କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ଥାନା ଶୁଆକାଟି ଶିବ ମନ୍ଦିର ନିକଟସ୍ଥ ଏକ ତେଜରାତି ଦୋକାନକୁ ବୁଧବାର ଭାରସାମ୍ୟ ହରାଇ ଏକ ଟ୍ରକ୍ ପଶିଯିବାରୁ ଦୋକାନ ମାଲିକ ଏବଂ ଟ୍ରକ ହେଲପରଙ୍କ ମୃତୁ୍ୟ ଘଟିଛି । ସେଲ୍ସମ୍ୟାନ ଏବଂ ଟ୍ରକ ଡ୍ରାଇଭର ଗରୁତର ହୋଇଥିବା ଜଣାପଡିଛି । ମୃତ ଦୋକାନ ମାଲିକ ଜଣକ ସ୍ଥାନୀୟ ଅଞ୍ଚଳର ଦୋଳଗୋବିନ୍ଦ ସାହୁ(୭୨) ଓ ଟ୍ରକ୍ ହେଲପର ଜଣକ ସୋସ ଥାନା ହଦଗଡ ଅଞ୍ଚଳର ବୋଲି ଜଣାପଡିଛି । ସୋସ ଥାନା, ହଦଗଡ ଅଞ୍ଚଳର ଟ୍ରକ୍ ଡ୍ରାଇଭର ଶରତ ନାୟକ(୪୦) ଏବଂ ଶୁଆକାଟି ନିକଟସ୍ଥ ଦଅଁଳା ଗ୍ରାମର ସେଲ୍ସମ୍ୟାନ ମାଛୁ ବେହେରା(୨୩)ଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ତେବେ କ୍ଷତିପୂରଣ ଓ ଭାରୀଯାନ ଚଳାଚଳ କଟକଣା ଦାବିରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଛନ୍ତି ।
ବୁଧବାର ସକାଳ ୧୧ଟା ପାଖାପାଖିରେ (ଓଆର ୦୯ ଏମ ୬୬୧୭) ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଶୁଆକାଟିସ୍ଥିତ ଓଡିଶା ଖଣି ନିଗମ ଅଧିନସ୍ଥ ଗନ୍ଧମାର୍ଦ୍ଧନ ଖଣିର ଜାଗର କଣ୍ଟା ଆଡକୁ ଖଣିଜ ଲୋଡିଂ ପାଇଁ ଯାଉଥିଲା । ଦ୍ରୁତ ଗତିରେ ଶୁଆକାଟି-ଦବୁନା ପୂର୍ତ୍ତ ବିଭାଗ ରାସ୍ତା ଦେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକ୍ଟି ଶୁଆକାଟି ଶିବ ମନ୍ଦିର ନିକଟରେ ଥିବା ଏକ ତେଜରାତି ଦୋକାନ ଭିତରକୁ ପଶିଯାଇଥିଲା । ଦୋକାନରୁ ସଉଦା କିଣୁଥିବା ଲୋକେ ଏଣେ ତେଣେ ଦୌଡି ପଳାଇଥିବାବେଳେ ଦୋକାନ ଭିତରେ ଥିବା ଦୋକାନ ମାଲିକ ଦୋଳଗୋବିନ୍ଦ ଏବଂ ସେଲ୍ସମ୍ୟାନ ମାଛୁ ବାହାରକୁ ଯାଇପାରିନଥିଲେ । ଦୋକାନ ଘରରର କାନ୍ଥକୁ ଧକ୍କା ଦେଇ ଟ୍ରକ୍ଟି ଭିତରକୁ ପଶିଯିବାରୁ ଦୋଳଗୋବିନ୍ଦଙ୍କ ଉପରେ ଘରର କାନ୍ଥ ଏବଂ ଛାତ ଖସିପଡିଥିଲା । କାନ୍ଥତଳେ ଜାକି ହୋଇ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ସେଲ୍ସମ୍ୟାନ ମାଛୁ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିଲେ । ସେହିଭଳି ଟ୍ରକର ସାମନା ପାଖ ଛତୁ ଫୁଟିଯାଇଥିବାବେଳେ ଟ୍ରକ୍ ହେଲପରଙ୍କର ମୃତୁ୍ୟ ଘଟିଥିଲା ଏବଂ ଡ୍ରାଇଭର ଶରତ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଥିବାବେଳେ ଦୋଳଗୋବିନ୍ଦ ଏବଂ ଟ୍ରକ୍ ହେଲପରକୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବା ଡ୍ରାଇଭର ଶରତ ଏବଂ ସେଲ୍ସମ୍ୟାନ ମାଛୁଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଶୁଆକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଦୀର୍ଘଦିନ ହେଲା ଏହି ରାସ୍ତା ଦେଇ ଭାରୀଯାନ ଚଳାଚଳକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିବାବେଳେ ଖଣିଜ ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି । ଏହି ଦୁର୍ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତି ପୂରଣ ଓ ବିକଳ୍ପ ଖଣିଜ ପରିବହନ ରାସ୍ତା ନିର୍ମାଣ ଦାବିରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ମହିଳାମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ । ବାଂଶପାଳ ତହସିଲଦାର ସପନ ସାହୁ, ସଦର ଏସ୍ଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ, ସଦର ଥାନା ଆଇ ଆଇଆସି ଜୟନାରାୟଣ ଖଣ୍ଡେଇ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସ୍ଥାନୀୟ ସରପଞ୍ଚ ତାରାମଣୀ ନାଏକ ଓ ନାଏବ ସରପଞ୍ଚ ପଞ୍ଚାନନ ବାରିକଙ୍କ ଉପସ୍ଥିତିରେ କ୍ଷତିପୂରଣ ଏବଂ ଭାରୀଯାନ ଚଳାଚଳ ନିମନ୍ତେ ବିକଳ୍ପ ରାସ୍ତା ଉପରେ ପଦକ୍ଷେପ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନରେ ରାସ୍ତାରୋକ ହଟିଥିବା ଜଣାପଡିଛି । ଦୋଳଗୋବିନ୍ଦ ଜଣେ ମିଷ୍ଟଭାଷୀ ଏବଂ ମେଳାପୀ ସ୍ୱଭାବର ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ଶୁଆକାଟି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


Comments are closed, but trackbacks and pingbacks are open.