ଯାଜପୁର,(ବି.ବି.ନୁ୍ୟଜ): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତଆଡ଼ିଆ ଗ୍ରାମର ସୁନନ୍ଦ କୁମାର ବିନ୍ଧାଣୀ ନିଜ ପରିବାର ସହ ଆଜି ସକାଳେ ମା’ ବିରଜାଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ବାଇକ୍ ଚଳାଉଥିଲେ ସୁନନ୍ଦ । ପିତାଙ୍କ ଆଗରେ ବସିଥିଲେ ୪ ବର୍ଷର କୁନିପୁଅ ରାହୁଲ । ଝିଅକୁ ମଝିରେ ବସାଇ ସ୍ତ୍ରୀ ଅନୀତା ଖୁସି ମନରେ ଗାଁକୁ ଫେରୁଥିଲେ । ବିରଜା ମନ୍ଦିରଠାରୁ ମାତ୍ର ୨ କିଲୋ ମିଟର ଦୂରରେ ସୁନନ୍ଦ ପରିବାର ଉପରେ ପଡ଼ିଥିଲା ଅଚାନକ ଚଡ଼କ । ଯୋଡ଼ିକୂଅ ଛକ-ମହାବିରୀ ଛକ ରାସ୍ତାର ସଂସ୍କୃତ ଟୋଲ ନିକଟରେ ରାସ୍ତା ଉପରେ ଭୟଙ୍କର ଗର୍ଜନ କରି ବିରାଟ ଶିମିଳି ଗଛଟିଏ ଗଳି ପଡ଼ିଥିଲା । ବାଇକ୍ ଉପରେ ଗଛଟି ପଡ଼ିଯିବାରୁ ସୁନନ୍ଦ ପରିବାର ଗଛତଳେ ଚାପି ହୋଇଗଲେ । ସ୍ଥାନୀୟ ଲୋକେ ସୁନନ୍ଦ ପରିବାରକୁ ଗଛତଳୁ ଟାଣି ବାହାର କରିବା ବେଳକୁ ୪ ବର୍ଷର ପୁଅ ରାହୁଲର ପ୍ରାଣବାୟୁ ଉଡ଼ି ଯାଇଥିଲା । ମାତ୍ର ଅଧଘଣ୍ଟାକ ତଳେ ବିରଜା ମନ୍ଦିରରେ ହସିଖେଳି ପିତାମାତାଙ୍କ ସହ ଫେରୁଥିବା ରାହୁଲ ଆଖି ବୁଜି ଦେଇଥିଲା । ପୁତ୍ର ବିୟୋଗରେ ବାପାମା’ ବାରମ୍ବାର ଡାକ୍ତରଖାନାରେ ମୂର୍ଚ୍ଛିତ ହୋଇ ପଡୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ଥିଲା । ଏ ସମ୍ପର୍କରେ ସୁନନ୍ଦ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗଛକଟାରେ ବ୍ୟବହୃତ ଏକ ଟ୍ରାକ୍ଟରକୁ ପୁଲିସ୍ ଜବତ କରିବା ସହ ଜଣକୁ ଅଟକ ରଖିଛି । ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି ।


Comments are closed, but trackbacks and pingbacks are open.