୩୦ ଫୁଟ୍ ଉଚ୍ଚରୁ ପଡ଼ି କର୍ମଚାରୀଙ୍କ ମୃତୁ୍ୟ

Get real time updates directly on you device, subscribe now.

ରେଙ୍ଗାଲି,(ବି.ବି.ନୁ୍ୟଜ): ରେଙ୍ଗାଲି ପଣ୍ଡଲୋଇସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନା ନିକଟବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ଯେତିକି ପ୍ରାଣଘାତୀ ସାଜିଛି, ନିଜ ଶ୍ରମିକ କର୍ମଚାରୀଙ୍କ ପାଇଁ ତାଠାରୁ ଅଧିକ ଜୀବନ ଯନ୍ତ୍ରଣାର କାରଣ ସାଜିଛି । କାରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ ଅଣଦେଖା କରାଯାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ନିରୀହ ଶ୍ରମିକ କର୍ମଚାରୀଙ୍କ ଜୀବନ ଯାଉଛି । ମାତ୍ର କିଛି ମାସର ବ୍ୟବଧାନ ପରେ ଆଜି ପୁଣି କାରଖାନାରେ ବିପଦସଂକୁଳ ଅବସ୍ଥାରେ କାମ କରୁଥିବା ବେଳେ ୩୦ ଫୁଟ୍ ଉଚ୍ଚରୁ ପଡି ଜଣେ କର୍ମଚାରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ କର୍ମଚାରୀଙ୍କ ଧର ଛତିଶଗଡର ଜାମଗାଁରେ ବୋଲି ଜଣାପଡିଛି । ତେବେ, ପ୍ରତିଥର ଭଳି ଏଥର ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଲୁଚାଇବାର ପ୍ରଚେଷ୍ଟା କରି ବିଫଳ ହୋଇଛନ୍ତି । ଆଜିର ମୃତୁ୍ୟକୁ ମିଶାଇ ମାତ୍ର ବର୍ଷକ ମଧ୍ୟରେ ଏହି କାରଖାନାରେ ୫ ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତା ପାଇଁ ଖୋଦ୍ କାରଖାନାର କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।
ଗତକାଲି ଅପରାହ୍ନରେ ଶ୍ୟାମ୍ ମେଟାଲିକ୍ସ କାରଖାନାର ଡିଆର୍ଆଇ-୧ ନମ୍ବର ପ୍ଲାଣ୍ଟରେ କାମ ଚାଲିଥିବା ବେଳେ ୩୦ ଫୁଟ୍ ଉଚ୍ଚରୁ ପଡି ମୋତିଲାଲ ଗୁପ୍ତା(୫୬) ନାମକ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ସମ୍ବଲପୁର ସହରର ଏକ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଯାଇଛି । ତାଙ୍କ ଘର ଛତିଶଗଡର ରାୟଗଡ ଜିଲ୍ଲାର ଜାମଗାଁରେ ବୋଲି ଜଣାପଡିଛି । ସେ ଦୀର୍ଘ ଦିନ ହେଲା କାରଖାନାରେ କାମ କରୁଥିବା ବେଳେ ରେଙ୍ଗାଲିର ପୁରୁଣାବସ୍ତିରେ ରହୁଥିଲେ । ଏନେଇ ରେଙ୍ଗାଲି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।
ସୂଚନା ଥାଉ ଗତବର୍ଷ ଜାନୁଆରୀ ମାସରେ ୨୦ ଫୁଟ ତଳକୁ ଖସି ଇଲେକ୍ଟ୍ରିସିଆନ୍ ଝାରସୁଗୁଡ଼ା ଏକାତାଲିର ବସନ୍ତ ମେହେର (୩୩)ଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣା ପୂର୍ବରୁ ୨୯ ତାରିଖ ଲୋଡର୍ ମେସିନ୍ ଚାପାରେ ଜଗଦୀଶ କିସାନ (୨୩)ଙ୍କ ମୃତୁ୍ୟ ହୋଇଥିଲା । ଜଗଦୀଶ ଜଣେ ଠିକାଦାର ଅଧୀନରେ ଲୋଡର୍ ଡ୍ରାଇଭର୍ ଭାବେ କାମ କରୁଥିଲେ । ସେହିପରି ଏପ୍ରିଲ ୧୩ ତାରିଖ କାରଖାନାର ବନ୍ଦ ଥିବା ପେଲେଟ୍ ପ୍ଲାଣ୍ଟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଥିଲା ।
ଯୁବକ ଜଣକ ଚୋରି ଉଦେ୍ଧଶ୍ୟରେ ପାଚେରୀ ଡେଉଁଥିବା ବେଳେ ପଡ଼ିଯାଇ ମୃତୁ୍ୟ ହୋଇଥିବା କୁହାଯାଇଥିଲା । ପୁଣି ମେ’ ୧ ଶ୍ରମିକ ଦିବସରେ ତରଳ ଲୁହା ପଡ଼ି ୪ ଶ୍ରମିକ ଗୁରୁତର ଆହତ ହୋଇଥିଲେ । କାରଖାନାର ଏସ୍ଏମ୍ଏସ୍-୨ ସାଇଡ୍ରେ କର୍ମଚାରୀମାନେ କାମ କରୁଥିବା ବେଳେ ପର୍ଟରୁ ତରଳ ଲୁହା ଛିଟିକି ପଡ଼ି ପବନ ଜଗଦଲିଆ, ଜ୍ଞାନେଶ୍ୱର ପ୍ରସାଦ, ଦୁଷ୍ମନ୍ତ ନାୟକ ଓ ଚନ୍ଦନ ମିଶ୍ର ଗୁରୁତର ଆହତ ହୋଇଥିଲେ । ଏମାନଙ୍କ ଗୋଡ଼ ଓ ପିଠି ଜଳି ଯାଇଥିଲା । ଘରୋଇ ନର୍ସିଂହୋମରେ ଏମାନଙ୍କୁ ଚିକିତ୍ସା କରାଯାଇଥିଲା । ଜୁନ ୮ ତାରିଖ ରାତି କନ୍ଭେୟର୍ ବେଲ୍ଟରୁ ଛିଟିକି ପଡ଼ି କଦଳୀପିଠା ଗାଁର ଦଶରଥ ମିର୍ଦ୍ଧା (୩୧)ଙ୍କ ମୃତୁ୍ୟ ହୋଇଥିଲା । ଦଶରଥ ଡବ୍ଲୁ୍ୟଆର୍ଏମ୍ ସାଇଡ୍ରେ କାମ କରୁଥିବା ବେଳେ କନ୍ଭେୟର୍ ବେଲ୍ଟରେ ଲାଗିଯାଇ ଛିଟିକି ପଡ଼ି ଏକ ମେସିନ୍ରେ ପିଟି ହୋଇଥିଲେ । ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତୁ୍ୟ ହୋଇଥିଲା ।
ଗତ ଜୁଲାଇ ୧୨ରେ କାରଖାନା ଫେରୋ ସାଇଡ୍ରେ ତରଳ ଲୁହା ପଟ କ୍ରେନ୍ରେ ଉଠାଇଲା ବେଳକୁ ପଟ୍ ଖସି ପଡ଼ିବାରୁ କ୍ରେନ୍ ଅପରେଟର୍ ଅନୀଲ ଯାଦବ (୪୦) ପୋଡ଼ି ଗୁରୁତର ଆହତ ହୋଇଥିଲେ । କାରଖାନାର ପ୍ରତିଟି ୟୁନିଟ୍ରେ ଶହ ଶହ ଶ୍ରମିକ କର୍ମଚାରୀ ବିପଦଜନକ ଭାବେ ବର୍ଷ ବର୍ଷ ଧରି କାମ କରୁଛନ୍ତି । ନାଁ ଅଛି ସୁରକ୍ଷା ଉପକରଣ, ନାଁ ସୁରକ୍ଷା ବ୍ୟବସ୍ଥା । ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନୀ ହେଉଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନି । କାରଖାନା କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ଧ୍ୟାନ ଦେଉନଥିବା ବେଳେ ସେଫ୍ଟି ଓ ବଏଲର୍ ବିଭାଗ ମଧ୍ୟ ନିଦାବିଷ୍ଣୁ ସାଜିଛି । ଆଉ ଦୁର୍ଘଟଣା ଘଟିବା ମାତ୍ରେ ପ୍ରତିଥର ଘଟଣାକୁ ଚାପିବାକୁ କର୍ତ୍ତୃପକ୍ଷ ଉଦ୍ୟମ କରିବାରେ ହେଳା କରୁନାହାନ୍ତି । ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons