କଟକ,(ବି.ବି.ବୁ୍ୟରୋ): ୨୨ ବର୍ଷ ହେଲା ଫେରାର୍ ଥିବା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାକ୍ର୍ାର ଘଟଣାର ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଅଞ୍ଚଳର ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଓରଫ ବିକେକୁ ଗିରଫ କରି କଟକ କମିସନରେଟ୍ ପୁଲିସ୍ ନିଜ ଦକ୍ଷତା ପ୍ରତିପାଦନ କରିଛି । କଠିନ ପରିଶ୍ରମ କରି ଅଭିଯୁକ୍ତ ବିବନକୁ ମୁମ୍ବାଇ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୁଲିସ୍ ଟିମ୍କୁ ଡିଜିପି ଅଭୟ ପ୍ରଶଂସା କରିଛନ୍ତି । ଆଜି ସନ୍ଧ୍ୟାରେ ପୁଲିସ୍ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଅଭୟ, ପୁଲିସ୍ କମିସନର ଡା. ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ପ୍ରତୀକ ସିଂଙ୍କ ସମେତ ଅତିରିକ୍ତ ଡିସିପି ପ୍ରମୋଦ ରଥ ଓ ଟିମ୍ରେ ଥିବା ସମସ୍ତ ଇନ୍ସପେକ୍ଟର, କନଷ୍ଟେବଲ୍ଙ୍କୁ ସାଧୁବାଦ ଜଣାଇ ପ୍ରଶଂସା କରିଥିଲେ । ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଗଣବଳା+ାର ଘଟଣାରେ ଫେରାର ପ୍ରମୁଖ ଅଭିଯୁକ୍ତକୁ କମିସନରେଟ୍ ପୁଲିସ୍ ଖୋଜି ବାହାର କରିବା ପାଇଁ ଦୀର୍ଘ ୩ ମାସ ହେଲା ସ୍ୱତନ୍ତ୍ର ଅପରେସନ୍ ଚଳାଇ ବଛାବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ କରିଥିଲା । ଉକ୍ତ ଟିମ୍ ରାଜ୍ୟ ବାହାରେ ତଥା ମୁମ୍ବାଇ ମହାନଗରୀ ଅଞ୍ଚଳରେ ଅକ୍ଲାନ୍ତ ପରିଶ୍ରମ କରି ଜଳନ୍ଧର ସ୍ୱାଇଁ ନାଁରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିବା ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା । ଏହି ‘ଅପରେସନ୍ ସାଇଲେଣ୍ଟ୍ ଭାଇପର୍’ର ସଫଳତା ପାଇଁ କଟକ ପୁଲିସ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।


Comments are closed, but trackbacks and pingbacks are open.