ସ୍ତ୍ରୀ ଆଗରେ ସ୍ୱାମୀ ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଗଭୀର ନିଦ ହେଲା କାଳ । ସ୍ତ୍ରୀ ଓ ୨ ବର୍ଷର ଶିଶୁ ସମ୍ମୁଖରେ ଜଳିଗଲେ ବ୍ୟକ୍ତି । ଘର ସହ ଆସବାବ, ଅମଳ ଧାନ, ଅନ୍ୟାନ୍ୟ ସମ୍ପତ୍ତିି ସବୁ ପାଉଁଶ ହୋଇଗଲା । ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ଥାନା ନିଲିଗୁଡା ପଞ୍ଚାୟତ ପୁରୁଣା ନିଲିଗୁଡାରେ । ବିଦୁ୍ୟତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଗାଁର ଇର୍ମା ମାଡକାମୀ(୨୨) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଇର୍ମାଙ୍କର ଘର ସହ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । କେବଳ ରହି ଯାଇଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ ।
ସୂଚନା ଅନୁସାରେ, ଗତ ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଘଟଣା ଦିନ ଇର୍ମା ଓ ତାଙ୍କ ସ୍ତ୍ରୀ ଯୋଗୀ ଅମଳ ଧାନକୁ ବେଙ୍ଗଳା କରି ଘରକୁ ଆଣିଥିଲେ । ଦିନତମାମ୍ ପରିଶ୍ରମ କରି ଦୁହେଁ ଥକି ଯାଇଥିଲେ । ରାତିରେ ଘରେ ରୋଷେଇବାସ କରି ଦୁହେଁ ଖାଇ ଶୋଇଯାଇଥିଲେ । ଇର୍ମା ନିଜେ ଏକ କୋଠରୀରେ ଶୋଇଥିବାବେଳେ ଯୋଗୀ ୨ ବର୍ଷର ଶିଶୁ ପୁତ୍ରକୁ ଧରି ଅନ୍ୟ ଏକ କୋଠରୀରେ ଶୋଇଥିଲେ । ମଧ୍ୟ ରାତିରେ ବିଦୁ୍ୟତ ସର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗି ଯାଇଥିଲା । ନିଅାଁ ତାତିରେ ଯୋଗୀଙ୍କ ନିଦ ଭାଙ୍ଗି ଯାଇଥିଲା । ତୁରନ୍ତ ସେ ଶିଶୁଟିକୁ ଧରି ଘରୁ ବାହାରକୁ ଚାଲି ଆସିଥିଲେ । କିଛି ଉପାୟ ନଥିବାରୁ ଖାଲି ନିଅାଁନିଆଁ ବୋଲି ପାଟି କରିଥିଲେ । ନିଜ ଆଖି ଆଗରେ ତାଳପତ୍ର ଓ ଚାଳ ଛପର ଘରଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ସେ ଇର୍ମାଙ୍କୁ ଖୋଜିଥିଲେ । କିନ୍ତୁ ଇର୍ମାଙ୍କୁ ପାଇ ନଥିଲେ । ଯୋଗୀଙ୍କ ଦୃହୟ ଫଟା ଚିକ୍ରାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଦୌଡାଦୌଡି କରି ଆସିଥିଲେ । ଅଞ୍ଚଳରେ ପ୍ରବଳ ଶୀତ ଲହରି ଲାଗି ରହିଥିବାରୁ ଲୋକେ ପ୍ରଥମେ ଏ ବିଷୟରେ କିଛି ଜାଣି ପାରି ନଥିଲେ । ତୁରନ୍ତ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଘରେ ରଖିଥିବା ପାଣି ଓ ନଳକୂଅରୁ ପାଣି ଆଣି ନିଅାଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ଅଗ୍ନିଶମ ମୁଖ୍ୟ ବିରେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ଇର୍ମା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଅମଳ ଧାନ, ଚାଉଳ, ଘରର ସମସ୍ତ ଆସବାବ, ଜମି ପଟ୍ଟା, ବାସନକୁସନ, ଲୁଗାପଟା, ଗଚ୍ଛିତ ସମ୍ପତି, ଅଳଙ୍କାର, ପୁଅର ଭବିଷ୍ୟତ ପାଇଁ ରହିଥିବା ଟଙ୍କା ସବୁ ପୋଡି ପାଉଁଶ ହୋଇଯାଇଥିଲା । ଇର୍ମା ବହୁ କଷ୍ଟ କରି ଗଚ୍ଛିତ ରଖିଥିବା ସମସ୍ତ ସମ୍ପତ୍ତି ନିମିଷକ ମଧ୍ୟରେ ମାଟିରେ ମିଶି ଯାଇଥିଲା । ରାତିସାରା ଅଗ୍ନିଶମ ବାହିନୀ କଷ୍ଟ କରି ନିଆଁକୁ ଆୟତ୍ତ କରିଥିଲେ । ଖବରପାଇ ମୋଟୁ ତହସିଲଦାର ଶଶାଙ୍କକୁମାର ମିଶ୍ର, ଥାନା ଅଧିକାରୀ ରଞ୍ଜନକୁମାର ମାଝି, ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଯୋଗୀଙ୍କୁ ସମବେଦନ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଯୋଗୀଙ୍କୁ ଦୁଇଟି ଶାଢି, ଶିଶୁ ପୁତ୍ର ପାଇଁ ଡ୍ରେସ୍, କମ୍ବଳ ଓ କିଛି ଅର୍ଥ ପ୍ରଦାନ କରାଯାଇଥିଲା । ସରପଞ୍ଚ ଦୁଦୁରା ପଡିଆମୀ ଉପସ୍ଥିତ ଥିଲେ । କ୍ଷୟକ୍ଷତି ଆକଳନ ପରେ ଇର୍ମାଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି । ଏବେ ଇର୍ମାଙ୍କ ଘରେ ତାଙ୍କ ସ୍ତ୍ରୀ ଓ ପିଲା ପିନ୍ଧିଥିବା ବସ୍ତ୍ର ଛଡା ଆଉ କିଛି ନାହିଁ । କ୍ଷୟକ୍ଷତି ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ଆଣି ଦେଇଛି । ଅନେକ ଲୋକ ମଧ୍ୟ ଏଭଳି ଦୁଃଖରେ କୋହ ସମ୍ଭାଳି ପାରିନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons