ଦୁର୍ଦ୍ଧାନ୍ତ ମାଓବାଦୀ ରାମେର ଆତ୍ମସମର୍ପଣ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ପାଳନ ଅବସରରେ ଆଜି ଏସିଏମ୍ କ୍ୟାଡର୍ ମହିଳା ମାଓବାଦୀ ରାମେ ମାଡ଼କାମି ଏସ୍ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓବାଦୀ କେନ୍ଦ୍ରୀୟ କମିଟି ନେତା ଆର୍କେ( ରାମକ୍ରିଷ୍ଣା)ର ଅଙ୍ଗରକ୍ଷୀଭାବେ ସେ କାମ କରୁଥିଲା । ଓଡ଼ିଶା ସମେତ ଆନ୍ଧ୍ର ଏବଂ ଛତିଶଗଡ଼ରେ ବେଶ୍ ସକ୍ରିୟ ଥିଲା । ତା ମୁଣ୍ଡରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଓଡ଼ିଶା ସରକାର ।
ଏସ୍ପି ଶ୍ରୀ ଭାମୁ କହିଛନ୍ତି, ଆତ୍ମସମର୍ପଣ କରିଥିବା ରାମେର ନିଜ ଘର ମାଲକାନାଗିରି ଜିଲ୍ଲା କାଳିମେଳା ଥାନାର କୁରୁବ ଗାଁରେ । ୨୦୧୩ରେ ସେ ମାଓବାଦୀଙ୍କ ସାଂସ୍କୃତିକ ଜନନାଟ୍ୟ ଦଳରେ ମାତ୍ର ୧୬ ବର୍ଷ ବୟସରେ ଯୋଗ ଦେଇଥିଲା । ପରେ ସ୍ୱତନ୍ତ୍ର ତାଲିମ ଗ୍ରହଣ କରି ନାବାଳିକା ବୟସରେ ବି ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଚଲାଇବା ଶିଖିଥିଲା । ପରେ ଏସିଏମ କ୍ୟାଡରକୁ ଉନ୍ନୀତ ହୋଇ ମାଓନେତା ରାମକ୍ରିଷ୍ଣାର ସୁରକ୍ଷା ଟିମ୍ରେ ସାମିଲ ହୋଇଥିଲା । ତା ନାଁରେ ପାଡ଼ୁଆ ଥାନ ଅଞ୍ଚଳରେ ୨୦୧୩ରେ ହୋଇଥିବା ଗୁଳି ବିନିମୟ, ୨୦୧୬ରେ ଚିତ୍ରକୋଣ୍ଡା ଥାନା ରାମଗୁଡ଼ା ଗୁଳି ବିନିମୟ, ୨୦୧୮ରେ ପାନପଦର ଓ ଯୋଡ଼ାମ୍ବ ଗୁଳି ବିନିମୟ, ୨୦୧୯ରେ ଛତିଶଗଡ଼ ନଗରନାର୍ ଜଙ୍ଗଲରେ ଗୁଳି ବିନିମୟ, ୨୦୨୦ରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଗୁଇଗୁଡ଼ା ଓ ଖାଲଗୁଡ଼ା ଗୁଳି ବିନିମୟ, ଯୋଡାମ୍ବ ଥାନା ମାଟିଖାଲ ଗୁଳି ବିନିମୟ ମାମଲା ସହିତ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା ଲାଣ୍ଡୁଲ ଗୁଳି ବିନିମୟ ମାମଲା ରହିଥିଲା ।
ଆନ୍ଧ୍ର ପେଦାବାଇଲୁ ଥାନାର ଲଣ୍ଡୁଲ ଜଙ୍ଗଲ ଗୁଳି ବିନିମୟ ବେଳେ ରାମେ ଦେହରେ ଗୁଳି ବାଜିଥିଲା । ଓଡ଼ିଶା କ୍ୟାଡର୍ ମାଓବାଦୀ ହୋଇଥିବାରୁ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମାଓ ସଙ୍ଗଠନ ତାକୁ ଅଣଦେଖା କରିଥିଲା । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ବିକାଶ ଦେଖି ମାଓ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ରାମେ । ମାଓବାଦୀଙ୍କ ଆତ୍ମସମର୍ପଣ ପ୍ୟାକେଜ ଅନୁଯାୟୀ ରାମେକୁ ଥଇଥାନ ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons