ଜଗତସିଂହପୁର,(ବି.ବି.ନୁ୍ୟଜ): ଜଗତସିଂହପୁର ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଶୁକ୍ରବାର ଦିନ ରେକର୍ଡ ପରିମାଣ ଓ ମୂଲ୍ୟର ବ୍ରାଉନ୍ସୁଗର୍ ଜବତ କରିଛି ଜିଲ୍ଲା ଅବକାରୀ ଟିମ୍ । ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ତିିନି ଶହ ଗ୍ରାମ୍ ବ୍ରାଉନ୍ସୁଗର୍କୁ ଜବତ କରାଯିବା ସହ ନିଶା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ବିଟେକ୍ ଛାତ୍ରକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା ଜଗତସିଂହପୁର ସହର ଉପକଣ୍ଠ ତର୍ତ୍ତଙ୍ଗ ତୋଟାପଡ଼ା ଅଞ୍ଚଳର ପ୍ରଭାତ ରଞ୍ଜନ ମହାପାତ୍ର(୨୯) । ତା’ପାଖରୁ ଗୋଟିଏ ଖେଳଣା ବନ୍ଧୁକ ଓ ପ୍ରାୟ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ୍ (ନଂ. ଓଡି୩୩ଭି୪୪୪୩)କୁ ଅବକାରୀ ବିଭାଗ ଜବତ କରିଛି । ଖେଳଣା ବନ୍ଧୁକଟିକୁ ଜଗତସିଂହପୁର ପୁଲିସକୁ ହସ୍ତାନ୍ତର କରାଯାଇଛି । ବ୍ରାଉନ୍ସୁଗର୍ ବେପାର କରିବା ଅଭିଯୋଗରେ ଗିରଫ ହୋଇଥିବା ବିଟେକ୍ ଛାତ୍ର ପୂର୍ବରୁ ରାଜଧାନୀରେ ଏହି ବେପାର ଚଳାଇଥିବା ଜିଲ୍ଲା ଅବକାରୀ ଟିମ୍ ସ୍କାନର୍କୁ ଆସିଛି । ତେବେ ଭୁବନେଶ୍ୱରରେ ଏହି ଯୁବକଙ୍କ ନାଁରେ କିଛି ଅପରାଧିକ ମାମଲା ରହିଛି କି ନାହିଁ ସେନେଇ ସବିଶେଷ ତଥ୍ୟ ମିଳିନଥିବା ଅବକାରୀ ଇନ୍ସପେକ୍ଟର ପ୍ରତାପ କୁମାର ଦାସ ପ୍ରକାଶ କରିଛନ୍ତି ।
ଶୁକ୍ରବାର ସକାଳୁ ସକାଳୁ ଅବକାରୀ ଟିମ୍ ପକ୍ଷରୁ ତୋଟାପଡ଼ାରେ ଚଢ଼ଉ କରାଯାଇଥିଲା । ଏତିକିବେଳେ ଅଭିଯୁକ୍ତ ପ୍ରଭାତ ନିଜର ଦାମୀ ବାଇକ୍ରେ ଖସିଯିବାକୁ ବସିଥିଲା । ତେବେ ପୂର୍ବ ସୂଚନା ଏବଂ ଅଧିକ କର୍ମଚାରୀଙ୍କ ଘେରାବନ୍ଦୀ ହେତୁ ପ୍ରଭାତ ମୁକୁଳିବା ସମ୍ଭବପର ହୋଇ ନଥିଲା । ତ+ାଳ ପ୍ରଭାତକୁ ଯାଞ୍ଚ୍ କରାଯାଇ ୩୦୦ ଗ୍ରାମ ଓଜନର ବ୍ରାଉନ୍ସୁଗର୍ ଜବତ କରାଯାଇଥିଲା, ଯାହା ଗୋଟିଏ ଜରି ପ୍ୟାକେଟ୍ରେ ସିଲ୍ ହୋଇ ରହିଥିଲା । ଉଚ୍ଚ ଶିକ୍ଷିତ ହୋଇ ସୁଦ୍ଧା କିଛିମାସ ତଳୁ ଏହି ନିଶା ବେପାର ଆରମ୍ଭ କରିଥିଲା ପ୍ରଭାତ । ପ୍ରଥମେ ରାଜଧାନୀରେ ରହି ନେଟୱର୍କ ଚଳାଉଥିଲା । ଗଲା ୪ ମାସ ହେଲାଣି ନିଜ ଗାଁ ତୋଟାପଡ଼ାକୁ ଫେରିଆସି ଏହି ବେପାରର ମୂଳଦୁଆ ପକାଇଥିଲା । ପ୍ରତିଦିନ ରାତି ଏବଂ ଭୋର୍ରୁ ପ୍ରଭାତ ଘରର ବାରି ପଛରେ ଅପରିଚିତ ଯୁବକଙ୍କ ଭିଡ଼ ଜମୁଥିଲା । କିନ୍ତୁ କିଛି ସମୟ ଭିତରେ ଏହି ଯୁବକମାନେ ଉଭାନ ହୋଇ ଯାଇଥାନ୍ତି । ତେଣୁ ବ୍ରାଉନ୍ସୁଗର୍ ଭଳି ଜଘନ୍ୟ ନିଶାର କାରବାର ଏଠାରେ ଚାଲୁଥିବା ଅବକାରୀ ଟିମ୍ର ସନେ୍ଦହ ଭିତରକୁ ଚାଲି ଆସିଥିଲା । ଏଣୁ ଗତ କିଛି ଦିନ ତଳୁ ଏହି ଅଞ୍ଚଳରେ ଜାଲ ବିଛାଇଥିଲା ଟିମ୍ ।
ଗୁପ୍ତ ସୂଚନା ଅନୁସାରେ ଜଳେଶ୍ୱରରୁ ଏହି ବ୍ରାଉନ୍ସୁଗର୍ ଆସୁଥିଲା । ଗିରଫ ପରେ ପ୍ରଭାତ ଏହା ଖୋର୍ଦ୍ଧା ଗୁରୁଜଙ୍ଗରୁ ନିଜେ ଯାଇ ଆଣୁଥିବା ସ୍ୱୀକାର କରିଛି । ସ୍ଥାନୀୟ ଅଞ୍ଚଳ ପରିବର୍ତ୍ତେ ଏସବୁ ବ୍ରାଉନ୍ସୁଗର୍ ସମ୍ୱଲପୁର, ଅନୁଗୁଳକୁ ଚାଲାଣ କରୁଥିବା ପ୍ରଭାତ ଅବକାରୀ ଟିମ୍ ଆଗରେ କହିଛି । ତେବେ ସେଠାରେ ଏହାକୁ ପହଞ୍ଚା ଯାଉନଥିଲା, ଓଲଟା ସେସବୁ ଅଞ୍ଚଳରୁ ବେପାରୀମାନେ ଏଠାକୁ ଆସୁଥିଲେ ବୋଲି ପ୍ରଭାତ କହିଛି । ଅପରପକ୍ଷେ ଗୁଇନ୍ଦା ସୂଚନା ଅନୁସାରେ, ଏଥରକ ୫୦୦ ଗ୍ରାମର ବ୍ରାଉନ୍ସୁଗର୍ ଆଣିଥିଲା ପ୍ରଭାତ । କିନ୍ତୁ ଧରପଗଡ଼ ବେଳେ ତାଙ୍କ ଠାରୁ ୩୦୦ ଗ୍ରାମ ହିଁ ଜବତ ହୋଇପାରିଥିଲା । ଅର୍ଥାତ ଅବଶିଷ୍ଟ ୨୦୦ ଗ୍ରାମ ବିକ୍ରି ହୋଇଥାଇପାରେ କିମ୍ୱା ଅନ୍ୟ କୌଣସି ଜାଗାରେ ଲୁଚାଇ ରଖାଯାଇଥିବା ସନେ୍ଦହ କରାଯାଉଛି । ଏପଟେ ଜବତ ହୋଇଥିବା ବାଇକ୍ଟି ପ୍ରଭାତର ଭଉଣୀଙ୍କ ନାମରେ ରହିଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ଦାସ କହିଛନ୍ତି । ତେଣୁ ଆଗକୁ ପ୍ରଭାତର ଭଉଣୀଙ୍କୁ ସମନ କରାଯାଇ ପଚରାଉଚରା କରାଯିବ । ସେମିତି କିଛି ଲିଙ୍କ୍ ମିଳିଲେ ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର କ୍ରୟ କରିବା ପାଇଁ ଏତେ ଟଙ୍କା ପ୍ରଭାତ ଭଳି ବେକାର୍ ଯୁବକ କେଉଁଠୁ ଆଣିଲା ତାହାକୁ ନେଇ ଅବକାରୀ ଟିମ୍ ଖୋଳତାଡ଼ କରିଛି । କିନ୍ତୁ ମୁହଁ ଚିହ୍ନା ଏବଂ ନିୟମିତ ବେପାରୀ ହୋଇଥିବାରୁ ବାକିରେ ବ୍ରାଉନ୍ସୁଗର ମିଳୁଥିବା ଓ ବିକ୍ରି ପରେ ହିଁ କିସ୍ତି ୱାରୀ ଟଙ୍କା ପଇଠ କରାଯାଉଥିବା ସେ କହିଛି । ଲଗାତର ଭାବେ ଉଚ୍ଚ ଶିକ୍ଷିତ ଯୁବକ ବ୍ରାଉନ୍ସୁଗର୍ ସେବନ କରିବା ସହ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଲାଣି । କାରଣ ନିକଟ ଅତୀତରେ ଜଗତସିଂହପୁରର ଅନ୍ୟ ଜଣେ ବିଟେକ୍ ଛାତ୍ର ବ୍ରାଉନ୍ସୁଗର୍ ଏବଂ ନଗଦ ୨୦ ହଜାରରୁ ଅଧିକ ଟଙ୍କା ସହ ଜିଲ୍ଲା ଅବକାରୀ ଟିମ୍ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲା । ଆଉ ଆଜି ଏହା ଦ୍ୱିତୀୟ ଘଟଣା, ଯେଉଠି ପ୍ରଭାତଙ୍କ ଭଳି ବିଟେକ୍ ଛାତ୍ର ନିଶା ବେପାରରେ ଛନ୍ଦି ହୋଇ ପଡ଼ିଛନ୍ତି । ଅନୁରୂପ ଭାବେ ନାଉଗାଁ, ବାଲିକୁଦା, ପାରାଦୀପରେ ମଧ୍ୟ ବ୍ରାଉନ୍ସୁଗର୍ ବେପାରୀ ଗିରଫ ହୋଇ ସାରିଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ନିଦେ୍ର୍ଧଶ ଏବଂ ସହକାରୀ ଅବକାରୀ ଅଧୀକ୍ଷକ ବୈଜୟନ୍ତୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜିର ଚଢ଼ଉରେ ଇନ୍ସପେକ୍ଟର ଶ୍ରୀ ଦାସ, ଜଗତସିଂହପୁର ଅବକାରୀ ଥାନା ଓଆଇସି ସସ୍ମିତା ହୋତା, ବାଲିକୁଦା ଓଆଇସି ନିଳିମା ସ୍ୱାଇଁ, ଏଏସ୍ଆଇ କଳ୍ପନା ଜେନା, କନ୍ଷ୍ଟେବଳ ପ୍ରକାଶ ରାଉତ, ଚିତ୍ତରଞ୍ଜନ ଦାସ, ସରୋଜ ସାହୁ, ବିଷ୍ଣୁ ଚରଣ ନାୟକ, ସବିତା ନାୟକ, ଦୀନବନ୍ଧୁ ସେଠୀ, ବର୍ଷାରାଣୀ ଖୁଣ୍ଟିଆ, କଲ୍ୟାଣୀ ସେଠୀ, ହିମାଂଶୁ ନାୟକ, ନବଘନ ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.