ବାଲି ଚାଲାଣ ନେଇ ଜିଲ୍ଲା ଉଠିଲା ପଡ଼ିଲା

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ): ବାଲି ଚୋରାଚାଲାଣ ଅଭିଯୋଗରେ ୧୧ଟି ଟିପ୍ପର ଜବତ କରାଯାଇଛି । ଏ ସଂପର୍କରେ ଟାଉନ୍ ଥାନାରେ ଲଘୁଖଣିଜପଦାର୍ଥ ଚୋରା ଚାଲାଣ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ତାରିକ ଅହମ୍ମଦ କହିଛନ୍ତି । ଅନ୍ୟପକ୍ଷରେ ବାଲି ଚାଲାଣକୁ ନେଇ ଆଜି ଜିଲ୍ଲା ଉଠିଛି ପଡିଛି । ଟ୍ରାକ୍ଟର ମାଲିକ ସଂଘର ୨ଟି ବାଲି ଟ୍ରାକ୍ଟରରୁ ତହସିଲ ଜରିମାନା ଆଦାୟ କରିବା ଘଟଣାକୁ ନେଇ ଲାଗି ରହିଛି ଉତ୍ତେଜନା । ମଙ୍ଗଳବାର ରାତି ୮ଟାରୁ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରହିଛି ।
ଅନ୍ୟପକ୍ଷରେ ରାତି ପାହିଲା ବେଳକୁ ଜିଲ୍ଲାରୁ ବାଲି ଚାଲାଣ କରୁଥିବା ୧୧ଟି ଟିପ୍ପରକୁ ଧରି ଟ୍ରାକ୍ଟର ମାଲିକ ସଂଘ ପୁଲିସ୍ର ଜିମା ଦେଇଥିଲା । ଏହାପରେ କଂଗ୍ରେସ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ସେସବୁ ଟିପ୍ପର ମାଲିକଙ୍କ ବିରୋଧରେ ବାଲି ଚୋରି ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ । ୧୨ ସିଏମ୍ ବଦଳରେ ୧୮ରୁ ୨୦ ସିଏମ୍ ବାଲି ଚାଲାଣ ହେଉଥିବା ଅଭିଯୋଗ କରିଥିଲେ । ପ୍ରତିଦିନ ୧୦୦ଟି କରି ମାସକରେ ୩ ହଜାର ଟିପ୍ପର ବାଲି ଚୋରା ଚାଲାଣ ହେଉଥିବା ଏତଲାରେ ଦର୍ଶାଇଥିଲେ । ଜିଲ୍ଲାରେ ବାଲି ଚୋରାଚାଲାଣ ପ୍ରସଙ୍ଗକୁ ନେଇ ସହରର ଟ୍ରାକ୍ଟର ମାଲିକ ସଂଘ ପରେ କଂଗ୍ରେସ ପୂରା ବାଲି ସମେତ ଭୂସଂପଦର ସୁରକ୍ଷାକୁ ବଡ଼ ପ୍ରସଙ୍ଗ କରି ଲଢେ଼ଇ କରିବାକୁ ଗୋଡ଼ କାଢିଛି । କୋଷାଗୁମୁଡା ବ୍ଲକର ଇନ୍ଦ୍ରାବତୀ ଏବଂ ଭାସ୍କେଲ ନଦୀ ଅବବାହିକାରେ ଥିବା ଅନେକ ସୈରାତରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ କରି କୋଷାଗୁମୁଡାଠାରେ ସର୍ବଦଳୀୟ ବୈଠକ ବସିଥିଲା । ଆଗାମୀ ଦିନରେ ଏକ କମିଟି ଗଢ଼ାଯାଇ ବାଲି ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ନିଆଯାଇଛି ।
ଆଜି ଦିନତମାମ୍ ବାଲି ପ୍ରସଙ୍ଗକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ରହିଥିଲା । ମଙ୍ଗଳବାର ଦିନ ନବରଙ୍ଗପୁର ତହସିଲ ପକ୍ଷରୁ ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମନା ପକାଯାଇଥିଲା । ଏହାକୁ ବିରୋଧ କରି ମଙ୍ଗବାର ରାତି ୮ଟାରୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଟ୍ରାକ୍ଟର ମାଲିକ ସଂଘ ଘେରିଥିଲା । ରାତି ୧୧ଟା ଯାଏଁ ଆଲୋଚନା ପରେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ୧୧ଟି ବାଲି ବୋଝେଇ ଟିପ୍ପରକୁ ଅଟକ ରଖାଯାଇ ପୁଲିସ୍ ଜିମା ଦିଆଯାଇଥିଲା । ଟ୍ରାକ୍ଟର ମାଲିକ ସଂଘ ଅଭିଯୋଗ କରିଛି ଯେ, ୧୨ ସିଏମ୍ ବାଲି ପାଇଁ ରୟାଲଟି କାଟି ଟିପ୍ପର ମାଲିକମାନେ ୧୫ରୁ ୧୮ ସିଏମ୍ ବାଲି ଚାଲାଣ କରୁଛନ୍ତି । ସେମାନେ ରୟାଲ୍ଟି କାଗଜପତ୍ରକୁ ଟାମ୍ପରିଂ କରୁଛନ୍ତି । ସଂଘର ସଭାପତି କାହ୍ନୁ ଦାସ ଅଭିଯୋଗ କରଛନ୍ତି ଯେ, ରୟାଲଟି ରସିଦରେ ଜିଲ୍ଲାର ତହସିଲଦାର କିଭଳି ଅନ୍ୟ ଜିଲ୍ଲାର ତହସିଲ ଅଞ୍ଚଳକୁ ଚାଲାଣ ପାଇ ଅନୁମତି ଦେଉଛନ୍ତି । ବାହାର ରାଜ୍ୟକୁ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ବେଳେ ତହସିଲ ପ୍ରଶାସନ ନିରବ ରହୁଛି ଏବଂ ଓଲଟା ବାଲି ମାଫିଆଙ୍କୁ ସହଯୋଗ କରୁଛି । କିନ୍ତୁ ଗରିବ ହିତାଧିକାରୀଙ୍କ ଆବାସ ଘର ଲାଗି ବାଲି ଯୋଗାଉଥିବା ଟ୍ରାକ୍ଟର ଉପରୁ ଜରିମନା ଆଦାୟ କରାଯାଉଛି । ନବରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରୟାଲଟି କାଟିବା ପାଇଁ ଏକ କାଉଣ୍ଟର ଖୋଲାଯାଉ । ବାଲିର ସରକାରୀ ନିର୍ଦ୍ଧାରିତ ଦର ସିଏମ୍ ପିଛା ୩୫ ଟଙ୍କାରେ ଟ୍ରାକ୍ଟର ମାଲିକଙ୍କୁ ଦିଆଯିବା ଦାବିରେ ଟ୍ରାକ୍ଟର ମାଲିକ ସଂଘର ଧାରଣା ଜାରି ରହିଛି । ଏଥିରେ ସଭାପତି ଶ୍ରୀ ଦାସଙ୍କ ସମେତ ଲାଲୁ ତ୍ରିପାଠୀ, ଗୌରୀ ମାଝୀ ଏବଂ ବହୁ ନେତା ସାମିଲ ହୋଇଛନ୍ତି ।
ଟିପ୍ପର ମାଲିକ ସରୋଜ ରଞ୍ଜନ ସାହୁ, ଜଗଦୀଶ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ନିକଟରେ ରୟାଲଟିର ସମେତ ଆବଶ୍ୟକ କାଗଜପତ୍ର ରହିଛି । ଅଯଥାରେ ସେମାନଙ୍କ ଟିପ୍ପର ଅଟକ ରଖାଯାଇ ହଇରାଣ କରାଯାଉଛି । ଟାଉନ୍ ଥାନା ଅଧିକାରୀ ଶ୍ରୀ ଅହମ୍ମଦ କହିଛନ୍ତି, କୌଣସି ଟିପ୍ପର ମାଲିକଙ୍କ ପାଖରେ କାଗଜପତ୍ର ନାହିଁ । ଏଥିଯୋଗୁ ସେଗୁଡ଼ିକୁ ଜବତ କରାଯାଇ ମାମଲା ରଜୁ କରାଯାଇଛି । ଟ୍ରାକ୍ଟର ମାଲିକ ସଂଘର ଧାରଣାକୁ ନେଇ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ତହସିଲ କାର୍ଯ୍ୟାଳୟରେ ରୟାଲଟି କାଉଣ୍ଟର ଖୋଲିବାକୁ ଟ୍ରାକ୍ଟର ମାଲିକ ସଂଘ ଯେଉଁ ଦାବି କରିଛି, ତାହା ସମ୍ଭବ ନୁହେଁ । ସରକାରଙ୍କ ଏଭଳି କୌଣସି ନିୟମ ନାହିଁ । କେବଳ ବାଲି ସୈରାତ ଲିଜ୍ ପାଇଥିବା ଠିକାଦାରଙ୍କଠାରୁ ହିଁ ରୟାଲଟି ରସିଦ ମିଳିବ । ହେଲେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଅଡ଼ି ବସିଛି ଟ୍ରାକ୍ଟର ମାଲିକ ସଂଘ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons