ ମୋଟ ୮୨,୮୧୦ ହଜାର ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ଶ୍ରୀ ଦତ୍ତକୁ ୬୯,୪୧୫ ହଜାର ଭୋଟ ମିଳିଥିଲା । ମୋଟ ୪,୯୦୧ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୧,୨୪୫, ଭାଗ୍ୟଉଦ୍ଧିତ ଦାସ ପଟ୍ଟନାୟକଙ୍କୁ ୩୦୭, ଏମଡି ନୁମାନ ଖାଁଙ୍କୁ ୨୪୫ ଖଣ୍ଡ ଭୋଟ ମିଳିଥିଲା । ତେବେ ଏଥର ନୋଟାକୁ ୬୯୧ ଖଣ୍ଡ ଭୋଟ ମିଳିଥିଲା ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ବିଧାୟକ ଶ୍ରୀ ଦାସଙ୍କୁ ନେଇ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏଥିରେ ଦଳର ସମସ୍ତ ବରିÂ ନେତା ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ଦାସ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିଲେ । ଆଗାମୀ ଦିନରେ ବିଜେଡି ପକ୍ଷରୁ ଅସମ୍ପୂର୍ଣ୍ଣ ଥିବା ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ଏହା ବ୍ୟତୀତ ବାଲେଶ୍ୱରକୁ ପୌର ନିଗମ କରିବା ଉପରେ ସ୍ୱତନ୍ତ୍ର ଲକ୍ଷ୍ୟ ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons