ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍: ୩ ଅଟକ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ବଜାରରେ ବଡ଼ ଧରଣର ଡକାୟତି ହୋଇଛି । ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଇଣ୍ଡିକେଶ ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରିନେଇଛନ୍ତି । ଏ ନେଇ ଏଟିଏମ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିବା ସହ ୩ଜଣଙ୍କୁ ଅଟକ ରଖିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଜାମଶୂଳୀ କଲେଜ ଛକରେ ଥିବା ଇଣ୍ଡିକେଶ ଏଟିଏମ ଭଙ୍ଗାଯାଇଥିବା ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଏନେଇ ଏଟିଏମରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ରଞ୍ଜନ କୁମାର ବାରିକ ୪ଲକ୍ଷ ୬୬ହଜାର ୬ଶହ ଟଙ୍କା ଲୁଟ୍ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତତ୍ପରତା ପ୍ରକାଶ ପାଇଥିଲା । ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଟିଏମକୁ ଗ୍ୟାସ କଟରରେ କାଟି ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଓଆଇସି ଶ୍ରୀ ଜେନା ଓ ବସ୍ତା ଏସଡିପିଓ ଜଳନ୍ଧର ଜାଲି ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱ୍ୱିତ କରିଥିଲେ । ଏଟିଏମ୍ର କ୍ୟାସେଟ ସବୁ ରେମୁ ଛକ ନିକଟସ୍ଥ ଚାଷଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ପୁଲିସ ନଂ ୨୦୩/୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଏଟିଏମ ସଂସ୍ଥା ପକ୍ଷରୁ ୪ଲକ୍ଷ ୬୬ହଜାର ୬ଶହ ଟଙ୍କା ଚୋରି ହୋଇଥିବା ଦର୍ଶାଯାଉଥିବା ବେଳେ ସେମାନେ ଯେଉଁ ନୋଟ୍ର ହିସାବ ଦେଇଛନ୍ତି, ତାହା ସହିତ ଚୋରି ଟଙ୍କାର ମେଳ ହେଉ ନଥିବାରୁ ପୁଲିସ ସେହି ସଂସ୍ଥାର ୩ଜଣଙ୍କୁ ଅଟକ ରଖିଛି । ତେବେ ତଦନ୍ତ ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଟିଏମ୍ରୁ ଟଙ୍କା ବାହାରୁ ନଥିବା ଅନେକ ଏଟିଏମ ବ୍ୟବହାରକାରୀ ପୁଲିସକୁ ଜଣାଇବା ପରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଯାଉଥିବା ଓଆଇସି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons