ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଆଜି ଅପରାହ୍ନ ସାଢ଼େ ୧ଟା ବେଳେ ଟିଟିଲାଗଡ଼-ବଲାଙ୍ଗୀର ଜାତୀୟ ରାଜପଥର ସିନଖମନ ବ୍ରିଜଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଭାନପୁର ଗାଁର ସୁବାଷ ମାଝୀ(୪୫) । ଟ୍ରକଟି ଟମାଟୋ ଝୁଡ଼ି ନେଇ ଟିଟିଲାଗଡ଼ ପଟରୁ ବଲାଙ୍ଗୀର ଆସୁଥିବା ବେଳେ ସିନଖମନ ବ୍ରିଜଠାରେ ସୁବାଷଙ୍କୁ ଧକ୍କା ଦେଇ ବ୍ରିଜ ତଳକୁ ଖସି ପଡ଼ିଥିଲା । ଧକ୍କାରେ ସୁବାଷ ମଧ୍ୟ ବ୍ରିଜ ତଳକୁ ଖସିପଡ଼ି ଟ୍ରକ ତଳେ ଚାପି ହୋଇ ଯାଇଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ସଦର ଥାନାଧିକାରୀ ଯୋଗେଶ ପଣ୍ଡା ଏବଂ ସଦର ତହସିଲଦାର ଲଲାଟ ଲୁହା ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ସହ ରେଡ଼କ୍ରସରୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପରେ ରାସ୍ତାରୋକ ହଟିଥିଲା । ରାତିରେ ବ୍ରିଜ ତଳୁ କ୍ରେନ ସାହାଯ୍ୟରେ ଟ୍ରକକୁ ଉଦ୍ଧାର କରାଯାଉଛି ।
ସୂଚନା ଅନୁସାରେ, ସୁବାଷ ଆଜି ଅପରାହ ସାଢ଼େ ୧ଟା ବେଳେ ଭାନପୁରରୁ ସିନଖମନ ଛକକୁ ନିଜର ଆଧାର କାର୍ଡ଼ ଜେରକ୍ସ କରିବାକୁ ଆସି ଫେରୁଥିଲେ । ସେହି ସମୟରେ ଟିଟିଲାଗଡ଼ ପଟରୁ ଏକ ୧୦ଚକିଆ ଟ୍ରକ ଦ୍ରୁତଗତିରେ ଆସି ବ୍ରିଜ ନିକଟରେ ପ୍ରଥମେ ଏକ କାରକୁ ସାମାନ୍ୟ ଧକ୍କା ଦେଇ ଭାରସାମ୍ୟ ହରାଇଥିଲା । ଶେଷରେ ସୁବାଷଙ୍କୁ ଧକ୍କା ମାରିବା ସହିତ ବ୍ରିଜ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ରାସ୍ତାରୋକ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । କିନ୍ତୁ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ହଟି ନଥିଲେ । କ୍ଷତିପୂରଣ ମିଳିବା ପରେ ଆନ୍ଦୋଳନ ହଟିଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.