ବୁଗୁଡ଼ା, (ବି.ବି.ନୁ୍ୟଜ): ମୃତୁ୍ୟ କେତେବେଳେ କାହା ପାଇଁ କେମିତି ଆସେ ତାହା କାହାରିକୁ ଜଣା ନଥାଏ । ଆକସ୍ମିକ ଅଘଟଣରୁ କ୍ଷଣିକ ମଧ୍ୟରେ ଚାଲିଯାଏ ଜୀବନ । ସୋମବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ପାଙ୍ଗିଡ଼ି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁ ଭିତର ରାସ୍ତାକଡ଼ରେ ଜେସିବି ସାହାଯ୍ୟରେ ମାଟି ଖୋଳା ହେଉଥିଲା । ବାରଣ୍ଡାରେ ବସି ସେହି କାର୍ଯ୍ୟ ଦେଖୁଥିଲେ ଜଣେ ବୃଦ୍ଧ ସୁବାସ ଚନ୍ଦ୍ର ଦୋରା (୬୦) । ହଠାତ୍ ଜେସିବିର ବୁମ୍ (ଶୁଣ୍ଢ)ଟି ଛିଣ୍ଡି ତାଙ୍କ ଉପରେ ପଡ଼ିଯିବାରୁ ସୁବାସଙ୍କ ଜୀବନ ଚାଲିଯାଇଛି । ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଥିଲେ । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଜେସିବି ଡ୍ରାଇଭର୍ ଫେରାର ଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
ପାଙ୍ଗିଡ଼ି ଗ୍ରାମରେ ଘରୋଇ ପାଇପ୍ ଲାଇନ୍ ସଂଯୋଗ ପାଇଁ କାମ ଚାଲିଥିଲା । ନୟାଗଡ଼ ଜିଲ୍ଲା ରୋହିବାଙ୍କର ଜଣେ ଠିକାଦାର ଏହି କାମ କରୁଥିଲେ । ମୁଖ୍ୟ ସଡ଼କ ପାଶ୍ୱର୍ରେ ଜେସିବି(ଓଡି୨୫ଏ-୭୫୩୫) ଦ୍ୱାରା ମାଟି ଖୋଳା ଯାଉଥିଲା । ସକାଳ ପ୍ରାୟ ସାଢେ଼ ୯ଟାରେ ନିଜ ନିଜ ଘର ବାରଣ୍ଡାରେ ରହି କିଛି ଲୋକ ଏହି କାମ ଦେଖୁଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସୁବାସ । ଏତିକି ବେଳେ ହଠାତ ଜେସିବିର ବୁମ୍ (ଶୁଣ୍ଢ)ଟି ଛିଣ୍ଡି ଯାଇଥିଲା । ନିକଟରେ ଠିଆ ହୋଇଥିବା ଦୁଇ ଯୁବକ ପଛକୁ ହଟିଯାଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ସୁବାସଙ୍କ ସେହି ସୌଭାଗ୍ୟ ନଥିଲା । ଭିନ୍ନକ୍ଷମ ସୁବାସ ବୁମ୍ ତଳେ ଚାପି ହୋଇ ଯାଇଥିଲେ । ତାଙ୍କର ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ହାଡ଼ ଭାଙ୍ଗି ଚୁନା ହୋଇଯାଇଥିଲା । ତାଙ୍କୁ ଏକ ଅଟୋ ଯୋଗେ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଜେସିବି ଡ୍ରାଇଭର ଚମ୍ପଟ ମାରିଛି । ବୁଗୁଡ଼ା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ୍ ନମ୍ବର ୩/୨୦୨୧ (ଅପମୃତୁ୍ୟ ମାମଲା) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.