କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା କୋଟିଆ ପଞ୍ଚାୟତର ଟାଉପଦର ଗାଁରୁ ଶିଶୁକନ୍ୟା ନିଖୋଜ ଘଟଣା ଭିନ୍ନ ମୋଡ଼ ନେଇଛି । ଅସଲ କଥା ହେଲା, ସେ ନିଖୋଜ ନଥିଲା । ବରଂ ତାକୁ ହତ୍ୟା କରାଯାଇ ଜଙ୍ଗଲରେ ପୋତି ଦେଇଥିଲା ତା ବାପା । ଆଜି ପୁଲିସ୍ ଏହି ଘଟଣାର ପର୍ଦ୍ଧାଫାସ କରିଛି । ହତ୍ୟା ମାମଲା ରୁଜୁ କରି ଶିଶୁକନ୍ୟାର ବାପା ତଥା ମୁଖ୍ୟ ଅଭିଯୁକ୍ତ ବାଙ୍ଗାରୁ ପାଙ୍ଗି ଏବଂ ସହଯୋଗୀ ଶ୍ୟାମସୁନ୍ଦର ବିଶ୍ୱାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପକ୍ଷରେ ଫରେନସିକ୍ ଟିମ୍ ପହଞ୍ଚି ଗାଁଠାରୁ ୪କିମି ଦୂର ଭୈରବୀ ମନ୍ଦିର ନିକଟ ଏକ ଗଛତଳୁ ଶିଶୁ ନିଶାରାଣୀ(୬)ର ଶବ ଉଦ୍ଧାର କରିଛି । ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ, ନିଶାରାଣୀକୁ ବଳି ପାଇଁ ହତ୍ୟା କରାଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୪ ତାରିଖରେ ଟାଉପଦର ଗାଁର ନିଶାରାଣୀ ନିଖୋଜ ଥିବା ନେଇ ପଟ୍ଟାଙ୍ଗି ଥାନାରେ ତା ବାପା ବାଙ୍ଗାରୁ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ପୁଲିସ ତନାଘନା କରିଥିଲା । ବାଙ୍ଗାରୁଙ୍କ କଥାରେ ତାଳମେଳ ରହୁନଥିବାରୁ ସନେ୍ଦହ ହୋଇଥିଲା । ପରେ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ପ୍ରାଥମିକ ତଦନ୍ତ ବେଳେ ହିଁ ସେ ଝିଅକୁ ମାରିଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ଘଟଣାସ୍ଥଳରେ ଏସଡିପିଓ ନିରଞ୍ଜନ ବେହେରାଙ୍କ ସମେତ ପଟ୍ଟାଙ୍ଗି ଆଇଆଇସି ବିଜୟରାଜ ମାଝୀ, ଦାମନଯୋଡି ଆଇଆଇସି ସମ୍ବିତ ବେହେରା ଓ ସାଇଣ୍ଟିଫିକ୍ ଟିମ୍ର ଅଧିକାରୀମାନେ ପହଞ୍ଚିଥିଲେ । ଜଙ୍ଗଲର ଏକ ଗଛତଳୁ କ୍ଷତବିକ୍ଷତ ଗଳିତ ଶବ ଉଦ୍ଧାର କରାଯାଇଥିଲା । ଉତ୍ତେଜନା ପ୍ରକାଶ ପାଇବା ପରେ ଏସଡିପିଓ ଶ୍ରୀ ବେହେରା ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ । ଗ୍ରାମବାସୀ ଜିଦ୍ ଧରିଥିଲେ ଯେ, ବଳିପାଇଁ ଶିଶୁକନ୍ୟାକୁ ହତ୍ୟା କରାଯାଇଥିବାରୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ।
ଏ ସଂପର୍କରେ ଆମେ ଏସଡିପିଓ ଶ୍ରୀ ବେହେରାଙ୍କୁ ପଚାରିଥିଲୁ । ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଅଭିଯୁକ୍ତ ବାଙ୍ଗାରୁଙ୍କୁ ପଚରାଉଚରା କରାଯାଉଛି । ସେ( ବାଙ୍ଗାରୁ) କହିଛନ୍ତି ଯେ, ଝିଅ ଦୁଷ୍ଟ ହୋଇ ପଢାପଢି କରୁନଥିଲା । ବିରକ୍ତ ହୋଇ ଚାପୁଡା ମାରିବାରୁ ବେହୋସ ହୋଇ ଯାଇଥିଲା । କିଛି ସମୟ ପରେ ତା’ର ମୃତୁ୍ୟ ହୋଇଥିଲା । ଝିଅର ମୃତୁ୍ୟ ପରେ ବାଙ୍ଗାରୁ ତାଙ୍କ ସାଙ୍ଗ ଶ୍ୟାମସୁନ୍ଦରଙ୍କ ସହାୟତାରେ ଶବକୁ ଏକ ଜରିବସ୍ତାରେ ବାନ୍ଧି ବାଇକ୍ରେ ଭୈରବୀ ମନ୍ଦିର ନିକଟ ଜଙ୍ଗଲକୁ ନେଇ ପୋତି ଦେଇଥିଲେ ବୋଲି ଜେରା ବେଳେ କହିଥିବା ଶ୍ରୀ ବେହେରା କହିଛନ୍ତି ।


Comments are closed, but trackbacks and pingbacks are open.