ଟ୍ରକ୍ ଧକ୍କାରେ କାର୍ ଚୂର୍ମାର: ୩ ମୃତ, ଦୁଇ ଗୁରୁତର

Get real time updates directly on you device, subscribe now.

କଣିହାଁ,୧୩ା୭(ଆପ୍ର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନା ଇଲାକା ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ ୫ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ତିନି ଜଣ କାରଯାତ୍ରୀଙ୍କ ଜୀବନ ଦୀପ ଅକାଳରେ ଲିଭି ଯାଇଛି । ଦୁଇ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାର୍ଟି ରାଉରକେଲା ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଏକ ଆଇରନ୍ ବୋଝେଇ ଟ୍ରକ୍ ଧକ୍କା ଦେଇ ଖସି ଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି । ସମଲ ପୁଲିସ ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରିଛି । ମୃତକମାନେ ହେଲେ ଭୂପେଶ ସାହୁ (୨୫), ଧନୁର୍ଜୟ ନାୟକ (୨୪) ଓ କ୍ରିଷ୍ଣା କୁମାର ସାହୁ (୨୭) । ଦୁଇ ଗୁରୁତର ଆହତ ସାଗର ବାରିକ ଓ ବିକାଶ କୁମାର ମଙ୍ଗରାଜ । ସମସ୍ତ ମୃତାହତଙ୍କ ଘର ରାଉରକେଲା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆଠାରେ ଏକ ବିବାହ ଉତ୍ସବରେ ଯୋଗଦେଇ ରାଉରକେଲା ଅଭିମୁଖେ ଏମାନେ କାର୍ରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ କଳାରଙ୍ଗର ଏହି ସୁଇଫ୍ଟ୍ କାର୍ (ଓଡ଼ି୧୪ଏଚ୍-୩୪୫୩)ରେ ଉପରୋକ୍ତ ୫ ଜଣ ଯାକ ରାଉରକେଲା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଟ୍ରକ୍ଟି ଫେରାର ହୋଇ ଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ଭୋର୍ ସମୟରେ ସ୍ଥାନୀୟ ଲୋକ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଜଣେ ରାସ୍ତାରେ ଛିଟିକି ମରି ପଡ଼ିଥିବା ବେଳେ ଅନ୍ୟମାନେ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ସମଲ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କାର୍ ଭିତରୁ ମୃତାହତଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଆହତ ସାଗର ଓ ବିକାଶଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons