
ଭଞ୍ଜନଗର, (ବି.ବି.ନୁ୍ୟଜ): ଭଞ୍ଜନଗର ନିକଟରେ ଜଳୁଛି ଜଙ୍ଗଲ । ଏଣୁ ସହରରେ ଏବେ ଏହି କାରଣରୁ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପାଗ ଶୀତୁଆ ରହିବା ସାଙ୍ଗକୁ ସହର କୁହୁଡ଼ିମୟ ହେଲା ଭଳି ପ୍ରତୀୟମାନ ହେଉଛି । ବାସ୍ତବରେ ଏହା ଘନ କୁହୁଡ଼ି ନୁହଁ । ଏବେ ଉତ୍ତର ଘୁମୁସର ବନଖଣ୍ଡ ଅସ୍ୱାଭାବିକ ଭାବେ ଜଳୁଥିବା ବେଳେ ଜଙ୍ଗଲ ନିଅାଁର ଧୂଅାଁ ସହରକୁ ଆଛାଦିତ କରି ରଖିଛି । ଆଉ ଖାସ୍ ଏହି କାରଣରୁ ଲୋକଙ୍କ ଆଖି ବେଶ୍ ଜଳାପୋଡା ହେଉଛି । ଦିନ ୧୦ଟା ପରେ ସହରର ତାପମାତ୍ରା ବେଶ୍ ବୃଦ୍ଧି ପାଉଛି । ଜଙ୍ଗଲରେ ନିଅାଁ ଲାଗିବା କାରଣରୁ ଏବେ ଜଳବାୟୁରେ ଏଭଳି ପରିବର୍ତ୍ତନ ଭଞ୍ଜନଗରବାସୀ ଅନୁଭବ କରୁଛନ୍ତି । ସେପଟେ ମୁଜାଗଡ଼ ବନାଞ୍ଚଳ ଇଲାକାର ଜଙ୍ଗଲ ପାଖ ଗାଁ ଡାଙ୍ଗୁଆପଲ୍ଲୀରେ ଶନିବାର ମଧ୍ୟାହ୍ଣରେ ଅତର୍କିତ ଜଙ୍ଗଲ ନିଅାଁ ପବନ ଯୋଗୁଁ ବ୍ୟାପି ୧୪ ବଖରା ଜଳି ଯାଇଛି । ଗାଁ ଖଳାରେ ଥିବା ପାଳଗଦା ଜଳିଯିବା ସହ ଅଗ୍ନିକାଣ୍ଡ ଯୋଗୁଁ ହରିଜନ ସାହିର ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।
ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ତାରାସିଂ, ଜଗନ୍ନାଥପ୍ରସାଦ, ଗାଲେରୀ ଓ କେନ୍ଦ୍ରୀୟ ବନାଞ୍ଚଳର ବହୁ ସଂରକ୍ଷିତ ଜଙ୍ଗଲରେ ନିଅାଁ ଲାଗିଛି । କିଛି ଦିନ ତଳେ ସହରତଳି ସୋରାଦେବୀ ଜଙ୍ଗଲରେ ନିଅାଁ ଲାଗିବା କାରଣରୁ ଭଞ୍ଜନଗରର ଉତ୍ତାପ ହଠାତ୍ ବଢିÿଯାଇଥିଲା । ବର୍ତ୍ତମାନ କେବଳ ସୋରାଦେବୀ ଜଙ୍ଗଲ ନୁହଁ, କେନ୍ଦ୍ରୀୟ ବନାଞ୍ଚଳର କଳିଆମ୍ବା ସଂରକ୍ଷିତ ଜଙ୍ଗଲର ଭାଗ- ୬ ମଧ୍ୟ ଜଳୁଛି । ଏଠାରେ ବନ କର୍ମଚାରୀମାନେ ଫାୟାର୍ ଲାଇନ୍ କାଟି ବନାଗ୍ନିକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡ଼ା, ରଗଡ଼ା ଆଦି ଜଙ୍ଗଲରେ ନିଅାଁ ଲାଗିଛି । ମୁଜାଗଡ଼ ବନାଞ୍ଚଳର ମୁଜାଗଡ଼, ରମ୍ଭା, ବାଇବାଲି ଆଦି ସେକ୍ସନ୍ର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଅାଁ ଲାଗିଛି । ତାରାସିଂ ବନାଞ୍ଚଳରେ ମଧ୍ୟ ଜଙ୍ଗଲ ନିଅାଁରେ ବିଭିନ୍ନ କିସମର ବନ୍ୟଜନ୍ତୁ ଏବେ ଅକାଳରେ ମରୁଥିବା ଦେଖିବାକୁ ମିଳୁଛି ।
ଜଗନ୍ନାଥପ୍ରସାଦ ରେଞ୍ଜ୍ ଇଲାକାର ବରବରା ଜଙ୍ଗଲରେ ନିଅାଁ ଲାଗିଥିବା ସୂଚନା ମିଳିଛି । ଅନେକ ସମୟରେ କିଛି ଶିକାରୀ ଜାଣିଶୁଣି ଜଙ୍ଗଲରେ ନିଅାଁ ଲଗାଇ ଦେଉଥିବାବଳେ ଆଉ କିଛି ଅଙ୍ଗାର ଆଣିବାକୁ ଜଙ୍ଗଲରେ ଗଛକୁ ଜାଳି ଦେଉଥିବା ଅଭିଯୋଗ ହେଉଛି । ତେବେ ଜଙ୍ଗଲରେ ନିଅାଁ ଲାଗିବା କାରଣରୁ ଅନେକ ବନ୍ୟପ୍ରାଣୀଙ୍କ ମୃତୁ୍ୟ ଘଟୁଥିବା ବେଳେ ବହୁ ଅମୂଲ୍ୟ ବନ୍ୟ ସମ୍ପଦ ପୋଡ଼ି ନଷ୍ଟ ହେଉଛି । ବନ କର୍ମଚାରୀମାନେ ଜଙ୍ଗଲ ନିଅାଁକୁ ଆୟତ୍ତ କରିବାକୁ ଦିନରାତି ପରିଶ୍ରମ କରୁଥିବା ଉତ୍ତର ବନଖଣ୍ଡ ଡିଏଫ୍ଓ ଅଭୟ କୁମାର ଦଳାଇ କହିଛନ୍ତି । ଅନେକ ସ୍ଥାନରେ ଫାୟାର୍ ଲାଇନ୍ ପୂର୍ବରୁ କଟାଯାଇ ସାରିଛି । ଜଙ୍ଗଲ ରାସ୍ତା ଦେଇ ଗଲା ବେଳେ କିଛି ବ୍ୟକ୍ତି ବିଡି ସିଗାରେଟ୍ ଆଦି ଟାଣି ଜଙ୍ଗଲରେ ଫୋପାଡ଼ି ଦେବା କାରଣରୁ ଏହି ନିଅାଁ ଅଚିରେ ଚାରିଆଡ଼କୁ ବ୍ୟାପିଯାଉଛି । ଫଳରେ ଜଙ୍ଗଲ ପୋଡ଼ି ଯାଉଛି । ତେଣୁ ଜଙ୍ଗଲର ସୁରକ୍ଷା ପାଇଁ ନିଅାଁ ଦାଉରୁ ବଣକୁ ରକ୍ଷା କରିବା ପ୍ରତ୍ୟେକ ଜନସାଧାରଣଙ୍କ ଧ୍ୟେୟ ହେବା ଉଚିତ ବୋଲି ଡିଏଫ୍ଓ ନିବେଦନ କରିଛନ୍ତି । ଏଥିପାଇଁ ବିଭାଗ ତରଫରୁ ବ୍ୟାପକ ଜନସଚେତନତା ମଧ୍ୟ କରାଯାଉଥିବା ସେ କହିଛନ୍ତି । ତେବେ ଜଙ୍ଗଲ ସୁରକ୍ଷା କେବଳ ପ୍ରଚାରରେ ସୀମିତ ନରହି ବାସ୍ତବରେ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ବନାଞ୍ଚଳକୁ କିଭଳି ନିଅାଁ ଦାଉରୁ ରକ୍ଷା କରାଯାଇପାରିବ ସେଦିଗରେ ଉଦ୍ୟମ ହେବା ଜରୁରି ବୋଲି ବହୁ ପରିବେଶବିତ୍ ମତ ରଖିଛନ୍ତି ।
ଜଙ୍ଗଲ ନିଅାଁରେ ଜଳିଗଲା ଡାଙ୍ଗୁଆପଲ୍ଲୀ ଗ୍ରାମ ହରିଜନ ସାହିର ୯ଟି ପରିବାରର ୧୪ ବଖରା ଘର । ମୁଜାଗଡ଼ ବନାଞ୍ଚଳ ଇଲାକାର ଜଙ୍ଗଲ ପାଖ ଗାଁ ଭାବେ ପରିଚିତ ଡାଙ୍ଗୁଆପଲ୍ଲୀ ଗ୍ରାମରେ ଶନିବାର ମଧ୍ୟାହ୍ଣରେ ଅତର୍କିତ ଜଙ୍ଗଲ ନିଅାଁ ପବନ ଯୋଗୁଁ ବ୍ୟାପି ଯାଇଥିଲା । ଗ୍ରାମର ଖଳାରେ ଥିବା ପାଳଗଦା ପ୍ରଥମ ଜଳିଥିଲା । ପରେ ନିଅାଁ ଗ୍ରାମର ହରିଜନ ସାହି ୯ଟି ପରିବାରର ୧୪ ବଖରାକୁ ଭସ୍ମୀଭୂତ କରି ଦେଇଥିଲା । ଗହନ ନାଇକଙ୍କ ୩ ବଖରା, ନିରଞ୍ଜନ ପ୍ରଧାନ, କୁମର ନାଇକ ଓ ଦିଲ୍ଲୀପ ନାଇକଙ୍କ ୨ ବଖରା ଲେଖାଏଁ, ବିଦ୍ୟାଧର ନାଇକ, ରତନ ନାଇକ, ମନୋଜ ନାଇକ, ଶ୍ରୀକାନ୍ତ ନାଇକ, ଅଶୋକ କୁମାର ନାଇକଙ୍କ ଗୋଟିଏ ବଖରା ଲେଖାଏଁ ଜଳିଯାଇଛି । ଭଞ୍ଜନଗର ଦମକଳ ବାହିନୀ ୪ ଘଣ୍ଟା କାଳ କସରତ କରି ନିଅାଁ ଆୟତ୍ତ କରିଥିଲେ । ଦିନ ସାଢେ଼ ଗୋଟାଏରୁ ଲାଗିଥିବା ନିଅାଁ ଅପରାହ୍ନ ସାଢେ଼ ୫ଟାରେ କାବୁ ହୋଇଥିଲା । ସେତେବେଳକୁ ଏହି ୯ଟି ପରିବାରର ସବୁକିଛି ପୋଡ଼ି ଜଳିଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଛାରଖାର ହୋଇଯାଇଛି । ଏବେ ଜଙ୍ଗଲ ନିଅାଁରେ ଭଞ୍ଜନଗର ଇଲାକା ଉତ୍ତପ୍ତ ହୋଇପଡ଼ିଛି । ବେଶ୍ କିଛି ଦିନ ହେଲା ଏହି ଜଙ୍ଗଲ ନିଅାଁ ଲୋକଙ୍କୁ କଲବଲ କଲାଣି ।


Comments are closed, but trackbacks and pingbacks are open.