ଯାଜପୁର ରୋଡ୍ରୁ ଧରା ପଡ଼ିଲା ବ୍ରାଉନସୁଗାର:୩ ଏଜେଣ୍ଟ ଗିରଫ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ): ଦୀର୍ଘ ୧ବର୍ଷର ବ୍ୟବଧାନରେ ପୁଣି ଥରେ ଯାଜପୁର ରୋଡ୍ରୁ ବ୍ରାଉନସୁଗାର ଧରା ପଡ଼ିଛି । ବାଲେଶ୍ୱରରୁ ଯାଜପୁର ରୋଡ୍କୁ ଲମ୍ବିଥିବା ଏହି ବ୍ରାଉନସୁଗାର ବ୍ୟବସାୟର ଚେରକୁ ଯାଜପୁର ଅବକାରୀ ବିଭାଗର ଠାବ କରିଛି । ଆଜି ଯାଜପୁର ରୋଡ୍ର ଚୁନଭାଟି ନିକଟରେ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ଚଢ଼ଉ କରି ୩୧ଗ୍ରାମ ବ୍ରାଉନସୁଗାର ସହିତ ୩ଜଣ ଏଜେଣ୍ଟଙ୍କୁ କାବୁ କରିବାରେ ସଫଳ ହୋଇଛି । ବ୍ରାଉନସୁଗାର ବେପାର କରୁଥିବା ଯାଜପୁର ରୋଡ୍ ଥାନା ପଦ୍ମପୁରର ଅଜୁ ଦାସ ଓରଫ ଅଜୁ(୩୫), ଦଳାର ମନୋଜ କୁମାର ଦାସ ଓରଫ ମନୁଆ(୪୭) ଏବଂ ଚୁନଭାଟିର ନାରାୟଣ ଦାସଙ୍କ ବିରୋଧରେ କେସ୍ ନଂ. ୨୦/୨୦ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନିସ୍ପେକ୍ଟର ସ୍ୱପ୍ନାରାଣୀ ସାହୁ ସୂଚନା ଦେଇଛନ୍ତି ।
ଅବକାରୀ ବିଭାଗର ସୂଚନା ମୁତାବକ, ବାଲେଶ୍ୱରରୁ ଭାୟା ଯାଜପୁର ରୋଡ୍ ହୋଇ ରୀତିମତ ବ୍ରାଉନସୁଗାର ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବାର ଖବର ମିଳିଥିଲା । ସେଥିପାଇଁ ଯାଜପୁର ଜିଲ୍ଲାରେ ନୂତନ ଅବକାରୀ ଅଧିକ୍ଷକ ଭାବେ ଯୋଗ ଦେଇଥିବା ଦେବୀ ପ୍ରସନ୍ନ ଦାସ ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖିଥିଲେ । ସୋମବାର ଦିନ ଯାଜପୁର ରୋଡ୍ରେ ଏକ ବଡ଼ଧରଣର ବ୍ରାଉନସୁଗାର ଡିଲ୍ ହେବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ଦାସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଅବକାରୀ ଇନିସ୍ପେକ୍ଟର ଶ୍ରୀମତୀ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଯାଜପୁର ରୋଡ୍ରେ ଡେ଼ରା ପକାଇ ଥିଲା । ମଙ୍ଗଳବାର ଭୋର୍ ସମୟରେ ଚୁନଭାଟିରେ ବ୍ରାଉନସୁଗାର ଡିଲ୍ ଚାଲିଥିଲା । ପୂର୍ବରୁ ଚୁନଭାଟିରେ ଲୁଚି ରହିଥିବା ଅବକାରୀ ଇନିସ୍ପେକ୍ଟର ଶ୍ରୀମତୀ ସାହୁ ଅତର୍କିତ ଭାବେ ସେମାନଙ୍କ ଉପରେ ଚଢ଼ଉ କରିଥିଲେ । ଡିଲ୍ରେ ସାମିଲ ଥିବା ୩ଜଣକୁ କାବୁ କରାଯିବା ସହିତ ସେମାନଙ୍କ ଠାରୁ ୩୧ଗ୍ରାମ ଯାହାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲା । ଏଥିସହିତ ବ୍ରାଉନସୁଗାର ବ୍ୟବସାୟରେ ବ୍ୟବହାର କରାଯାଉଥିବା ଏକ ଲାଲ ରଙ୍ଗର ଇଣ୍ଡିଗୋ କାର(ଓଆର୍୦୯ଏଚ୍ ୦୨୨୨)କୁ ଜବତ କରାଯାଇଥିଲା । ଅବକାରୀ ବିଭାଗ ସ୍କ୍ୱାର୍ଡ ଧରିଥିବା ୩ଜଣଙ୍କୁ ଯାଜପୁର ଟାଉନ ନେଇଯାଇଥିଲା । ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚୁରା କରାଯାଇଥିଲା । ଅଜୁ ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ସାଜିଥିବା ବେଳେ ମନୋଜ ଏବଂ ନାରାୟଣ ତାକୁ ସହଯୋଗ କରୁଥିଲେ । ବିଶେଷ କରି ମନୋଜର ଇଣ୍ଡିକୋ ଗାଡ଼ିରେ ବ୍ରାଉନସୁଗାର ବାଲେଶ୍ୱରରୁ ଅଣାଯାଉଥିବା ଅବକାରୀ ବିଭାଗ ସୂଚନା ପାଇଛି । ଯାହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons