ମାଲକାନଗିରି,(ବି.ବି.ନୁ୍ୟଜ): ଟାର୍ଗେଟରେ ଥିଲେ ଯବାନ । କିନ୍ତୁ ଶିକାର ହେଲେ ସାଧାରଣ ଲୋକ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ିଯାଇଛି ଗାଡ଼ି । ଗୁରୁତର ଆହତ ହୋଇଛନ୍ତି ୨ଜଣ । ଛତିଶଗଡ ବିଜାପୁର ଜିଲ୍ଲାର ରାଜକୋଟ ଅଞ୍ଚଳରେ ମଙ୍ଗଳବାର ସକାଳେ ଘଟିଛି ଏହି ଅଘଟଣ । ଆହତ ଦୁଇଜଣ ହେଲେ ବାସ୍ତାଗୁଡା ତାରେମ୍ ଅଞ୍ଚଳର ଗାଡି ମାଲିକ ମହମ୍ମଦ ଇକ୍ବାଲ ଅନସାରୀ ଓ ମୋଟର ମେକାନିକ୍ ବଳରାମ ପ୍ରଧାନ । ଦୁହିଁଙ୍କୁ ବାସ୍ତାଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ୍ ଜୋର୍ଦାର କରାଯାଇଛି । ଅଧିକ ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ସନେ୍ଦହ କରାଯାଇ ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଜୋରଦାର୍ କରାଯାଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଥିଲେ ହେଁ ଛତିଶଗଡ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସୂଚନା ଅନୁସାରେ, ବାସ୍ତାଗୁଡା ଥାନା ରାଜକୋଟାରୁ ବୋଲେରୋରେ ଇକବାଲ୍ ଓ ବଳରାମ ଆସୁଥିଲେ । ଏହି ସମୟରେ ରାସ୍ତାରେ ବିସ୍ଫୋରଣ ହୋଇଥିଲା । ଏଥିରେ ଗାଡିଟି ଓଲଟି ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିଲା । ଇକବାଲ୍ ଓ ବଳରାମ ମୃତୁ୍ୟମୁଖରୁ ବଞ୍ଚି ଯାଇଥିଲେ ହେଁ ସାଂଘାତିକଭାବେ ଗୁରୁତର ହୋଇଥିଲେ । ଉଭୟଙ୍କୁ ବାସ୍ତାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗମ୍ଭୀର ଥିବାରୁ ବିଜାପୁର ସ୍ଥାନାନ୍ତର ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ସୂଚନା ପାଇ ସୁରକ୍ଷା କର୍ମୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଞ୍ଚଳରେ କମ୍ବିଂ ବଢାଇ ଦିଆଯାଇଛି । ବୋଲେରୋରେ ଯବାନମାନେ ଯାଉଥିବା ସନେ୍ଦହ କରି ମାଓବାଦୀ ଏହି କାଣ୍ଡ ଘଟାଇଥିବା କୁହାଯାଉଛି ।
Comments are closed, but trackbacks and pingbacks are open.