ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଜିମାତ୍ କରିଛି ବିଜେଡି । ବାଲେଶ୍ୱର ଓ ତିର୍ତ୍ତୋଲ ଦୁଇଟି ଯାକ ବିଧାନସଭା ଆସନରେ ବିଜେଡି ପିନ୍ଧିଛି ବିଜୟ ମୁକୁଟ । ଉପନିର୍ବାଚନରେ ବାଲେଶ୍ୱର ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୧୩ ହଜାର ୫୧୬ ଭୋଟରେ ବିଜୟୀ ହୋଇଥିଲା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ପ୍ରାୟ ୪୧ ହଜାର ୪୯୩ ଭୋଟରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଦୁଇଟି ଯାକ ଆସନରେ ନବୀନଙ୍କ ଯାଦୁ କାଟୁ କରିଛି । ବିଜେଡି ଦୁଇଟି ଯାକ ଆସନ ପୋଛିନେବା ପରେ ଦୁଇ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ନେତା ଓ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ନବୀନ ପଟ୍ଟନାୟକ ଜିନ୍ଦାବାଦ…ବିଜେଡି ଜିନ୍ଦାବାଦ ସ୍ଲୋଗାନ ସହ ମିଠା ବଣ୍ଟନ କରି ଦଳ ବିଜୟ ଉତ୍ସବ ପାଳିଛି ।
ବିଜେଡିର ଦୁଇ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଭୋଟରମାନଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ଏ ବିଜୟ ଆପଣମାନଙ୍କର ଅକୁଣ୍ଠ ସମର୍ଥନ ଓ ଭଲପାଇବାର ପ୍ରତଫଳନ । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜେଡିର ସମସ୍ତ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ ।
ବାଲେଶ୍ୱରର ପଦ୍ମଗଡ଼ରେ ଶଙ୍ଖ ଶୁଭିଛି । ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେପିକୁ ଲୋକ ବାଛିଥିଲା ବେଳେ ମାତ୍ର ଦେଢ଼ବର୍ଷ ଭିତରେ ସ୍ଥିତି ବଦଳିଯାଇଛି । ଏ ଆସନ ବିଜେଡି କବ୍ଜାକୁ ଯାଇଛି । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ଶ୍ରୀ ଦାସ ୮୩ ହଜାର ୪୭୦ ଖଣ୍ଡ (୫୧.୮୮ଧ) ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ୬୯ ହଜାର ୯୫୪ ଖଣ୍ଡ (୪୩.୪୮ଧ) ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମାତ୍ର ୪୯୭୩ (୩.୦୯ଧ) ଭୋଟ ମିଳିଥିଲା ବେଳେ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୨୪୯ ଖଣ୍ଡ ଭୋଟ ପାଇଛନ୍ତି । ଅନ୍ୟ ଦୁଇ ସ୍ୱାଧୀନ ପ୍ରାର୍ଥୀ ଭାଗ୍ୟଉଦିତ ଦାସପଟ୍ଟନାୟକଙ୍କୁ ୩୦୯ ଓ ମହମ୍ମଦ ନୁମାନ ଖାଁଙ୍କୁ ୨୪୫ ଖଣ୍ଡ ଭୋଟ ମିଳିଛି । ୬୯୬ ଜଣ ଭୋଟର ‘ନୋଟା’ରେ ଇଭିଏମ୍ ଟିପିଛନ୍ତି ।
ତିର୍ତ୍ତୋଲ ଆସନରେ ବିଜେଡି ପୁଣି ଉଡ଼ାଇଛି ବିଜୟ ବାନା । ଏ ଆସନରେ ବିଜୟ ଶଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୪୧ ହଜାର ୪୯୩ ଭୋଟ ଆଗରେ ରହି ବିଜୟୀ ହୋଇଛନ୍ତି । ଶ୍ରୀ ଦାସ ୮୮ ହଜାର (୫୨.୮୬ଧ) ଭୋଟ ପାଇଥିଲା ବେଳେ ରାଜକିଶୋରଙ୍କ ଖାତାକୁ ଯାଇଛି ୪୬,୫୦୭(୨୭.୯୪ଧ) ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ସପକ୍ଷରେ ପଡ଼ିଛି ୨୮ ହଜାର ୭୫୦ (୧୭.୨୭ଧ) ଭୋଟ୍ । ଏଠାରେ ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ୧୧୦୯ ଟି ଭୋଟ ପାଇଥିଲା ବେଳେ ୫ ସ୍ୱାଧୀନ ପ୍ରାର୍ଥୀଙ୍କୁ ପ୍ରାୟ ଦୁଇ ଶହରୁ ୫ ଶହ ମଧ୍ୟରେ ଭୋଟ ମିଳିଛି । ଏଠାରେ ୭୮୩ ଭୋଟରଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ପସନ୍ଦ ଆସିନାହାନ୍ତି । ସେମାନେ ‘ନୋଟା’ରେ ଭୋଟ୍ ଦେଇଛନ୍ତି ।
ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯାଇଥିଲା । କରୋନା କଟକଣା କାରଣରୁ ଦୁଇ ଆସନରେ ଅଧିକ ବୁଥ୍ ଖୋଲିଥିଲା । ତେଣୁ ଭୋଟ ଗଣତି ମଧ୍ୟ ବିଳମ୍ବ ହୋଇଥିଲା । ରାତି ୯ଟା ବେଳକୁ ଚୂଡ଼ାନ୍ତ ଫଳାଫଳ ଜଣାପଡ଼ିଛି । ଭୋଟ ଫଳ ଜାଣିବାକୁ ତିନି ଦଳର ସମର୍ଥକ ମଧ୍ୟ ଗଣତି କେନ୍ଦ୍ର ବାହାରେ ଭିଡ଼ ଲଗାଇଥିଲେ । କରୋନା କଟକଣାରେ ଭୋଟ ଗଣତି କରାଯାଇଥିଲା । ଭୋଟ ଗଣତି କେନ୍ଦ୍ରରେ ସମସ୍ତ କର୍ମଚାରୀ ଓ ଏଜେଣ୍ଟଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।
ଉଲ୍ଳେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଷ୍ଣୁଚରଣ ଦାସ ବିଜୟୀ ହୋଇଥିଲା ବେଳେ ବାଲେଶ୍ୱରରୁ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ । ଏ ଦୁଇ ବିଧାୟକଙ୍କ ପରଲୋକ ପରେ ଉପନିର୍ବାଚନ ଅନୁÂିତ ହୋଇଥିଲା । ବାଲେଶ୍ୱରରେ ବିଜେପି ସ୍ୱର୍ଗତ ଦତ୍ତଙ୍କ ପୁଅ ଏବଂ ତିର୍ତ୍ତୋଲରେ ବିଜେଡି ସ୍ୱର୍ଗତ ଦାସଙ୍କ ପୁଅଙ୍କୁ ଟିକେଟ୍ ଦେଇଥିଲା । ଅନୁକମ୍ପା ଭୋଟ ହାତେଇବାକୁ ଦୁଇ ଦଳ ଉଦ୍ୟମ କରିଥିଲେ ମଧ୍ୟ ବିଜେପି ଫେଲ୍ ମାରିଛି । ବାଲେଶ୍ୱରରେ ବିଜେଡି ନୂଆମୁହଁକୁ ଧରି ଭୋଟ ବୈତରଣୀ ପାର୍ ହୋଇଛି । ନବୀନଙ୍କ ଭାବମୂର୍ତ୍ତି ସହ ବିକାଶର ପ୍ରତିଶ୍ରୁତି ସପକ୍ଷରେ ଭୋଟର ମତ ଦେଇଛନ୍ତି । କଂଗ୍ରେସ କିନ୍ତୁ ଦୁଇଟି ଯାକ ଆସନରେ ନିରାଶାଜନକ ଫଳ ପ୍ରଦର୍ଶନ କରିଛି ।
ଫଳାଫଳ ଆସିବା ପରେ ବିଜେଡିର ଦୁଇ ବିଜେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ମଡେଲକୁ କାର୍ଯ୍ୟକାରୀ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।


Comments are closed, but trackbacks and pingbacks are open.