‘୫ ଟି’ରେ ୯ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାଡ଼ି କାଗଜପତ୍ର ପାଇଁ ଆଉ ବାରମ୍ବାର ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ଙ୍କ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବନି । ଗାଡ଼ି ପଞ୍ଜୀକରଣ ହେଉ ଅବା ବସ୍ ପରମିଟ୍, ଆନ୍ତର୍ଜାତିକ ଡ୍ରାଇଭିଂ ପାଇଁ ପରମିଟ୍, ପଞ୍ଜୀକରଣର ନବୀକରଣ ହେଉ ଅବା ଗାଡ଼ି ମାଲିକାନା ପରିବର୍ତ୍ତନ ଏସବୁ କାମ ପାଇଁ ଆଉ ଆର୍ଟିଓ ଅଫିସ ଆଗରେ ଚକ୍କର କାଟିବାକୁ ପଡ଼ିବନି । ଅନ୍ଲାଇନ୍ରେ ଏଣିକି ମିଳିବ ସବୁ ସେବା । ପରିବହନ ଅଫିସଗୁଡ଼ିକ ହେବ କାଗଜଶୂନ୍ୟ । ଏପରିକି ମୋବାଇଲ ଆପ୍ରେ ମିଳିବ ଲର୍ଣ୍ଣିଂ ଲାଇସେନସ୍ । ଉମଙ୍ଗ ଆପ୍ରେ ଲର୍ଣ୍ଣର୍ସ ଲାଇସେନସ୍ ପ୍ରଦାନରେ ସମଗ୍ର ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଗାଡ଼ି ସଂପର୍କିତ ସେବା ପାଇବାକୁ ରାଜ୍ୟର ଯେ କୌଣସି ଆରଟିଓକୁ ଜଣେ ବାଛିପାରିବେ । ପରିବହନ ବିଭାଗର ଏହିଭଳି ୯ ସେବାକୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ‘୫ ଟି’ରେ ନାଗରିକ କେନ୍ଦ୍ରିକ ସେବା ଓ ସୁବିଧା ଯୋଗାଇବାକୁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆଜି ‘୫ ଟି’ରେ ପରିବହନ ବିଭାଗର ୯ ସେବାର ଶୁଭାରମ୍ଭ କରିଛନ୍ତି । ଏଣିକି ଜଣେ ଗାଡ଼ି କିଣିଲା ପରେ ବିନା ବାଧାରେ ଗାଡ଼ିର ପଞ୍ଜୀକରଣ ହେବ । ଗାଡ଼ି ଯେଉଁଠୁ କିଣାହେବ ସଂପୃକ୍ତ ଡିଲର ପଞ୍ଜୀକରଣ ପାଇଁ ଅନ୍ଲାଇନରେ ସ୍କାନ କରି ଆବଶ୍ୟକ କାଗଜପତ୍ର ଅପଲୋଡ କରିବେ । ଡିଜିଟାଲ ଦସ୍ତଖତ ଅପଲୋଡ ହେବା ସହ ଟ୍ୟାକ୍ସ ଦାଖଲ ପରେ ବିନା ବାଧାରେ ସ୍ୱୟଂକ୍ରିୟ ପଦ୍ଧତିରେ ଗାଡ଼ିର ପଞ୍ଜୀକରଣ ହୋଇପାରିବ । ଏପରିକି ଗାଡ଼ି କ୍ରେତା ରାଜ୍ୟର ଯେ କୌଣସି ଆର୍ଟିଓ ଅଫିସରେ ଗାଡ଼ି ପଞ୍ଜୀକରଣ କରିପାରିବେ । ଏଥିପାଇଁ ବ୍ୟକ୍ତିଗତ ଭାବେ ସଂପୃକ୍ତ ଆର୍ଟିଓ ଅଫିସକୁ ଯିବାକୁ ପଡ଼ିବନି । ସମସ୍ତ କାଗଜପତ୍ର ଇଲେକଟ୍ରୋନିକ୍ ଫର୍ମରେ ଦାଖଲ ହେବ । ଏହାଦ୍ୱାରା ବାର୍ଷିକ ପ୍ରାୟ ୧ କୋଟି ଫର୍ଦ୍ଧ କାଗଜ ବଞ୍ଚିବ, ଯାହା ୧ ହଜାର ଗଛର ସୁରକ୍ଷା କରିପାରିବ । ସମସ୍ତ କାଗଜପତ୍ର ଡିଜିଟାଲ ଫର୍ମାଟରେ ଅପଲୋଡ଼ ହେବ, ତେଣୁ ଆର୍ଟିଓ ଅଫିସକୁ ବ୍ୟକ୍ତିଗତ ଭାବେ ଯିବା କିମ୍ବା ବାରମ୍ବାର ଯୋଗାଯୋଗ କରିବାର ଆବଶ୍ୟକତା ପଡ଼ିବନି । ଏ ନୂଆ ବ୍ୟବସ୍ଥା ଦ୍ୱାରା ଆଉ ପରିବହନ ଅଫିସ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିବନି । ଲମ୍ବା ଧାଡ଼ି ଅତୀତ ପାଲଟିଯିବ ।
ମାଲ୍ ପରିବହନ ପରମିଟ୍, ଆନ୍ତଃରାଜ୍ୟ ସ୍ୱତନ୍ତ୍ର ବସ୍ ପରମିଟ୍ ଭଳି ସେବା ମଧ୍ୟ ଅନଲାଇନରେ ଉପଲବ୍ଧ ହୋଇପାରିବ । ‘୫ଟି’ରେ ପରିବହନ ବିଭାଗର ଏହିସବୁ ସେବାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ଆମ ଦୈନନ୍ଦିନ ଜୀବନରେ ପରିବହନ ସେବା ଜଡ଼ିତ ହୋଇ ରହିଛି । ଲୋକମାନଙ୍କୁ ସୁବିଧାରେ ହାତପାଆନ୍ତାରେ ସେବା ଯୋଗାଇବାକୁ ସରକାର ଅନ୍ଲାଇନ୍ରେ ଅଧିକାଂଶ ସେବା ଯୋଗାଇବେ । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଡିଜିଟାଲ ଦସ୍ତଖତ ଅପଲୋଡ କରି ଅଧିକାଂଶ ଜରୁରି ସେବା ଯୋଗାଇଦେବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ବିଭାଗ ଆହୁରି ତପôରତା ପ୍ରକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ, ରାଜ୍ୟରେ ପରିବହନ ସେବାକୁ ଜନସାଧାରଣଙ୍କୁ ସୁହାଇଲା ଭଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିରୁ ରାଜ୍ୟରେ କାଗଜଶୂନ୍ୟ ଭାବେ ପରିବହନ ସେବା ମିଳିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ, ପରିବହନ ସେବାରେ ଆସିଥିବା ସଂସ୍କାରକୁ ନେଇ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରୁଥିବା ‘ମୋ ସରକାର’ରେ ଲୋକ ଦେଉଥିବା ମତରୁ ଜଣାପଡ଼ୁଛି ।
ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପରିବହନ କମିଶନର ସଂଜୀବ ପଣ୍ଡା ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କୃଷି ଉପôାଦନ କମିଶନର ରାଜ କୁମାର ଶର୍ମା, ଏନ୍ଆଇସି ଡିଜି ଡା. ନୀତା ବର୍ମା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons