ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ୍ ଘଟଣା ବଢ଼ିବାରେ ଲାଗିଛି। ଆଜି ପୁଣି ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା।
ସୂଚନା ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ କାରାଗାଁର ମକା ବ୍ୟବସାୟୀ ବିରଞ୍ଚିଙ୍କ ନିକଟରେ କାମ କରୁଥିବା ଦୀପକ ଚୌଧୁରୀ ଉମରକୋଟ ଆନ୍ଧ୍ର ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରିବା ବାଟରେ ଧଡ୍ରା ଗାଁରେ କିଛି ଜିନିଷପତ୍ର କିଣି ଘରକୁ ଯିବା ପାଇଁ ଅଟକିଥିଲେ ।
ଏକ ଦୋକାନ ସମ୍ମୁଖରେ ବାଇକ୍ ରଖି ଜିନିଷ ପତ୍ର କିଣିବା ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍ ରଖି ଦୋକାନକୁ ଯାଇ କିଛି ଜିନିଷ କିଣିବା ଭଳି ବାହାନା କରି ଦୋକାନୀଙ୍କ ସମ୍ମୁଖରେ ଛିଡା ହୋଇଥିଲେ । ଏହାପରେ ରାସ୍ତା ଅରପଟେ ଜଗି ରହିଥିବା ଚତୁର୍ଥ ଦୁର୍ବୃତ୍ତ ଜଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲା। ଏହିସବୁ ଘଟଣା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ଏହି ଘଟଣା ପରେ ଦୀପକ ଚୌଧୁରୀ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ସିସିଟିଭି ଫୁଟେଜ ସହାୟତାରେ ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.