
ପୁରୀ,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା-୨୦୨୧ ପାଇଁ ଚାଲିଛି ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ଚଳିତ ବର୍ଷ ବୌଦ୍ଧ ବନଖଣ୍ଡ ଯୋଗାଇବ ୬୦୧ ଖଣ୍ଡ କାଠ । କାଠ ତନଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଟିମ୍ ସୋମବାର ଅପରାହ୍ନରେ ବୌଦ୍ଧ ଯାତ୍ରା କରିଛି । ଶ୍ରୀମନ୍ଦିର ବରିÂ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଭୋଇ ସର୍ଦ୍ଧାର ରବି ଭୋଇ, ରଥ ଅମୀନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ମାଳ ମାହାର୍ଦ୍ଧ ନେଇ ଯାଇଛନ୍ତି । ମଙ୍ଗଳବାର ବନଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ କାଠ ଖୋଜା ଆରମ୍ଭ ହେବ ।
ଏଥର ମୂଲ୍ୟବାନ କାଠ ସବୁ ବୌଦ୍ଧ ଯୋଗାଇବ ବୋଲି ବନବିଭାଗ ସ୍ଥିର କରିଛି । ଏଥିରେ ମୁଖ୍ୟତଃ ରହିଛି ଅସନ, ଧଉରା, ସିମିଳି ଓ ଫାସୀ କାଠ । ଏଥିରେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଖ, ଚାରିନାହାକା, ଚଉଦନାହାକା ଓ ଗରଗରା ଆଦି ନିର୍ମାଣ ହେବ । ୪ଦିନିଆ ଗସ୍ତରେ ଯାଇଛି ଟିମ୍ । ବୌଦ୍ଧ ବନବିଭାଗ ଠାକୁରାଣୀଙ୍କୁ ପୂଜା କରିବା ପରେ କାଠ ଖୋଜିବାକୁ ବାହାରିବେ । ଶ୍ରୀମନ୍ଦିର ଟିମ୍ ତନଖିବାକୁ ସାଙ୍ଗରେ ଯିବେ । କଣ୍ଟାମାଳ ଆଦି ବିଭିନ୍ନ ସ୍ଥାନ ଗସ୍ତ କରିବାକୁ କାର୍ଯ୍ୟକ୍ରମ ରହିଛି । ନୟାଗଡ଼ ବନଖଣ୍ଡ ଏଥର ୧୯୫ ଖଣ୍ଡ କାଠ ଯୋଗାଇବ । ୪୯ ଖଣ୍ଡ କାଠ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିଯାଇଛି । ଆଉ ୧୪୬ ଖଣ୍ଡ କାଠ ପହଞ୍ଚିବ ବୋଲି ଶ୍ରୀମନ୍ଦିର ବରିÂ ତତ୍ତ୍ୱାବଧାରକ ଶ୍ରୀ ମେକାପ କହିଛନ୍ତି ।
ରଥ ସଂହିତା ଅନୁଯାୟୀ ରଥତ୍ରୟ ପାଇଁ ଆବଶ୍ୟକ ହୋଇଥାଏ ୮୬୫ ଖଣ୍ଡ କାଠ । ୨୦୨୦ ରଥଯାତ୍ରା ଠାରୁ ୬୯ ଖଣ୍ଡ କାଠ ଗଛିତ ରହିଛି । ଚଳିତ ବର୍ଷ ଆଉ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି ।


Comments are closed, but trackbacks and pingbacks are open.