ଭଞ୍ଜନଗର,(ବି.ବି.ନୁ୍ୟଜ): ହାତୀ ଛୁଆ ଦେଖିବାକୁ ଉତ୍ସୁକତା ଜୀବନ ନେଲା । ଭଞ୍ଜନଗର ନିକଟ ନୂଆପଲ୍ଲୀ ଗାଁ ନିକଟରେ ରବିବାର ଅପରାହ୍ଣରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ନୂଆପଲ୍ଲୀ ଗ୍ରାମର ଶୁକୁରିଆ ନାୟକ (୫୫) । ତାଙ୍କୁ ହାତୀପଲ ଦଳି ଚକଟି ଦେବାରୁ ସେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଗାଲେରୀ ଜରି ସାହିର ଗଣେଷ ଗୌଡ (୧୨)ଙ୍କୁ ହାତୀ ଦୂରକୁ ଫିଙ୍ଗି ଦେଇଥିବା ବେଳେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ୍ ସୁଦର୍ଶନ ବାଦୀଙ୍କ ସୂଚନା ପ୍ରକାରେ ଏହି ବନଖଣ୍ଡର ଗାଲେରୀ ରେଞ୍ଜ୍ ବଦାଙ୍ଗୀ ସେକ୍ସନ୍ ଅନ୍ତର୍ଗତ ନୂଆପଲ୍ଲୀ ଗ୍ରାମ କାଜୁ ଜଙ୍ଗଲରେ ୨୨ ଜଣିଆ ହାତୀପଲ ଗତ ୫ ଦିନ ଧରି ଡେରା ପକାଇଛନ୍ତି । ରବିବାର ଏମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଛୁଆ ଜନ୍ମ କରିଥିଲା । ତାହାକୁ ଦେଖିବାକୁ ସେଠାରେ ବିଭିନ୍ନ ଗ୍ରାମର ଲୋକ ରୁଣ୍ଡ ହୋଇଥିଲେ । ଛୁଆର ସୁରକ୍ଷା ପାଇଁ ହାତୀମାନେ ଉକ୍ତ ଇଲାକା ନଛାଡିବା ସହ ଏକ ପ୍ରକାର ସୁରକ୍ଷା କର୍ଡନ କରି ଘେରି ରହିଥିଲେ । ନବଜାତକ ପ୍ରତି କାଳେ କିଛି ବିପଦ ଆସିବ ସେହି କାରଣରୁ ହାତୀପଲ ହୋହାଲ୍ଲାରେ ଉତ୍କ୍ଷୀପ୍ତ ହୋଇ ଦେଖଣାହାରୀଙ୍କୁ ଗୋଡାଇଥିଲେ । ଶୁକୁରିଆ ଦୌଡି ନପାରି ପଡିଯିବାରୁ ହାତୀପଲ ତାଙ୍କୁ ଚକଟି ଦେଇଥିବା ଜଣାପଡିଛି । ସେହିପରି ଗଣେଷଙ୍କୁ ହାତୀ ଟେକି ଦୂରକୁ ଫୋପାଡି ଦେବାରୁ ସେ କଚାଡି ହୋଇ ପଡିବା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଅଣ୍ଟାରେ ଅଧିକ ମାଡ ହୋଇଛି ।
ହାତୀପଲଙ୍କୁ ସୁରକ୍ଷା ଦେବା ପାଇଁ ବନ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ ହେଁ ଅଘଟଣକୁ ରୋକିବା ସମ୍ଭବପର ହୋଇପାରି ନଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ଶୁକୁରିଆଙ୍କ ଶବ ଚାରିପଟେ ହାତୀ ଘେରି ରହିଥିବାରୁ ତାହାକୁ ଉଦ୍ଧାର କରାଯାଇପାରିନାହିଁ । ବନ ବିଭାଗ କର୍ମଚାରୀମାନେ ରେଞ୍ଜର୍ ଉମାକାନ୍ତ ଦାଶଙ୍କ ନେତୃତ୍ୱରେ ଘଟଣାସ୍ଥଳରୁ ହାତୀଙ୍କୁ ଘଉଡାଇବା ସହ ଶବ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି । ହାତୀପଲରେ ରବିବାର ଜନ୍ମିତ ଛୁଆ ହାତୀକୁ ମିଶାଇ ଦୁଇଟି ଛୁଆ ଥିବା ଅନୁମାନ କରାଯାଉଛି । ଏଭଳି କିଛି କାରଣରୁ ହାତୀମାନଙ୍କୁ ଯେତେ ଘଉଡାଇଲେ ମଧ୍ୟ ସେମାନେ ଘଟଣାସ୍ଥଳ ଛାଡୁନଥିବା ଅନୁମାନ କରାଯାଉଛି ବୋଲି ଡିଏଫଓ ଅଭୟ ଦଳାଇ ସୂଚନା ଦେଇଛନ୍ତି । ଆଗକୁ ଯେପରି ଧନଜୀବନ କ୍ଷତି ନହେବ ସେଥିପାଇଁ ଘଟଣାସ୍ଥଳରେ ରେଞ୍ଜର୍ଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।
Comments are closed, but trackbacks and pingbacks are open.