ଜଗତସିଂହପୁର,(ବି.ବି.ନୁ୍ୟଜ): କୋଟିପତି ବରିÂ କିରାଣି ସଂଯୁକ୍ତା ଦାସଙ୍କ ଉପରେ ପଞ୍ଝା ମାରିଛି ଭିଜିଲାନ୍ସ ବିଭାଗ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ସଂଯୁକ୍ତା ଚାକିରି କରିଛନ୍ତି । ତେବେ ତାଙ୍କ ଠାରୁ ଆୟ ବର୍ହିଭୂତ ସମ୍ପତି ଠାବ ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି କଟକ ଭିଜିଲାନ୍ସର ଚାରୋଟି ଟିମ୍ ସଂଯୁକ୍ତାଙ୍କ ବିଭିନ୍ନ ଘରେ ପଶିଛି । ଟିକିନିଖି ଦସ୍ତାବିଜ୍କୁ ଖେଳାଇଛି । ଅନେକ ବ୍ୟାଙ୍କ ପାସ୍ ବହି, ପୋଷ୍ଟାଲ ଫିକ୍ସ ଡିପୋଜିଟ୍, ଲକରରେ ଥିବା ସୁନା ଅଳଙ୍କାର, ବୀମା କାଗଜପତ୍ର, ଗାଡ଼ିର କାଗଜପତ୍ର ଆଦି ଠାବ କରିବା ସହ ତିନି ଜାଗାରେ ଥିବା କୋଠାର ମୂଲ୍ୟାୟନ କରିଛି । ପ୍ରାଥମିକ ଅନୁସନ୍ଧାନରେ ଭିଜିଲାନ୍ସ ବିଭାଗ ହାତରେ ଯେତିକି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଲାଗିଛି, ତାହାର ମୂଲ୍ୟ ପାଖାପାଖି ଦେଢ଼ କୋଟି ଧରିଥିବା ଜଣାଯାଇଛି । ଅପରାହ୍ନ ପର୍ଯ୍ୟନ୍ତ ଚଢ଼ଉ ବଳବତ୍ତର ରହିବା ପରେ ଭିଜିଲାନ୍ସ ଟିମ୍ ହାତରେ ବରିÂ କିରାଣି ଶ୍ରୀମତୀ ଦାସ ଓ ତାଙ୍କ ପରିବାର ଲୋକଙ୍କ ନାମରେ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ରେ ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କା ଗଚ୍ଛିତ ରହିଥିବା ଠାବ ହୋଇଥିଲା । ସେହିପରି ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୧ ଲକ୍ଷ ୮୮ ହଜାର ୮୪୮ ଟଙ୍କାର ବୀମା ପଲିସି, ନଗଦ ୬ ହଜାର ଟଙ୍କା, ୨ ଲକ୍ଷ ୭ ହଜାର ଟଙ୍କାର ଘରୋଇ ଆସବାବପତ୍ର, ୯୫ ହଜାର ୭୩୧ ଟଙ୍କା ମୂଲ୍ୟର ଏକ ୟାମାହା ଆରଏକ୍ସ-୧୦୦, ହୋଣ୍ଡା ଆଭିଏଟର, ୬ ଲକ୍ଷ ୨୨ ହଜାର ୩୭୭ ଟଙ୍କାର ମାରୁତି ବାଲେନୋ କାର,୨ ଲକ୍ଷ ୭୨ ହଜାର ୩୪୮ ଟଙ୍କା ମୂଲ୍ୟର ସାତପୁରା ଓ ପାଣିଶାଳିଆରେ ଥିବା ୬ଟି ଜାଗା ସହ ତିନୋଟି ଅଟ୍ଟାଳିକା ରହିଥିବା ଭିଜିଲାନ୍ସ ନଜରକୁ ଆସିଥିଲା । ମୋଟ୍ ଉପରେ ୧ କୋଟି ୪୨ ଲକ୍ଷ ୮ ହଜାର ୮୭୦ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଭିଜିଲାନ୍ସ ସ୍କାନରକୁ ଆସିଥିଲା ।
ସୂଚନା ଥାଉକି ସଂଯୁକ୍ତା କିରାଣି ପଦବିରେ ଥାଇ ଏତେ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି କିଭଳି କମାଇଲେ ସେଦିଗରେ ଭିଜିଲାନ୍ସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । କେବଳ ତିନୋଟି ଟିମ୍ ଜଗତସିଂହପୁରରେ ଡେରା ପକାଇ ସମସ୍ତ ସମ୍ପତ୍ତିର ମୂଲ୍ୟାୟନ କରିଥିବା ବେଳେ ଗୋଟିଏ ଟିମ୍ କଟକର ମହାନଦୀ ବିହାରରେ ଛାନ୍ଭିନ୍ କରିଥିବା ଜଣାଯାଇଛି । ଭିଜିଲାନ୍ସ ଇନ୍ସପେକ୍ଟର ଜ୍ୟୋତି ଶଙ୍କର ସାହୁ, ପ୍ରଦୀପ ସାମଲ, ଅନୁପମା ସାହୁ, ସବିତା ବେହେରା, ହେମନ୍ତ କୁମାର ମହାନ୍ତି ପ୍ରମୁଖ ଚଢ଼ଉର ନେତୃତ୍ୱ ନେଇ ବରିÂ କିରାଣି ଶ୍ରୀମତୀ ଦାସଙ୍କ ତରିକୁନ୍ଦ/ଜୟଶୋଳ ପାଖ ସାତପୁରା ସ୍ଥିତ ତିନି ମହଲା ବିଶିଷ୍ଟ ବାସଭବନ(ମୂଲ୍ୟ ୩୭ ଲକ୍ଷ ୬୪ ହଜାର ୭୮୭ ଟଙ୍କା), ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଛପଟେ ଥିବା ଦୁଇ ମହଲା କୋଠା(ପାଣିଶାଳିଆ, ଉଗ୍ରତାରା ମନ୍ଦିର ପାଖ, ମୂଲ୍ୟ ୧୫ ଲକ୍ଷ ୭୪ ହଜାର ୪୮୫)କୁ ସ୍କାନରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ସକାଳ ୭ଟା ବେଳେ ଅତର୍କିତ ଚଢ଼ଉ କରାଯାଇଥିଲା । ସେତେବେଳେ ବରିÂ ମହିଳା କିରାଣି ନିଜର ସାତପୁରା ବାସଭବନରେ ଥିଲେ । ଭିଜିଲାନ୍ସ ଟିମ୍ ପଶିବା ପରେ ଘଟଣାଟି ପ୍ରଘଟ ହୋଇଥିଲା । ପରେ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିବା ପରେ ଦୀର୍ଘ ସମୟ ଧରି ବରିÂ କିରାଣି ତଳକୁ ମୁହଁ କରି ବସି ରହିଥିବା ଲକ୍ଷ୍ୟ କରାଯାଇଥିଲା ।
ଚଢଉ ସମୟରେ ବରିÂ କିରାଣି ଶ୍ରୀମତୀ ଦାସଙ୍କର କଟକ ମହାନଦୀ ବିହାରରେ ଥ୍ରି-ବିଏଚ୍କେ ଫ୍ଲାଟ(ମୂଲ୍ୟ ୪୪ ଲକ୍ଷ ୬୩ ହଜାର ୬୪୨ ଟଙ୍କା) ରହିଥିବା ଜଣାପଡ଼ିଥିଲା । ସେଥିନେଇ ଭିଜିଲାନ୍ସର ଅନ୍ୟ ଏକ ଟିମ୍ ମହାନଦୀ ବିହାର ଘରକୁ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ଜଗତସିଂହପୁରରେ ରହିଥିବା ତିନୋଟି ଟିମ୍ ଭିତରୁ ଗୋଟିଏ ଟିମ୍ ସଂଯୁକ୍ତାଙ୍କ ସରକାରୀ ଦପ୍ତରରେ ଛାନ୍ଭିନ୍ ଚଳାଇଥିଲେ । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରାଯାଇଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଶ୍ରୀମତୀ ଦାସଙ୍କୁ ଗିରଫ କରାଯିବ କି ନାହିଁ ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ ।
Comments are closed, but trackbacks and pingbacks are open.