ବୁଗୁଡ଼ା,(ବି.ବି.ନୁ୍ୟଜ): ନିର୍ବନ୍ଧ ସରିଥିଲା । ଆସନ୍ତା ସରସ୍ୱତୀ ପୂଜା ଦିନ ବାହାଘର ହୋଇଥାନ୍ତା । ହେଲେ ତା’ ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ମାଲିକର ଟ୍ରାକ୍ଟରକୁ ବିଦୁ୍ୟତ୍ ନିଅାଁରୁ ବଞ୍ଚାଇବାକୁ ଯାଇ ନିଜେ ଜଳିଗଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ମନୋଜ ପ୍ରଧାନ (୩୦) । ଟ୍ରାକ୍ଟର ସାହାଯ୍ୟରେ ଧାନ ଅମଳ ହେଉଥିଲା । ହେଲେ ଦୁର୍ଭାଗ୍ୟକୁ ବିଲ ଉପରେ ଯାଇଥିବା ବିଦୁ୍ୟତ୍ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡ଼ିଗଲା । କିଛି ସମୟ ମଧ୍ୟରେ ଟ୍ରାକ୍ଟର ସହ ଡ୍ରାଇଭର ମନୋଜ ଜଳିଗଲେ ।
ଏଭଳି ଏକ ଦୁଃଖଦ ଘଟଣା ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ ଘଟିଛି । ଆଜି ମଧ୍ୟାହ୍ନ ପ୍ରାୟ ୨ଟା ବେଳର ଘଟଣା । ମନୋଜ ଟ୍ରାକ୍ଟରରେ ଧାନ ଅମଳ ମେସିନ ଲଗାଇ ବି.ବ୍ରହ୍ମପୁର ଗ୍ରାମର ସୁକାନ୍ତି ନାୟକଙ୍କ ଖଳାକୁ ଯାଇଥିଲେ । ମେସିନ ଚାଲିଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦୁ୍ୟତ୍ ତାରରୁ ନିଅାଁ ଝୁଲ ଖସିଥିଲା । ଟ୍ରାକ୍ଟର ନିଅାଁ ଲାଗିଯିବ ଭାବି ମନୋଜ ଗାଡ଼ିକୁ ସାଇଡ୍ କରିବାକୁ ଯାଇଥିଲେ । ହେଲେ ଏହି ସମୟରେ ହଠାତ୍ ବିଦୁ୍ୟତ୍ ତାର ଛିଣ୍ଡି ଗାଡ଼ି ଉପରେ ପଡ଼ି ଯାଇଥିଲା । ଟ୍ରାକ୍ଟର ହୁତହୁତୁ ହୋଇ ଜଳିବା ସହ ମନୋଜଙ୍କ ହାତ ଏବଂ ଦେହରେ ନିଅାଁ ଲାଗି ଯାଇଥିଲା । ସ୍ଥାନୀୟ କିଛି ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମନୋଜଙ୍କୁ ବୁଗୁଡ଼ା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁକାନ୍ତି ନାୟକଙ୍କ ଅମଳ ହୋଇଥିବା ସବୁ ଧାନ ସହ ମେସିନଟି ମଧ୍ୟ ଜଳି ଯାଇଛି । ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ବିଷାାଦର ଛାୟା ଖେଳାଇ ଦେଇଛି ।


Comments are closed, but trackbacks and pingbacks are open.