ପାଳଲହଡ଼ା,(ବି.ବି.ନୁ୍ୟଜ): ଦୀର୍ଘ ଦିନରୁ ପ୍ରେମ କରୁଥିଲେ ହେଁ ବିବାହ କରିବାକୁ ପ୍ରେମିକାର ପରିବାର ଧରାଛୁଆଁ ଦେଇନଥିଲେ । ଇତି ମଧ୍ୟରେ ପ୍ରେମିକାର ଅନ୍ୟତ୍ର ବିବାହ ଲଗ୍ନ ସ୍ଥିର କରିଛନ୍ତି ପରିବାର ଲୋକ । ଏଥିରେ ହତାଶ ପ୍ରେମିକ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଥାନା ଆଗରେ ଦେହରେ କିରାସିନ୍ ଢାଳି ନିଆଁ ଲଗାଇ ଦେଇଛନ୍ତି । ସୌଭାଗ୍ୟକ୍ରମେ ପୁଲିସ ଠିକଣା ସମୟରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସଂପୃକ୍ତ ପ୍ରେମିକ । ଶନିବାର ପୂର୍ବାହ୍ନରେ ଏହି ଘଟଣା ପାଳଲହଡ଼ା ସଦର ମହକୁମାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ବେଳେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ହଠାତ୍ ଥାନା ସାମ୍ନା ରାସ୍ତାରେ ଦୌଡ଼ି ଥାନା ପରିସରକୁ ପ୍ରବେଶ କରିଥିଲେ । ପୁଲିସ ମୋ’ ପ୍ରେମିକାକୁ ଆଣି ଦେଉ ବୋଲି ପାଟି କରି କହିବା ସହ ଦେହରେ କିରାସିନ୍ ଢାଳି ନିଆଁ ଲଗାଇ ଦେଲା । ଉପସ୍ଥିତ ପୁଲିସ କର୍ମଚାରୀ ବିଶ୍ୱନାଥଙ୍କୁ କାବୁ କରି ନିଆଁ ଲିଭାଇବା ସହ ତୁରନ୍ତ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଂପ୍ରତି ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ବିଶ୍ୱନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତାଙ୍କ ପିଠି ପାଖ ପୋଡ଼ିଯାଇଛି । ସେ କିଛି କାଗଜପତ୍ର ଧରିଥିବା ବେଳେ ପୁଲିସ ତାକୁ ଜବତ କରିଛି ।
ବିଶ୍ୱନାଥଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ । ସେ ସମ୍ବଲପୁର ଜିଲ୍ଲା ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀଙ୍କ ବିବାହ ପରିବାର ଲୋକ ଅନ୍ୟତ୍ର ଠିକ୍ କରିଛନ୍ତି । ପ୍ରେମିକାକୁ ନପାଇବାରୁ ବିଶ୍ୱନାଥ ମାନସିକ ଦୁଶ୍ଚିନ୍ତାରେ ରହି ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.