ଫୁଲବାଣୀ,(ବି.ବି.ନୁ୍ୟଜ): ସମାଜର ମୁଖ୍ୟସ୍ରୋତକୁ ଫେରିଆସ । ଏହାସହ ସରକାରଙ୍କ ଥଇଥାନ ପ୍ୟାକେଜ୍ର ସୁଯୋଗ ନିଅ । କଣ୍ଟକିତ ରାସ୍ତା ଛାଡ଼ି ଚାଲି ଆସ । ଜିଲ୍ଲା ପୁଲିସ ଅଫିସ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାଓବାଦୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ । ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଶୁକ୍ରବାର କରାଯାଇଥିବା କମ୍ବିଂ ଅପରେସନ୍ରେ ଜଣେ ମହିଳା ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଏ ସମ୍ପର୍କରେ ଶନିବାର ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, କମ୍ବିଂ ବେଳେ ପ୍ରଥମେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଏହାର ଜବାବରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଘଞ୍ଚ ଜଙ୍ଗଲ ଓ ଅନ୍ଧକାରର ସୁଯୋଗ ନେଇ ଅନ୍ୟମାନେ ଚାଲିଯିବାରେ ସକ୍ଷମ ହୋଇଥିଲେ । ତେବେ ସମ୍ପୃକ୍ତ ଅଞ୍ଚଳରେ ଆଜି ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି । ମୃତ ମାଓବାଦୀ କେକେବିଏନ୍ ସଂଗଠନର ଓଡ଼ିଶା କ୍ୟାଡର୍ର ବୋଲି ଅନୁମାନ କରାଯାଇଛି । ଏହି ଅପରେସନରେ ପୁଲିସ ସମ୍ପୃକ୍ତ ସ୍ଥାନରୁ ୨ଟି ବନ୍ଧୁକ, ୪ଟି ଗୁଳି, ଗୋଟିଏ ବନ୍ଧୁକ ରଖିବା ପାଉଚ୍ ଓ ଏକ ଟର୍ଚ୍ଚ ପାଇଥିବା ଏସ୍ପି ସୂଚନା ଦେଇଚନ୍ତି । ଏହି ଅବସରରେ ଏସ୍ପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ପୁଲିସ ଡିଜି ଅଭୟଙ୍କ ଆହ୍ୱାନକୁ ମାନି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅନୁରୋଧ କରିଥିଲେ ।
ପୁଲିସ ସୂଚନା ଅନୁସାରେ, ଗୋଚ୍ଛାପଡ଼ା ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ନିକଟସ୍ଥ ଜଙ୍ଗଲରେ ଗତ ୪ ଦିନ ଧରି କମ୍ବିଂ ଅପରେସନ୍ ଚଲାଇଥିଲା । ଶୁକ୍ରବାର ଅପରାହ୍ନରେ ଉକ୍ତ ଅଞ୍ଚଳରେ କେତେକ ମାଓବାଦୀଙ୍କ ଉପସ୍ଥିତି ନେଇ ଏକରକମ ନିଶ୍ଚିତ ହେବା ପରେ ପୁଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ସେହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ । ସଙ୍ଗେସଙ୍ଗେ ପୁଲିସ ପାଲଟା ଆକ୍ରମଣ କରିଥିଲା । ଏଥିରେ ଜଣେ ମହିଳା ମାଓବାଦୀ ଟଳି ପଡ଼ିଥିଲେ । ଏହି ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନି । ଉକ୍ତ ଅଞ୍ଚଳରେ ଆହୁରି ୧୫ରୁ ଅଧିକ ମାଓବାଦୀ ଥିବା ସନେ୍ଦହ କରାଯାଇ ଉକ୍ତ ଅଞ୍ଚଳରେ ଏବେ ବି କମ୍ବିଂ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.