କୋଭିଡ ଟିକା ନେଇ ସୁରକ୍ଷା କର୍ମୀଙ୍କ ମୃତୁ୍ୟ!

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ): ନୂଆପଡ଼ାରେ ଜଣେ କରୋନା ଯୋଦ୍ଧାଙ୍କ ମୃତୁ୍ୟ ହୋଇଛି । ଯୋଦ୍ଧା ଜଣକ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀ ଏବଂ ସେ କୋଭିଡ ଟିକା ନେଇସାରିଥିଲେ । ଏଣୁ ତାଙ୍କ ମୃତୁ୍ୟକୁ ନେଇ ବିବାଦ ଦେଖାଦେଇଛି । ଯୋଦ୍ଧା ଜଣକ କୋଭିଡ୍ ଟିକା ନେବା ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । କରୋନା ଟିକା ତାଙ୍କ ମୃତୁ୍ୟର କାରଣ ନୁହେଁ, ବରଂ ରକ୍ତହୀନତାର ଶିକାର ହୋଇ ସେ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ମୃତ ସୁରକ୍ଷା କର୍ମୀ ଜଣକ ହେଲେ ସଦର ଥାନା ଦିଆନମୁଣ୍ଡା ଗାଁର ନାନିକରାମ କେଉଟ(୨୭) । ଆଉ ଜଣେ ମହିଳା ସୁରକ୍ଷା କର୍ମୀ ମଧ୍ୟ ଟିକା ନେବା ପରେ ଅସୁସ୍ଥ ଥିବା ଅଭିଯୋଗ ହୋଇଛି । ତାକୁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ।
ସୂଚନାମତେ, ୨ ମାସ ତଳେ ନାନିକରାମ ଜିଲ୍ଲା କୋଭିଡ ହସ୍ପିଟାଲରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିଲେ । କିଛିଦିନ ହେବ କୋଭିଡ ହସ୍ପିଟାଲରେ ରୋଗୀ ସଂଖ୍ୟା କମିଯିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । ୨୩ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାନିକରାମ କୋଭିଡ ଟିକା ନେଇଥିଲେ । ଏହି ଟିକା ନେବା ପରେ ଅସୁସ୍ଥ ଅନୁଭବ କରିଥିଲେ । ଏହାସତ୍ତେ୍ୱ ନାନିକରାମ ନିଜ ଡିୟୁଟି ଜାରି ରଖିଥିଲେ । ଗତ ୨୫ ତାରିଖ ରାତି ୮ଟାରେ ଡିୟୁଟି ସମୟରେ ହଠାତ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କର ସହଯୋଗୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ରାତିରେ ରକ୍ତବାନ୍ତି ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଗତକାଲି ସକାଳେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ନାନିକରାମଙ୍କ ମୃତୁ୍ୟ ହୋଇଥିଲା । ଗତକାଲି ଅପରାହ୍ନରେ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ । ଗରିବ ସେନା ସଂଗଠନ ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ୱରେ ପରିବାର ଲୋକେ ଓ ସୁରକ୍ଷା କର୍ମୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗେଟ୍ରେ ଧାରଣା ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ସିଡିଏମଓ ଡା.କାଳୀଚରଣ ବେହେରା ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା କର୍ମୀ ଓ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଅପରାହ୍ନରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଧାରଣା ସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସର ପାଣ୍ଠିରୁ ୨୫ ହଜାର ଓ ସିକୁ୍ୟରିଟି ସଂସ୍ଥା ତରଫରୁ ୨୫ ହଜାର ଟଙ୍କାର ସହୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏନେଇ ସିଡିଏମଓ ଶ୍ରୀ ବେହେରାଙ୍କୁ ପଚାରିବାରୁ, କରୋନା ଟିକା ପାଇଁ ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବେ ମୃତୁ୍ୟର କାରଣ ଜଣାପଡିନାହିଁ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଥିଲେ । କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମୁଖପାତ୍ର ଡା. ବିନୋଦ ବିହାରୀ ରଥଙ୍କୁ ପଚାରିବାରୁ, କୋଭିଡ ଟିକା ପାଇଁ ତାଙ୍କର ମୃତୁ୍ୟ ହୋଇନାହିଁ । ମୃତକ ସୁରକ୍ଷା କର୍ମୀଙ୍କ ଶରୀରରେ ୫.୪ ଗ୍ରାମ ରକ୍ତ ଥିଲା । ରକ୍ତହୀନତା ହେତୁ ତାଙ୍କୁ ରକ୍ତବାନ୍ତି ହେବାରୁ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି ରକ୍ତ ଚଢ଼ା ଯାଇଥିଲା । ରାତିରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି କହିଥିଲେ । ସେହିପରି ଅସୁସ୍ଥ ଥିବା ମହିଳା ସୁରକ୍ଷା କର୍ମୀ ଜଣକ ହେଲେ ରମାଶ୍ରୀ ତାଣ୍ଡି (୨୫) ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଶ୍ରୀ ରଥ କହିଛନ୍ତି । ତାଙ୍କର କିଡ୍ନୀ ସମସ୍ୟା ଥିବାରୁ ସେ ଅସୁସ୍ଥ ଥିଲେ ବୋଲି ଶ୍ରୀ ରଥ କହିଛନ୍ତି ।
ପ୍ରକାଶ ଯେ ଫେବୃୟାରୀ ୧୯ ତାରିଖରେ ନାନିକରାମଙ୍କ ବିବାହ ଲଗ୍ନ ସ୍ଥିର ହୋଇଥିଲା । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା । ସବୁ କିଣାକିଣି ସରି ବିବାହ କାର୍ଡ ମଧ୍ୟ ବଣ୍ଟନ ସରିଥିଲା । ହେଲେ ବିବାହର ୨୫ ଦିନ ପୂର୍ବରୁ ନାନିକରାମ ସମଗ୍ର ପରିବାରକୁ ଶୋକ ସାଗରରେ ବୁଡ଼ାଇ ଚାଲିଗଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons