ରାୟଗଡ଼ା,(ବି.ବି.ନୁ୍ୟଜ): ବିଳମ୍ବରେ ହେଲେ ବି ଚେତିଛନ୍ତି ରାଜ୍ୟ ସରକାର । ସୀମାନ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହାପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନିଆଯାଇଛି ତ୍ୱରିତ ପଦକ୍ଷେପ । ଆନ୍ଧ୍ରର ଜବରଦଖଲ ରୋକିବା ଲାଗି ସୀମା ସିଲ୍ ଉଦ୍ୟମ ଆରମ୍ଭ ହୋଇଛି । ଯେଉଁଠି ଅଧିକ ଆବଶ୍ୟକ, ସେଠାରେ ସୁରକ୍ଷା ବାଡ଼ ନିର୍ମାଣ ଲାଗି ବିଡିଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ଓଡ଼ିଶା ସୀମାରେ ଥିବା ସରକାରୀ ଜମିରେ ଫଳକ ଲଗାଯିବା କାମ ଆରମ୍ଭ ହୋଇଛି । ପ୍ରତିଦିନ ସୀମା ସ୍ଥିତି ସଂପର୍କରେ ରିପୋର୍ଟ ଦେବାକୁ ବ୍ଲକ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଜିଲ୍ଲାପାଳ ।
ସୀମାନ୍ତ ଅଞ୍ଚଳରେ ମନମୁଖି କାର୍ଯ୍ୟ କରୁଛି ଆନ୍ଧ୍ର । ବେଆଇନ ଭାବେ ଓଡ଼ିଶା ଭିତରକୁ ପଶି କେଉଁଠି ରାସ୍ତା ନିର୍ମାଣ କରୁଛି ତ ଆଉ କେଉଁଠି ଜମି ଜବରଦଖଲ କରୁଛି । ଏହା ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ନିଦେ୍ର୍ଧଶନାମା ଜାରି କରିବା ପରେ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୀମାନ୍ତବର୍ତ୍ତୀ ସମସ୍ତ ତହସିଲଦାର ଏବଂ ବିଡିଓଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ସୀମାରେ ଆନ୍ଧ୍ରର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ କହିଥିଲେ । ସବୁ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ଜମି ଚିହ୍ନଟ କରି ସେଠାରେ ରାଜସ୍ୱ ବିଭାଗ ଫଳକ ଏବଂ ବିବାଦୀୟ ସ୍ଥାନରେ ବାଡ଼ ଘେରିି ସୀମା ସିଲ୍ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆଜି ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗ ପକ୍ଷର କାରୁବାଇ ଓ ଜେମାଦେଇ ପେଣ୍ଠ ରାଜସ୍ୱ ସର୍କଲରେ ଯୁଗ୍ମ ସର୍ଭେ କରାଯାଇ କେତେକ ଅଞ୍ଚଳକୁ ସିଲ୍ କରାଯାଇଛି । ଓଡ଼ିଶାରେ ଥିବା ସରକାରୀ ଜମିରେ ଫଳକ ମଧ୍ୟ ଲଗାଯାଇଛି । ଉକ୍ତ ଜମିରେ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଯାଇଛି । ତହସିଲଦାର ଉମାଶଙ୍କର ବେହେରା ଏବଂ ବିଡିଓ ରାଜେନ୍ଦ୍ର ମାଝୀ ଆଜି କେତେକ ସୀମାନ୍ତ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।


Comments are closed, but trackbacks and pingbacks are open.