ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମୁହାମୁହିଁ ହୋଇଛନ୍ତି ପୁଲିସ ଓ ମାଓବାଦୀ । ଏଥରକ କୌଣସି ମାଓବାଦୀ ପୁଲିସ ଗୁଳିର ଶିକାର ହୋଇ ନ ଥିଲେ ବି ପୁଲିସ ଜଣେ ମିଲିସିଆକୁ ଧରିବା ସହ ସମ୍ପୃକ୍ତ ସ୍ଥାନରୁ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ଏ ନେଇ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ ରବିବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଗୋଚ୍ଛାପଡ଼ା ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଜିଲ୍ଲା ପୁଲିସ । ପରେ ଚଳିତ ମାସ ୧୫ ତାରିଖରୁ ଏସ୍ଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ୧୭ ତାରିଖ ସନ୍ଧ୍ୟାରେ ଲୁଚି ରହିଥିବା ମାଓବାଦୀ ପୁଲିସର କମ୍ବିଂ ଟିମ୍ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ । ଏହାର ଜବାବରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ଅନ୍ଧକାର ଓ ଘଞ୍ଚ ଜଙ୍ଗଲର ଫାଇଦା ନେଇ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ । ହେଲେ ପୁଲିସକୁ ସର୍ଚ୍ଚ ଅପରେସନ ବେଳେ ୨ ଟି ଦେଶୀ ବନ୍ଧୁକ, ଗୋଟିଏ ରେଡିଓ, ଔଷଧ, ଲୁଗାପଟା ଓ ରାସନ ସାମଗ୍ରୀ ମିଳିଛି । ଅନ୍ୟପକ୍ଷେ ସେଠାରୁ ଜଣେ ମିଲିସିଆକୁ ଧରିବାରେ ସଫଳ ହୋଇଥିଲା ପୁଲିସ । ତାକୁ ପଚରାଉଚୁରା ଚାଲିଥିବା ଏସ୍ପି ସୂଚନା ଦେଇଛନ୍ତି । ସେଠାରେ ୮ ରୁ ୧୦ ଜଣ ମାଓବାଦୀ ରହିଥିବା ଅନୁମାନ କରାଯାଉଛି । ଏମାନେ ମାଓବାଦୀ ସଂଗଠନ କେକେବିଏନ୍ ଓ ଓଡ଼ିଶା କ୍ୟାଡର୍ର ବୋଲି କୁହାଯାଉଛି । ସେଠାରେ ମାଓବାଦୀଙ୍କ ସ୍ଥାୟୀ କ୍ୟମ୍ପ୍ ଥିବା କଥାକୁ ଅସ୍ୱୀକାର କରିବା ସହ ଏହି ଗୋÂୀକୁ ମାଓନେତା ଦାସୁର ନେତୃତ୍ୱ ଦେଉଥିବା ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ଅପରେସନରେ ବି ଦାସୁର ସାମିଲ ଥିବା କୁହାଯାଇଥିବା ବେଳେ ଏଥର ମଧ୍ୟ ଏହି କ୍ୟାଡର ମାଓବାଦୀ ନେତା ପୁଲିସ ହାତରେ ପଡ଼ିନାହିଁ । ତେବେ ସମ୍ପୃକ୍ତ ଜଙ୍ଗଲରୁ ମାଓବାଦୀମାନେ କେଉଁ ରାସ୍ତା ଦେଇ ଖସିଯିବାର ସମ୍ଭାବନା ରହିଛି ବୋଲି ପ୍ରଶ୍ନର ଉତ୍ତରରେ ଏସ୍ପି କହିଛନ୍ତି, ଏ ନେଇ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଉଛି । ସେପରି କନ୍ଧମାଳ ଜିଲ୍ଲାରେ ଏବେ ମାଓବାଦୀମାନେ କ୍ରମଶଃ ନିଷ୍କ୍ରିୟ ହେଉଥିବା ପ୍ରକାଶ କରିଛନ୍ତି ଆରକ୍ଷୀ ଅଧୀକ୍ଷକ । ଏଥିସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକଙ୍କ ପରାମର୍ଶ ମାନି ମାଓବାଦୀ ମାନେ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଥଇଥାନ ପ୍ୟାକେଜର ସୁଯୋଗ ନେବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନିରେ ଏସ୍ପି ଆହ୍ୱାନ ଦେଇଛନ୍ତି ।


Comments are closed, but trackbacks and pingbacks are open.