କୁଆରମୁଣ୍ଡା,(ବି.ବି.ନୁ୍ୟଜ): ଭଲ ଚାକିରି ଏବଂ ଭଲ ଦରମା ଦେବାକୁ କହି ସୁନ୍ଦରଗଡ଼ ଜିଲ୍ଲା ବାହାରର ଯୁବକ ଯୁବତୀମାନଙ୍କୁ ଆଣି ଠକେଇ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଆଜି ରାଉରକେଲାର ରଘୁନାଥପାଲି ପୁଲିସ୍ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ଜଣେ ଢେଙ୍କାନାଳର ଯୁବତୀଙ୍କ ସହ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ମିଳିଥିବା ସୂଚନାନୁସାରେ ଏକ ଘରୋଇ ସଂସ୍ଥା ବିଭିନ୍ନ ଜିଲ୍ଲାରୁ ଯୁବକ ଯୁବତୀମାନଙ୍କୁ ଭିନ୍ନ ଭିନ୍ନ କମ୍ପାନୀରେ ଚାକିରି କରାଇ ଦେବାକୁ କହି ପ୍ରତ୍ୟେକଙ୍କ ଠାରୁ ୨୦ରୁ ୪୦ ହଜାର ଟଙ୍କା ଲେଖାଏଁ ନେଇଥାଏ । ଏପରିକି ଯୁବକ ଯୁବତୀମାନଙ୍କୁ ଏଠାକୁ ଆଣି ସମ୍ପୃକ୍ତ ସଂସ୍ଥା ଘର ଘର ବୁଲାଇ ବିଭିନ୍ନ ଜିନିଷ ବିକ୍ରି କରାଉଥିବାର ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା । ତେବେ ଢେଙ୍କାନାଳରୁ ଆସିଥିବା ଜଣେ ଯୁବତୀ ଏଠାକୁ ଆସିଥିବା ବେଳେ ସେ ଏ କାମ କରିବେ ନାହିଁ ବୋଲି କହିବାରୁ ତାଙ୍କୁ ସଂସ୍ଥାର କର୍ମକର୍ତ୍ତାମାନେ ଧମକଚମକ ଦେଉଥିଲେ । ସମ୍ପୃକ୍ତ ଯୁବତୀ ଭିଣୋଇଙ୍କୁ ସମସ୍ତ ବିଷୟ ଜଣାଇଥିଲେ । ଏହା ପରେ ତାଙ୍କ ଭିଣୋଇ ରଘୁନାଥପାଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ରଘୁନାଥପାଲି ପୁଲିସ୍ କୁଆରମୁଣ୍ଡା ପୁଲିସ୍ ସହ ମିଶି କୁଆରମୁଣ୍ଡାର ଭାଟିଟୋଲି ଅଞ୍ଚଳରେ ଥିବା ଏକ ରୁମ୍ରୁ ଦୁଇ ଜଣ ଯୁବତୀଙ୍କୁ ଆଜି ଅପରାହ୍ନରେ ଉଦ୍ଧାର କରିଥିଲା । ଅନ୍ୟପଟେ ପୁଲିସ୍ ଦୁଇ ଜଣ ଦଲାଲ ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ମାତ୍ର ଏ ନେଇ ବର୍ତ୍ତମାନ ଯାଏ କୌଣସି ମାମଲା ରୁଜୁ ହୋଇନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ସଂଧ୍ୟାରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରୁ ପାଖାପାଖି ୩୦ ଯୁବତୀଙ୍କୁ ରଖାଯାଇଥିବା ଖବର ପାଇ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ପୁଲିସ୍ ସହାୟତାରେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହା ପୂର୍ବରୁ ଉକ୍ତ ଘରୋଇ ସଂସ୍ଥା ନାମରେ ମଧ୍ୟ ପୁଲିସ୍ରେ ଅଭିଯୋଗ ହୋଇଥିଲା । ମାତ୍ର ପୁଲିସ୍ ସେତେ ବେଳେ ଯଦି ଉଚିତ ପଦକ୍ଷେପ ଗ୍ରହଣ କରିଥାନ୍ତା ତାହା ହେଲେ ଆଜି ଏଭଳି ଘଟଣା ଘଟିନଥାନ୍ତା ।
Comments are closed, but trackbacks and pingbacks are open.