
ଅନୁଗୁଳ, (ବି.ବି.ନୁ୍ୟଜ): ନାଲ୍କୋ ହଟିଂରୁ ଗତ ୧୯ ତାରିଖଠାରୁ ନିଖୋଜ ଥିବା ସୁଶାନ୍ତ ରାଉଳ (୫୨)ଙ୍କ ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି । ନାଲ୍କୋ ସ୍ମେଲଟର୍ ପାଚେରୀ ପାଶ୍ୱର୍ରେ ଥିବା ଗୋପୀନାଥପୁର ଗ୍ରାମର ଆମ୍ବତୋଟାରୁ ଶ୍ରୀ ରାଉଳଙ୍କ ଦରପୋଡ଼ା ଶବ ପୁଲିସ ଜବତ କରିଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତୁ୍ୟ ଘଟିଲା ପୁଲିସ ଅନୁସନ୍ଧାନ ଚଳାଇଛି । ତାଙ୍କୁ ହତ୍ୟା କରି ଆମ୍ବତୋଟାରେ ଫୋପାଡ଼ି ଦେବା ପରେ ଅରମାବଣରେ ନିଆଁ ଲଗାଇ ଦିଆଯାଇଥିବା ସନେ୍ଦହ କରାଯାଉଛି । ତେବେ ପୁଲିସର ଅନୁସନ୍ଧାନ, ଶବ ବ୍ୟବଚ୍ଛେଦ ରିପୋର୍ଟ୍ ମିଳିବା ପରେ ଶ୍ରୀ ରାଉଳଙ୍କ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ରାଉଳଙ୍କ ଘର ଆଠମଲ୍ଳିକ ଥାନାର ଆଡ଼ିକଟା ଗ୍ରାମରେ । ସେ ମୁଣ୍ଡା ହଟିଂରେ ସପରିବାର ରହିବା ସହ ଏକ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ଗତ ୧୯ ତାରିଖରେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ସେଇ ଫୋନ୍ କଲ୍ ପାଇବା ପରେ ସେ ସାଇକେଲ୍ରେ ଘରୁ ବାହାରି ଯାଇଥିଲେ । ତା’ ପରଠାରୁ ସେ ଆଉ ଘରକୁ ଫେରିନାହାନ୍ତି । ଏ ନେଇ ତାଙ୍କ ପରିବାର ପକ୍ଷରୁ ନାଲ୍କୋ ଥାନାରେ ରିପୋର୍ଟ୍ କରାଯାଇଥିଲା । ହେଲେ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା ।
ମଙ୍ଗଳବାର ସକାଳେ ଗୋପୀନାଥପୁର ଆମ୍ବତୋଟାରେ ଦରପୋଡ଼ା ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ପରିବାର ଲୋକ ଓ ନାଲ୍କୋ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଚିହ୍ନଟ ହୋଇଥିଲା । ପାଖରେ ଥିବା ସାଇକେଲ୍ଟି ମଧ୍ୟ ପୋଡ଼ି ଯାଇଥିବା ବେଳେ ଚପଲ ହଳକ କିନ୍ତୁ ଅକ୍ଷତ ରହିଛି । ପୁଲିସ ଛାନ୍ଭିନ୍ ଚଳାଇଥିବା ବେଳେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି ।


Comments are closed, but trackbacks and pingbacks are open.