ପଟ୍ଟନାୟିକା ଛକରେ ୩ ଭାଇଙ୍କୁ ହତ୍ୟା

Get real time updates directly on you device, subscribe now.

ସାକ୍ଷୀଗୋପାଳ,(ବି.ବି.ନ୍ୟୁଜ୍): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକରେ ଆଜି ଅପରାହ୍ନରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକା ଛକରେ ତିନି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ । ମୃତକମାନେ ହେଲେ ସଦାନନ୍ଦପୁର ଗ୍ରାମ ବେହେରାସାହିର ପୂର୍ଣ୍ଣଚନ୍ଦ୍ର ବେହେରା (୪୪), କୃଷ୍ଣଚନ୍ଦ୍ର ବେହେରା (୪୨) ଏବଂ ସେମାନଙ୍କ ଦାଦାପୁଅ ଭାଇ ପଞ୍ଚୁ ବେହେରା (୪୫) । ଜମିବାଡ଼ିଜନିତ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ପଟ୍ଟନାୟିକା ଛକରେ ପୂର୍ଣ୍ଣଚନ୍ଦ୍ର ଓ କୃଷ୍ଣଚନ୍ଦ୍ରଙ୍କ ତୃପ୍ତି ଓ ଅବନୀ ନାମରେ ଦୁଇଟି ହୋଟେଲ୍ ରହିଛି । ଦୁଇ ଭାଇ ହୋଟେଲ୍ ବୁଝାସୁଝା କରନ୍ତି । ଆଜି ଅପରାହ୍ନ ୩ଟା୪୫ରେ ପୂର୍ଣ୍ଣଚନ୍ଦ୍ର ଓ କୃଷ୍ଣଚନ୍ଦ୍ରଙ୍କ ସହ ପଞ୍ଚୁ ପଟ୍ଟନାୟିକା ଛକକୁ ଆସିଥିଲେ । ଏହି ସମୟରେ ଗୋଟିଏ ଦୋକାନରେ ଲୁଚି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତିନିଭାଇଙ୍କ ମୁଣ୍ଡ, ପିଠି, ହାତ ଓ ଗୋଡ଼କୁ ହାଣି ପକାଇଥିଲେ । ଆକ୍ରମଣ ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର, କୃଷ୍ଣ ଓ ପଞ୍ଚୁ ପ୍ରାଣ ହରାଇଥିଲେ । ରାସ୍ତା ଉପରେ ତିନିଜଣଙ୍କ ମୃତଦେହ ପଡ଼ି ରହିଥିଲା ।
ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ଦୁଇ ପରିବାର ମଧ୍ୟରେ ଜମିବାଡ଼ିଜନିତ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀମାନେ ଘଟଣା ପରେ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି । ହତ୍ୟାକାରୀମାନେ ତୀକ୍ଷ୍ଣ ଅସ୍ତ୍ର ଆଣି ଆସିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ମୃତକଙ୍କ ପରିବାର ଓ ସଦାନନ୍ଦପୁର ଗ୍ରାମବାସୀ ପଟ୍ଟନାୟିକା ଛକରେ ପହଞ୍ଚିଥିଲେ । ଅଭିଯୁକ୍ତଙ୍କୁ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର୍ ଜାଳି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ଲୋକମାନେ ରାସ୍ତାରୁ ଉଠି ନ ଥିଲେ । ଉତ୍ତ୍ୟକ୍ତ ଲୋକେ ବଜାରରେ ଥିବା ଏକ କ୍ୟାବିନ୍ରେ ନିଆଁ ଲଗାଇ ଦେଇଥିଲେ ।
ଆଜି ପୁରୀରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ହୋଇଥିଲା । ଏହାକୁ ଦେଖିବାକୁ ହଜାର ହଜାର ଲୋକ ପୁରୀ ଯାଉଥିଲେ । ପଟ୍ଟନାୟିକା ଛକରେ ରାସ୍ତାରୋକ ଯୋଗୁ ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିଲା । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ପୁରୀରୁ ଅଧିକ ଫୋର୍ସ ପଟ୍ଟନାୟିକା ଛକରେ ପହଞ୍ଚିଥିଲେ ।
ରାତି ୯ଟାରେ ପୁଲିସ ଜାତୀୟ ରାଜପଥ ଅବରୋଧ କରିଥିବା ଲୋକମାନଙ୍କ ଉପରେ ମୃଦୁ ଲାଠିଚାଳନା ଆରମ୍ଭ କରିଦେଇଥିଲା । ଲାଠିମାଡ଼ ଭୟରେ ଅବରୋଧକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଫଳରେ ଦୀର୍ଘ ୫ ଘଣ୍ଟା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ସତ୍ୟବାଦୀ ଥାନା ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସ୍ପି, ସତ୍ୟବାଦୀ ଓ ପିପିଲି ଥାନା ଆଇଆଇସିଙ୍କ ସମେତ ପୁରୀରୁ ବରିଷ୍ଠ ପୁଲିସ ଅଧିକାରୀମାନେ ଆସି ଉପସ୍ଥିତ ଅଛନ୍ତି ।
ହତ୍ୟାକାଣ୍ଡ ପରେ ସଦାନନ୍ଦପୁର ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ସଦାନନ୍ଦପୁର ଓ ପଟ୍ଟନାୟିକା ଛକ ଏବେ ପୁଲିସ ଛାଉଣୀରେ ପରିଣତ ହୋଇଛି । ପୁଲିସ ଆଖି ସାମ୍ନାରେ ହତ୍ୟାକାଣ୍ଡ ଘଟିଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । କାରଣ ଅଧରପଣା ନୀତି ପାଇଁ ପଟ୍ଟନାୟିକା ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ପୁଲିସ ନିୟୋଜିତ ହୋଇଥିଲେ । ଏହି ଛକ ଜାତୀୟ ରାଜପଥର ଅତି ସମ୍ବେଦନଶୀଳ ସ୍ଥାନ । ଏହି ଚାରିଛକରେ ପୁରୀ-ଭୁବନେଶ୍ୱର, ପୁରୀ-ଖୋର୍ଦ୍ଧା ଓ ପୁରୀ-ଗବକୁଣ୍ଡକୁ ଯୋଗାଯୋଗ ରହିଛି । ତେଣୁ ଛକରେ ସଦାସର୍ବଦା ଗହଳି ଲାଗି ରହିଥାଏ । ଏପରି ସ୍ଥଳେ ଅଭିଯୁକ୍ତମାନେ ରାସ୍ତାରେ ୩ ଭାଇଙ୍କୁ ହତ୍ୟା କରି କିପରି ଫେରାର୍ ହୋଇଗଲେ ଓ ପୁଲିସ କିପରି ସୁରାକ୍ ପାଇପାରିଲା ନାହିଁ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ ଏହି ପଟ୍ଟନାୟିକା ଛକରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଥିଲା ।
ସଦାନନ୍ଦପୁର ଗ୍ରାମରେ ମୃତ ୩ ଭାଇଙ୍କ ପରିବାରର ବେଶ୍ ପତିଆରା ରହିଛି । ସେମାନଙ୍କ ପରିବାର ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି । ଏଥିପାଇଁ କେତେକ ଲୋକ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ଣ୍ଣଚନ୍ଦ୍ର ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ଭାଇ ଅଜୟ ବେହେରା ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଥିଲେ । ଗତବର୍ଷ ପଟ୍ଟନାୟିକା ଛକ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ରିପୋର୍ଟ କରିଥିଲା । ମାତ୍ର ଆଜିର ଜଘନ୍ୟ ହତ୍ୟାକାଣ୍ଡ ପରେ ମୃତକଙ୍କ ପରିବାର ସଦସ୍ୟ ଅଜୟଙ୍କ ମୃତ୍ୟୁକୁ ସନ୍ଦେହ ପ୍ରକାଶ କରିଛନ୍ତି । ଅଜୟଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହତ୍ୟା କରି ଟ୍ରେନ୍ ଦୁର୍ଘଟଣାର ରୂପ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons