ଜୟପୁର,(ବି.ବି.ନୁ୍ୟଜ): ବିରଳ ପ୍ରଜାତିର ବଜ୍ରକାପ୍ତା ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ବନବିଭାଗ । ବୋରିଗୁମ୍ମା ବ୍ଲକ ଚମ୍ପାପଦରରୁ ଏକ ବଜ୍ରକାପ୍ତା ଉଦ୍ଧାର କରିବା ସହ କାରବାରରେ ଲିପ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛି ତରାଭଟ୍ଟା ଥାନା କାଠରଗଡ଼ା ଚମ୍ପାପଦରର ଦାମ ଗୌଡ଼(୩୨) । ଜବତ ବଜ୍ରକାପ୍ତାକୁ ୨ ଲକ୍ଷ ଟଙ୍କା ଦାମ୍ରେ ବିକ୍ରି କରିବାକୁ ଅଭିଯୁକ୍ତ ଯୋଜନା କରିଥିଲା । ବନବିଭାଗ କର୍ମଚାରୀ ନିଜକୁ ବ୍ୟବସାୟୀ ପରିଚୟ ଦେଇ ତାକୁ ଗିରଫ କରିଥିବା ଜୟପୁର ସହକାରୀ ବନ ସଂରକ୍ଷକ(ପ୍ରବର୍ତ୍ତନ ଓ ଅପରାଧ ନିୟନ୍ତ୍ରଣ) ସୁଭାଷଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।
ଶ୍ରୀ ଖୁଣ୍ଟିଆଙ୍କ ସୂଚନା ଅନୁଯାୟୀ, କାଠରଗଡ଼ା ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ଚାଲିଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଭିଜିଲାନ୍ସ ଏସ୍ପି ଶଶିଶେଖର ମହାପାତ୍ର ଏବଂ ଡିଏଫଓ ନାୟକଶ୍ରୀ ଜଗଦୀଶ ପ୍ରସାଦ ସିଂଙ୍କ ନିଦେ୍ର୍ଧଶକ୍ରମେ ଏକ ୧୨ ଜଣିଆ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା । ଆଜି ପୂର୍ବାହ୍ନ ୯ଟାରେ କର୍ମଚାରୀମାନଙ୍କୁ ଚମ୍ପାପଦରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଜଣେ ବିଭାଗୀୟ କର୍ମଚାରୀ ବେଶ ବଦଳାଇ ଚମ୍ପାପଦରରେ ପହଞ୍ଚିଥିଲେ । ନିଜକୁ ବ୍ୟବସାୟୀ ବୋଲି ଦାମକୁ ପରିଚୟ ଦେଇଥିଲେ । ୨ ଲକ୍ଷ ଟଙ୍କା ଦେଲେ ବଜ୍ରକାପ୍ତା ବିକ୍ରି କରିବ ବୋଲି ଦାମ କହିଥିଲା । ବଜ୍ରକାପ୍ତା ହାତକୁ ଆସିବା ପରେ ଅଧିକାରୀମାନେ ଚଢଉ କରିଥିଲେ । ପଚରାଉଚରା ବେଳେ ଏହାକୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିଟ୍କାସିଲ ଅଞ୍ଚଳରୁ ଆଣିଥିବା ଅଭିଯୁକ୍ତ ସ୍ୱୀକାର କରିଥିଲା । ଓଜନ ବେଳେ ଏହା ୧ କେଜି ୭୦୦ ଗ୍ରାମ ଥିବା ଜଣାପଡିଥିଲା । ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରାଯାଇଛି । ରବିବାର ତାକୁ କୋର୍ଟ ଚାଲାଣ କରାଯିବ । ଉଦ୍ଧାର ବଜ୍ରକାପ୍ତାକୁ ବୋରିଗୁମ୍ମା ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି । ପ୍ରାଥମିକ ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡାଯିବ । ଜୟପୁର ଏସିଏଫ୍ ପ୍ରଭୁଦତ୍ତ ହିମାଂଶୁ ମିଶ୍ରଙ୍କ ନେତୃତ୍ୱରେ ଭାରପ୍ରାପ୍ତ ରେଞ୍ଜ ଅଫିସର ଦିଲ୍ଲୀପ ପଟ୍ଟନାୟକ, ଫରେଷ୍ଟର ସଚ୍ଚଦାନନ୍ଦ ପରିଡା, ଦେବେନ୍ଦ୍ର ନାୟକ, ଭିଜିଲାନ୍ସ ଫରେଷ୍ଟର୍ ଗଗନ ବିହାରୀ ପଣ୍ଡା, ଜିତେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ୧୦ ଜଣ ପାରାଷ୍ଟାଫ୍ ଚଢଉରେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.