ବଲାଙ୍ଗିର,(ବି.ବି.ନୁ୍ୟଜ): ଦଶନ୍ଧି ଧରି ମନ ଭିତରେ କୁହୁଳୁଥିବା ଶତ୍ରୁତା ସୁଝାଇବା ପାଇଁ ପରିବାରର ୬ ଜଣଙ୍କୁ ନିପାତ କରିଦେଲେ । ଶତ୍ରୁକୁ ମାରିବା ପରେ ସେମାନଙ୍କ ଛୋଟଛୋଟ ନିରୀହ ଶିଶୁଙ୍କୁ ବି ଛାଡ଼ିଲେନି । ଗୋଟିଗୋଟି କରି ସମସ୍ତଙ୍କୁ ବୀଭତ୍ସ ଭାବରେ ହତ୍ୟା କଲେ । ନିଜ ଆଖି ସାମ୍ନାରେ ବାପା-ମା’ଙ୍କୁ ହତ୍ୟା କରାଯାଉଥିବା ଦୃଶ୍ୟ ଦେଖିବା ପରେ ହୁଏତ ସେହି ଶୁଶୁମାନେ ବଡ଼ ହେଲେ ପୁଣି କାଳେ ପ୍ରତିଶୋଧ ନେବେ, ସେଇଥିପାଇଁ ସମୂଳେ ନାଶ କରିବାକୁ ହତ୍ୟାକାରୀମାନେ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲେ ।
ପାଟଣାଗଡ଼ ସଅଁରାପଡ଼ା ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିବା ପରେ ପୁଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହତ୍ୟାକାରୀମାନେ । ଏଭଳି ନାରକୀୟ କାଣ୍ଡର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭିଆଇବା ପଛରେ ୩ଟି ପରିବାରର ୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପାଟଣାଗଡ଼ ସଅଁରାପଡ଼ାର ବାବୁଲାଲ ଜାନୀ(୫୫), ଭୋଳା ଜାନୀ(୨୦), ଶିବା ଜାନୀ(୧୯), ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଦେଓଳକଣା ଗାଁର ଛାୟା ଗଣ୍ଡ(୨୬), ବଳଦେବ ଗଣ୍ଡ(୨୭), ମନୀଷ ଗଣ୍ଡ(୨୪), ବିକଳ କଏରୀ(୨୦)ଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ନୂଆପଡ଼ା ଜିଲ୍ଲା ଗଙ୍ଗୱା ମାଝୀ ଓ ତାର ପୁଅ ଦେବରାଜ ଫେରାର ରହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ କହିବା ଅନୁସାରେ, ବୁଲୁ ଜାନୀକୁ ହତ୍ୟା କରିବା ପାଇଁ ସେମାନେ ଦୀର୍ଘଦିନରୁ ଯୋଜନା କରୁଥିଲେ । କିନ୍ତୁ ସବୁ ଯୋଜନା ବିଫଳ ହେଉଥିଲା । ବୁଲୁର ୮ ପୁଅ ମଧ୍ୟରୁ ୫ ଜଣ ବଡ଼ ହୋଇଯାଇଥିବାରୁ ସେମାନଙ୍କ ବାହୁବଳ ଅଧିକ ଥିଲା । ଯେଉଁଥିପାଇଁ ସେମାନଙ୍କୁ ଆକ୍ରମଣ କରିବା ସମ୍ଭବ ହେଉ ନ ଥିଲା । ଗତ ୨୦୧୮ ମସିହାରେ ବୁଲୁର ବଡ଼ ପୁଅ ସଂଗ୍ରାମର ହତ୍ୟା ପରେ ବୁଲୁର ଶକ୍ତି କିଛି ମାତ୍ରାରେ ହ୍ରାସ ପାଇଥିଲା । ପରେ ବୁଲୁର ଅନ୍ୟ ୫ ପୁଅ ବେପାର ପାଇଁ ଭୁବନେଶ୍ୱର ଚାଲିଯାଇଥିଲେ । ବୁଲୁ କେବଳ ନିଜର ଛୋଟ ଦୁଇ ପୁଅ, ଗୋଟିଏ ଝିଅ ଓ ନାତୁଣୀ ସହ ଏଠାରେ ରହୁଥିଲା । ତେଣୁ ଏହାର ସୁଯୋଗ ନେଇ ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ।
ବୁଲୁ ସହିତ ଶତ୍ରୁତା ଥିବା ୩ଟି ପରିବାର ମଧ୍ୟରେ ପାଟଣାଗଡ଼ର ଜାନୀ ପରିବାର, ନବରଙ୍ଗପୁର ଜିଲ୍ଲା ଝରିଗାଁର ଗଣ୍ଡ(ମାଝୀ) ପରିବାର ଏବଂ ପାଟଣାଗଡ଼ରୁ ଯାଇ ନୂଆପଡ଼ା ଜିଲ୍ଲା ସିନାପାଲି ନିକଟସ୍ଥ ନୀଲଜିଠାରେ ରହୁଥିବା ମାଝୀ ପରିବାର ରହିଛନ୍ତି । ସମସ୍ତଙ୍କ ସହିତ ବୁଲୁର ଶତ୍ରୁତାର କାରଣ ଭିନ୍ନଭିନ୍ନ । ପାଟଣାଗଡ଼ର ଜାନୀ ପରିବାର ସହ ନାମକରଣ ଏବଂ ମହିଳାଙ୍କୁ ଦୁର୍ବ୍ୟବହାର ଭଳି ଘଟଣାକୁ ନେଇ ବିବାଦ ରହିଥିଲା । ସେହିଭଳି ଝରିଗାଁର ଗଣ୍ଡ ପରିବାର ଜାନୀ ଏବଂ ଗଙ୍ଗୱା ପରିବାରର ଘନିÂ ଥିବାରୁ ତାଙ୍କ ସହିତ ମଧ୍ୟ ବୁଲୁ ଜାନୀର ପାରିବାରିକ ବିବାଦ ଲାଗି ରହିଥିଲା । ଅପରପକ୍ଷେ ଗଙ୍ଗୱାର ଶତ୍ରୁତା ପଛରେ ଅନେକ କାରଣ ଥିଲେ ହେଁ ପ୍ରେମ ସମ୍ପର୍କ ହିଁ ମୁଖ୍ୟ ଥିଲା । ଗଙ୍ଗୱାର ଭଉଣୀ ଏବଂ ବୁଲୁ ଜାନୀଙ୍କ ଦ୍ୱିତୀୟ ପୁଅ ବିକାଶ ମଧ୍ୟରେ ଏକଦା ପ୍ରେମ ସମ୍ପର୍କ ରହିଥିଲା । ବୁଲୁର ପରିବାର ତାହାକୁ ପସନ୍ଦ କରୁଥିବା ବେଳେ ଏହାକୁ ଗଙ୍ଗୱା ମାଝୀ ନାପସନ୍ଦ କରୁଥିଲା । ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା । ସେହି ରାଗ ହିଁ ଏକ ପ୍ରତିଶୋଧର ବହ୍ନି ସୃଷ୍ଟି କରିଥିଲା । ଶେଷରେ ପ୍ରତିଶୋଧ ନେବାକୁ ଗତ ଅକ୍ଟୋବର ମାସରେ ବାବୁଲାଲ ଜାନୀ ଏହି ତିନି ପରିବାରକୁ ଏକତ୍ର କରି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ । ଗତ ୮ତାରିଖରେ ବୁଲୁ ଜାନୀ ଘରେ ଥିବା ନେଇ ଖବର ପାଇବା ପରେ ୧୦ ତାରିଖରେ ଗାଙ୍ଗୁଆ ମାଝୀ, ଦେବରାଜ ମାଝୀ, ସମ୍ପର୍କୀୟ ମନୀଷ ଗଣ୍ଡ, ଛାୟା ଗଣ୍ଡ, ବଳଦେବ ଗଣ୍ଡ ଏବଂ ବିକଳ ଗଣ୍ଡ ଦୁଇଟି ମୋପେଡ ଏବଂ ଦୁଇଟି ବାଇକ୍ରେ ବଲାଙ୍ଗିର ଅଭିମୁଖେ ବାହାରି ରାତି ୮ଟାରେ ପାଟଣାଗଡ଼ରେ ପହଞ୍ଚିଥିଲେ । ପରେ ଘର ନିକଟସ୍ଥ ଏକ ଜଳାଶୟରେ ଲୁଚି ବସି ହତ୍ୟାକାଣ୍ଡର ପ୍ରସ୍ତୁତି କରିଥିଲେ । ମଧ୍ୟରାତ୍ରିରେ ବୁଲୁ ପରିସ୍ରା କରିବାକୁ ଘର ଭିତରୁ ବାହାରକୁ ଆସିଥିବା ବେଳେ ବାହାରେ ଲୁଚି ରହିଥିବା ଗଙ୍ଗୁଆ ପ୍ରଥମେ ଗୁଳି କରିଥିଲା । କିନ୍ତୁ ଗୁଳି ନ ବାଜିବାରୁ ବୁଲୁ ଖସିଯାଇ ଘର ଭିତରେ ପଶିଯାଇଥିଲା । ସେହି ସମୟରେ ଅନ୍ୟ ସହଯୋଗୀମାନେ ଘର ଭିତରକୁ ପଶି ଅନ୍ୟାନ୍ୟ ମାରଣାସ୍ତ୍ରରେ ଅନ୍ୟମାନଙ୍କୁ ହତ୍ୟା କରିଥିଲେ । ଶେଷରେ ସେମାନଙ୍କୁ ପୋଡ଼ିଦେବାକୁ ସେମାନେ ପେଟ୍ରୋଲ୍ର ମଧ୍ୟ ବ୍ୟବହାର କରିଥିଲେ । କିନ୍ତୁ ପର୍ଯ୍ୟାପ୍ତ ଇନ୍ଧନ ନ ପାଇବାରୁ ତାହା ମଧ୍ୟ ବିଫଳ ହୋଇଥିଲା । ଶେଷରେ ମାରଣାସ୍ତ୍ରରେ ଜଣଜଣ କରି ହତ୍ୟା କରିଥିଲେ । ହତ୍ୟା ପରେ ସେମାନେ ଧରାପଡ଼ିଯିବା ଭୟରେ ସେମାନେ ସମସ୍ତ ମାରଣାସ୍ତ୍ରଗୁଡ଼ିକ ଜଳାଶୟ ନିକଟରେ ଲୁଚାଇ ଦେଇଥିଲେ ବୋଲି ଅଭିଯୁକ୍ତମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଜିଲ୍ଲା ପୁଲିସ ପକ୍ଷରୁ ପାଟଣାଗଡ଼ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମଡ଼କର ସନ୍ଦୀପ ସମ୍ପତ ଏନେଇ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଡିସ୍ନାଲ ଏସ୍ପି ମନୋରଞ୍ଜନ ପଧାନ, ପାଟଣାଗଡ଼ ଏସ୍ଡିପିଓ ସୁରେଶ ନାଏକ, ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାୟ ପ୍ରମୁଖ ଉପସ୍ଥି ଥିଲେ । ବଲାଙ୍ଗିର ପୁଲିସ ୭ ଦିନ ମଧ୍ୟରେ ମାମଲାର ମୂଳକୁ ଯାଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବାରୁ ଏସ୍ପି ଶ୍ରୀ ସନ୍ଦୀପ ସମ୍ପତ ଆଡ଼ିସ୍ନାଲ ଏସ୍ପି ଶ୍ରୀ ପଧାନଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହିତ ଶ୍ରୀ ସମ୍ପତ୍ କ୍ରାଇମ୍ବ୍ରାଞ୍ଜ୍ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିଆଇଜି କବିତା ଜଲାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।


Comments are closed, but trackbacks and pingbacks are open.