କେନ୍ଦ୍ରାପଡ଼ା/ମହାକାଳପଡ଼ା/ପାରାଦୀପ,(ବି.ବି.ନୁ୍ୟଜ): ଶିଳ୍ପବିହୀନ ଜିଲ୍ଲା ରୂପକ ‘ଟ୍ୟାଗ୍-ଲାଇନ୍’ରୁ ମୁକ୍ତ ହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା । ରାଜ୍ୟ ସରକାର ଜିଲ୍ଲାର ମହାକାଳପଡ଼ାଠାରେ ନଦୀଭିତ୍ତିକ ବନ୍ଦର ପ୍ରତିÂା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥି ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ନଦୀନାଳ ଘେରା ମହାକାଳପଡ଼ା ବ୍ଲକ୍ର ଆଖଡ଼ା ସାହିଠାରେ ପ୍ରସ୍ତାବିତ ନଦୀଭିତ୍ତିକ ‘ମହାନଦୀ ବନ୍ଦର’ ପ୍ରତିÂା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସମୀକ୍ଷା କରିବା ସହ ଅଗ୍ରଗତି ଦିଗରେ ଆଲୋଚନା କରିଛନ୍ତି ।
ଏହି ନଦୀଭିତ୍ତିକ ବନ୍ଦର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ପଠାଇବା ପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଏ ନେଇ ଗତ ମାସରେ ପାରାଦୀପ ବନ୍ଦରକୁ ସବୁଜ ସଙ୍କେତ ଦେଇଥିଲେ । ଆଜି ପ୍ରତିନିଧି ଦଳର ଗସ୍ତ ପରେ ବନ୍ଦର ପ୍ରତିÂା ଦିଗରେ ରାଜ୍ୟ ସରକାର ସଫଳତାର ଆଉ ଏକ ପାହାଚ ଚଢ଼ି ଆଗକୁ ବଢିଥିବା ଆଲୋଚନା ହେଉଛି । ଆଜିକାର ଏହି ଉଚ୍ଚସ୍ତରୀୟ ଗସ୍ତ ପରେ ମହାକାଳପଡ଼ା ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଆଲୋଚନା ହେଉଛି କି’ କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ସେ ନିଜେ ଦାୟିତ୍ୱ ନେବେ ବୋଲି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି ।
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍, ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସାମିଲ୍ ଥିବା ଏହି ପ୍ରତିନିଧିମଣ୍ଡଳୀ ରବିବାର ସକାଳେ ଆଖଡ଼ା ସାହିଠାରେ ପହଂଚିଥିଲେ । ବନ୍ଦର ସ୍ଥାନର ଭୌଗୋଳିକ ଅବସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ମହାକାଳପଡ଼ା ବିଧାୟକ ଶ୍ରୀ ନାୟକ ପ୍ରତିନିଧି ଦଳଙ୍କୁ ଅବଗତ କରିଥିଲେ । ମହାନଦୀର ଶେଷ ମୁଣ୍ଡରେ ଥିବା ଆଖଡା ସାହି ଭଳି ଏକ କ୍ଷୁଦ୍ର ଗ୍ରାମାଂଚଳରେ ପ୍ରାୟ ୧୭୫ ହେକ୍ଟର ଜମିରେ ପ୍ରାଥମିକ ପର୍ଯ୍ୟାୟରେ ଏହି ବନ୍ଦର ନିର୍ମାଣ ହେବ । ପରବର୍ତ୍ତୀ ଅବସ୍ଥାରେ ସମ୍ପ୍ରସାରଣ ବେଳେ ୩୦୦ ହେକ୍ଟରରୁ ଅଧିକ ଜମି ଆବଶ୍ୟକ ହେବ ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । ଏଥିନିମନ୍ତେ ପ୍ରାୟ ୪ହଜାର ୬୨ କୋଟି ଟଙ୍କା ନିବେଶ ହେବ । ଏଥିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ପାରାଦୀପ-ହରିଦାସପୁର ରେଳପଥ ସହିତ ଏହାର ସଂଯୋଗୀକରଣ ହେବ । ୫ ନଂ. ଜାତୀୟ ରାଜପଥ ମଧ୍ୟ ବନ୍ଦର ସହିତ ସଂଯୁକ୍ତ କରାଯିବ । ଘରୋଇ ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ଉକ୍ତ ବନ୍ଦର ନିର୍ମାଣ ଲାଗି ଏମ୍ଓୟୁ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଖୁବଶୀଘ୍ର ଏହା ସମ୍ପାଦିତ ହେବ । ବାର୍ଷିକ ୫୪ ମିଲିୟନ କ୍ଷମତା ସମ୍ପନ୍ନ ଏହି ବନ୍ଦର ପ୍ରାରମ୍ଭିକ ପର୍ଯ୍ୟାୟରେ ୨୨ ମିଲିୟନ ଟନ୍ କ୍ଷମତାବିଶିଷ୍ଟ ଭାବେ କାର୍ଯ୍ୟକାରୀ ହେବ । ଏଥିଲାଗି ପ୍ରାଥମିକ ଭାବେ ପ୍ରାୟ ୨ହଜାର ୫୬୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ପ୍ରତିନିଧି ଦଳରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ପାରାଦୀପ ପୋର୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ, ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ପାରାଦୀପ ଏଡିଏମ୍ କାହ୍ନୁଚରଣ ଧୀର, କେନ୍ଦ୍ରାପଡ଼ା ଏଡିଏମ୍(ରାଜସ୍ୱ) ନରହରି ସେଠୀ, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ବିଡିଓ ଦେବାଶିଷ ରାଉତ ପ୍ରମୁଖ ସାମିଲ ଥିଲେ । ସୂଚନାଯୋଗ୍ୟ, ୨୦୧୮ରେ ରାଜ୍ୟ ସରକାର ମହାନଦୀରେ ବନ୍ଦର ସ୍ଥାପନ ପାଇଁ ନିଷ୍ପତ୍ତି ନେବା ସହ କୋଟେସନ୍ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ନିଲାମ୍ଧାରୀ ଅନାଗ୍ରହ ଦେଖାଇବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରି ନଥିଲା । ପରେ ପାରାଦୀପ ବନ୍ଦର ଟ୍ରଷ୍ଟ ଏହି ପ୍ରକଳ୍ପ ନେଇ ଆଗ୍ରହ ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର ପ୍ରସ୍ତାବ ଆଗେଇଥିଲା । ପ୍ରତିନିଧିମଣ୍ଡଳୀ ପାରାଦୀପରେ ମଧ୍ୟ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.