ରାଉରକେଲା,(ବି.ବି.ନୁ୍ୟଜ): ଜାଲ କମ୍ପାନି ଖୋଲି ଜାଲ ଇନ୍ଭଏସ, ଜାଲ ବିଲ୍ ଓ ଜାଲ ଟ୍ରାଞ୍ଜେକସନ୍ ଦେଖାଇ ପ୍ରାୟ ୨୬୨ କୋଟି ଟଙ୍କାର କାରବାର କରିଥିବା ଏବଂ ୪୦ କୋଟିର ଜିଏସ୍ଟି ଠକେଇ କରିଥିଲେ ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ସନ୍ତୋଷ ଗୁପ୍ତା । ଆଜି ତାଙ୍କୁ ଭୁବନେଶ୍ୱର ଜିଏସ୍ଟି ଜୋନାଲ ୟୁନିଟ୍ ଗିରଫ କରି ସ୍ଥାନୀୟ ଏସ୍ଡିଜେଏମ୍ଙ୍କ ଅଦାଲତରେ ହାଜର କରିଥିଲା । ଅଦାଲତରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସନ୍ତୋଷ ଜାଲ କାଗଜପତ୍ର ଦେଇ ଜାଲ କମ୍ପାନି ଖୋଲିଥିଲେ । ସେହି କମ୍ପାନି ଜରିଆରେ ସେ ୨୬୨ କୋଟି ଟଙ୍କାର କାରବାର କରିଥିଲେ । ଏହା ସହ ୪୦ କୋଟି ଟଙ୍କାର ଜିଏସ୍ଟି ଠକେଇ ମଧ୍ୟ କରିଥିବା ଅଭିଯୋଗ ମିଳିବା ପରେ ତାଙ୍କୁ ଧରିବା ଲାଗି ଜିଏସ୍ଟି ଅଧିକାରୀ ବାରମ୍ବାର ଚେଷ୍ଟା କରୁଥିଲେ ହେଁ ସନ୍ତୋଷ ଚତୁରତାର ସହିତ ଖସି ଯାଉଥିଲେ । ତେବେ ଗତ କିଛି ଦିନ ହେଲା ଭୁବନେଶ୍ୱରର ଏକ ଜିଏସ୍ଟି ୟୁନିଟ୍ ରାଉରକେଲାରେ ଡେରା ପକାଇବା ସହ ସନ୍ତୋଷଙ୍କୁ ଧରିବା ଲାଗି ଯୋଜନା ଆରମ୍ଭ କରିଥିଲେ । ତେବେ ବାସନ୍ତୀ କଲୋନୀ ଅଞ୍ଚଳରୁ ଜିଏସ୍ଟି ଅଧିକାରୀମାନେ ସନ୍ତୋଷଙ୍କୁ ଧରିଥିଲେ । ଅପରାହ୍ଣ ୩ଟା ସମୟରେ ତାଙ୍କୁ ଏସ୍ଡିଜେଏମ୍ଙ୍କ ଅଦାଲତରେ ହାଜର କରାଯାଇଥିଲା । ବିଚାରପତି ସନ୍ତୋଷଙ୍କ ଜାମିନ ନାମଞ୍ଜୁର କରି ଦେଇଥିଲେ । ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସନ୍ତୋଷ ଧରାପଡ଼ିବା ପରେ ଜିଏସ୍ଟି ଅଧିକାରୀମାନେ ତାଙ୍କଠାରୁ ବହୁ ତଥ୍ୟ ପାଇଛନ୍ତି । ସେହି ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ତେବେ ସନ୍ତୋଷ କେଉଁ କେଉଁ କମ୍ପାନି ଖୋଲିଥିଲେ, ସେହି କମ୍ପାନିଗୁଡ଼ିକ ଠିକଣା କେଉଁଠି ଥିଲା, ଏଥିରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ ସେ ବିଷୟରେ ଜିଏସ୍ଟି ଅଧିକାରୀମାନେ କିଛି କହିବାକୁ ମନା କରି ଦେଇଛନ୍ତି ।


Comments are closed, but trackbacks and pingbacks are open.