ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ!

Get real time updates directly on you device, subscribe now.

ନାଉଗାଁ,(ବି.ବି.ନୁ୍ୟଜ): ବୁଧବାର ରାତିରେ ନାଉଗାଁ ଥାନା ଅଧୀନ ଭଟଣା(ବାଲିଉପର) ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି । ପ୍ରେମ ବ୍ୟାପାରକୁ ନେଇ ଗଣ୍ଡଗୋଳ ତୀବ୍ର ରୂପ ଧାରଣ କରିଛି । ଏପରିକି ତଥାକଥିତ ପ୍ରେମିକଙ୍କ ଉପରେ କେହି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବାରୁ ଯୁବକ ଜଣକ ଅର୍ଦ୍ଧଦଗ୍ଧ ହୋଇ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଆହତ ଯୁବକ ହେଲେ ବିପିନ ସାହୁ(୨୪) । ଘର ଢେ଼ଙ୍କାନାଳ ଜିଲ୍ଲା ଭୁବନ ଗାଁରେ । ତାଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନାଉଁଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ତେବେ ମୁମୂର୍ଷୁ ଅବସ୍ଥାରେ ଥିବା ବିପିନଙ୍କ କହିବା ମୁତାବକ କିଛି ମାସ ହେଲା ନାଉଗାଁ ଅଞ୍ଚଳରେ ସେ ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିଲେ । ସମୟକ୍ରମେ ତାଙ୍କର ଭଟଣା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ଝିଅଘର ଲୋକେ ବିରୋଧ କରି ଆସୁଥିଲେ । ଆଜି ପ୍ରେମିକା ବିପିନଙ୍କୁ ନିଜ ଗାଁକୁ ଡକାଇଥିଲେ । ତେବେ ପ୍ରେମ ବ୍ୟାପାରକୁ ନେଇ ଗଣ୍ଡଗୋଳ ହେବାରୁ କେତେକ ଲୋକ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ସେ ପୋଡ଼ି ହୋଇ ଚି+ାର କରିବାରୁ କିଛି ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ । ଅପରପକ୍ଷେ ପ୍ରେମ ଘଟଣାକୁ ନେଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଏଠାରେ ଆଲୋଚନା ହେଉଛି । ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଏତଲା ହୋଇ ନ ଥିବା ଜଣାପଡ଼ିଛି । ପୁଲିସ ନିଜ ଆଡ଼ୁ ଘଟଣାର ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons