
ରାୟଗଡ଼ା,(ବି.ବି.ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଚାନ୍ଦିଲି ଥାନା କାଦମ୍ବରିଗୁଡ଼ା ଗାଁରେ ହେବାକୁ ଥିବା ପ୍ଲାନେଟୋରିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ଲାନେଟୋରିୟମ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଲୋକାଭିମୁଖୀ କରିବ । ସୌରମଣ୍ଡଳ ସମ୍ପର୍କରେ ଅବଗତ ହେବା ପାଇଁ ଏହା ସହାୟକ ହେବା ସହ ସମାଜ କଲ୍ୟାଣରେ କାର୍ଯ୍ୟ କରିବ । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଛାତ୍ରଛାତ୍ରୀ ଆଗକୁ ବଢିପାରିବେ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମ ପୂର୍ବରୁ ଭିଡ଼ିଓ ମାଧ୍ୟମରେ ପ୍ଲାନେଟୋରିୟମ୍ ସମ୍ପର୍କରେ ଏକ ପ୍ରେଜେକ୍ଟ ପ୍ରଦର୍ଶନ କରାଯାଇଥିଲା । ୨.୬୮ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ ଓ ଜନସାଧାରଣ ଉପକୃତ ହୋଇପାରିବେ । ପ୍ଲାନେଟୋରିୟମ ଦ୍ୱାରା ସୌରମଣ୍ଡଳର ଗତବିଧି, ଜ୍ୟୋତିର୍ବିଜ୍ଞାନ, ପୂର୍ଣ୍ଣିମା, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଭଳି ମହାଜାଗତିକ ଦୃଶ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ଅପରପକ୍ଷରେ, ପ୍ଲାନେଟୋରିୟମ ନିକଟରେ ଏକ ବିଜ୍ଞାନ ପାର୍କ ନିର୍ମାଣ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଆଗାମୀଦିନରେ ରାଜ୍ୟରେ ଆଉ ୫ଟି ନୂତନ ପ୍ଲାନେଟୋରିୟମ ନିର୍ମାଣ କରାଯିବ ବୋଲି କୁହାଯାଇଥିଲା । ଏଥିସହ ୧୦ ଟି ଜିଲ୍ଲାରେ ବିଜ୍ଞାନକେନ୍ଦ୍ର ଓ ପାର୍କ ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲା ଗୋପାଳପୁର, କେନ୍ଦୁଝର ଜିଲ୍ଲା ଘଟଗାଁ, ମୟୂରଭଞ୍ଜ ଜିଲ୍ଲା ବାରିପଦା, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା, ବଲାଙ୍ଗୀର, ପୁରୀ, ଭଦ୍ରକ ଓ ଜଗତସିଂହପୁର ସହ କୋରାପୁଟରେ ବିଜ୍ଞାନ କେନ୍ଦ୍ରର ନିର୍ମାଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଭିଡ଼ିଓ କନଫରେନ୍ସ ଜରିଆରେ ପରିଚାଳନା କରିଥିଲେ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ବିଜ୍ଞାନ ଓ କାରିଗରୀ ଶାସନ ସଚିବ ସନ୍ତୋଷକୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସରୋଜକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.