ମାହାଙ୍ଗା,(ବି.ବି.ନୁ୍ୟଜ): ମାହାଙ୍ଗା ଅନ୍ନପୂର୍ଣ୍ଣା ହତ୍ୟାକାଣ୍ଡର ମୁଖ୍ୟ ହତ୍ୟାକାରୀ ମୃତକଙ୍କ ନିଜ ଭଉଣୀ ଜ୍ୱାଇଁ ଦୈତାରୀ ସ୍ୱାଇଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସ୍ପି ଅଲେଖ କୁମାର ପହି । ଆଜି ଦୈତାରୀକୁ ସାଙ୍ଗରେ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୁଲିସ୍ । ପରେ ଅଭିଯୁକ୍ତକୁ ସାଲେପୁର ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଥିଲା । ଜାମିନ ନାମଂଜୁର ହେବାରୁ ଶିଶୁଆ ଉପକାରଗାରକୁ ପଠାଇ ଦିଆଯାଇଛି ।
ପୁଲିସ୍ର ସୂଚନା ମୁତାବକ, ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଦୈତାରୀ ତାଙ୍କ ଘରକୁ ନିୟମିତ ଯାଆସ କରୁଥିଲେ । ଅନ୍ନପୂର୍ଣ୍ଣାଙ୍କ ଅର୍ଦ୍ଧନିର୍ମିତ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ୪ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ । ପରବର୍ତ୍ତୀ ସମୟରେ ଦେଇଥିବା ଟଙ୍କା ମାଗିବାରୁ ଅନ୍ନପୂର୍ଣ୍ଣାଙ୍କ ପରିବାର ସହ ଦୈତାରୀଙ୍କ ତିକ୍ତତା ଆରମ୍ଭ ହୋଇଥିଲା । ଦେଇଥିବା ଟଙ୍କାକୁ ଫେରି ପାଇବା ପାଇଁ ବାରମ୍ବାର ମାଗି ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଥିଲା ଦୈତାରୀ । ଗତ ୧୭ ତାରିଖ ସନ୍ଧ୍ୟାରେ ଦୈତାରୀ ଭେଡା-ସାଲେପୁର ଯାଇ ତାଙ୍କ ଘର ନିକଟରୁ ୨ ଶହ ମିଟର ଦୂର ପାଟ ନାଳୀ ନିକଟରେ ପହଞ୍ଚôଥିଲା । ସେଠାରୁ ଅନ୍ନପୂର୍ଣ୍ଣାଙ୍କୁ ଫୋନ୍ କରି ଡକାଇଥିଲେ । ଅନ୍ନପୂର୍ଣ୍ଣା ପହଞ୍ଚôବା ପରେ ଦେଇଥିବା ଟଙ୍କା ଫେରି ପାଇବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଦୈତାରୀ ରାଗି ଯାଇ ଅନ୍ନପୂର୍ଣ୍ଣାଙ୍କୁ ଏକ ଧକ୍କା ପକାଇବା ଫଳରେ ସେ ପାଟ ନାଳୀ ମଧ୍ୟକୁ ମୁହଁ ମାଡ଼ି ପଡ଼ି ଯାଇଥିଲେ । ଏହାପରେ ଦୈତାରୀ ତାଙ୍କ ବେକକୁ ପଛପଟୁ କାଦୁଅ ଭିତରେ ଚାପି ଧରିବାରୁ ସେ ଅଣନିଃଶ୍ୱାସୀ ହୋଇ ମୃତୁ୍ୟବରଣ କରିଥିବା ଅତିରିକ୍ତ ଏସ୍ପି ଶ୍ରୀ ପହି ପ୍ରକାଶ କରିଛନ୍ତି । ହତ୍ୟା ଅଭିଯୁକ୍ତ ଦୈତାରୀ କାଦୁଅ ଛିଟା ସାର୍ଟ ପ୍ୟାଣ୍ଟ, ଅଣ୍ଡର ୱେର୍, ଗାମୁଛା, ମୋବାଇଲ, ଚପଲ, ମୋଟର ସାଇକେଲ ପୁଲିସ୍ ଜବତ କରିଛି । ଅପରପକ୍ଷରେ ଆଉ କେହି ଅଭିଯୁକ୍ତ ସମ୍ପୃକ୍ତି ରହିଛି କି ନାହିଁ ସେ ପ୍ରଶ୍ନରେ, ଏହି ହତ୍ୟାକାଣ୍ଡ ଏକୁଟିଆ ଦୈତାରୀ କରିଥିବା ସ୍ୱୀକାର କରିଛି ବୋଲି ଶ୍ରୀ ପହି କହିଛନ୍ତି ।


Comments are closed, but trackbacks and pingbacks are open.