କୋଣାର୍କ ଉତ୍ସବ ଆରମ୍ଭ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟ): ଶୀତୁଆ ସଂଧ୍ୟାରେ କରୋନା କଟକଣା ମଧ୍ୟରେ ଉଦ୍ଘାଟିତ ହୋଇଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏଥି ସହିତ ଚନ୍ଦ୍ରଭାଗା ବିଚ୍ କାଫେକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କେକ୍ କାଟି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଅର୍କକ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମି ହୋଇଉଠିଛି ଉତ୍ସବମୁଖର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହା ପରେ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ଉନ୍ନୟନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ଏସ୍ପି କେ. ବିଶାଲ ସିଂ ଓ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଶୀତୁଆ ସଂଧ୍ୟାର ପ୍ରଥମ ଚରଣରେ ଭୁବନେଶ୍ୱର ଓଡ଼ିଶା ଡ୍ୟାନ୍ସ ଏକାଡେମୀ ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଶିବ ଆରାଧନା । ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ୍ ଧିମହିକୁ ନିଖୁଣ ଭାବେ ପରଷିଥିଲେ ଶିଳ୍ପୀଗଣ । ଏହାପରେ ଉପସ୍ଥାପିତ ହୋଇଥିଲା ନୃତ୍ୟାଭିନୟ ଏକ ପ୍ରଶ୍ନ । ଦ୍ୱାପର ଯୁଗର ଚାରିଜଣ ନାରୀ ଯଶୋଦା, ରାଧା, ହିଡ଼ିମ୍ବା ଓ ଦ୍ରୌପଦୀଙ୍କ ଅବତାର ପୁରୁଷ କୃଷ୍ଣଙ୍କ ଉଦେ୍ଧଶ୍ୟରେ ଗୋଟିଏ ପ୍ରଶ୍ନକୁ ନେଇ ଜୀବନ ଦର୍ଶନର ଆବେଗକୁ ବାଢ଼ିଥିଲେ ନୃତ୍ୟାଙ୍ଗନା । ଦ୍ୱିତୀୟ ଚରଣରେ ଚେନ୍ନାଇର ଶିଲା ଉନ୍ନିକ୍ରିଷନ ଓ ସାଥୀ ପ୍ରସ୍ତୁତ କରିଥିଲେ ଭାରତନାଟ୍ୟମ୍ ନୃତ୍ୟ । ଆବାହନ, ବର୍ଣ୍ଣସ, ଆଲାରିପୁ ଓ ଶିବ ମଙ୍ଗଳମ୍କୁ ନେଇ ସଂଯୋଜନା ହୋଇଥିଲା ନୃତ୍ୟାଭିନୟ ଶିବାୟ ନମଃ । ଏହି ଦୁଇ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା ।
ଏହି ଅବସରରେ ଚନ୍ଦ୍ରଭାଗାରେ ଅନୁÂିତ ଅନ୍ତର୍ଜାତୀୟ ବାଲୁକା କଳାରେ ପ୍ରତିଯୋଗୀମାନେ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ କୋଭିଡ ସଚେତନତା ସମ୍ପର୍କିତ କଳାକୃତି ପ୍ରଦର୍ଶନ କରିଥିଲେ । ସେହିଭଳି ଉତ୍ସବ ଅବସରରେ ବସନ୍ତ ମଂଜରୀ ପାଠାଗାର, ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କରୁ ଚନ୍ଦ୍ରଭାଗା ଗଣଦୌଡ଼ ଅନୁÂିତ ହୋଇଥିଲା । ରଙ୍ଗମଞ୍ଚରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତୁ୍ୟଞ୍ଜୟ ରଥ ଓ ସଂହତି ପାଣି । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବକୁ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଓଡ଼ିଶୀ ଗବେଷଣା କେନ୍ଦ୍ରର ଡ. ସଂଗୀତା ଗୋସାଇଁ, ସରୋଜକାନ୍ତ ପ୍ରଧାନ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons